କଟକ ଷ୍ଟେସନ,ପହଞ୍ଚି ଅଛି
ଡାଉନ୍ ଆସନ୍-ସୋଲ୍।
ଚଞ୍ଚଳତାର ସହ ଉଠିଅଛି
ଅର୍ଥ ବିହୀନ ଗୋଳ।
ତୃତୀୟ ଶ୍ରେଣୀର ଡବାଟାଏ ପ୍ରତି
ଛୁଟି ଥିଲି ତରତରେ,
‘ସାର୍’ ବୋଲି କିଏ ପଛରୁ ଡାକିଲା
ଫେରି ମୁଁ ଚାହିଁଲି ଥରେ।
ଚାରିପାଦ ପଛେ ଦଣ୍ଡାୟମାନ
କେତୋଟି ତରୁଣୀ ଝିଅ
ସେଥିରୁ ଗୋଟିଏ ଅନାଉଛି ମତେ,
ସାର୍ ମୁଁ ତାର ନୁହ,
ବିଚାରୀ ମନରେ ଫେରାଇଲି ମୁଖ
ପୁଣି ସେ ଡାକିଚି ମତେ,
“ନମସ୍ତେ ସାର୍,ପଳାଇଲେ କଣ?”
କହିଲା ସେ ଯୋଡ଼ ହାତେ
ବିସ୍ମିତ ହୋଇ ଚାହିଁଲି ମୁଁ ତାରେ
ଆକାଶୁ ପଡ଼ିଲା ପରି
ସସ୍ମିତେ ମୁଖେ କହିଲା ଶୁଣିଲି,
‘‘ମନେପରା ଏଇ ପରି
ରଖି ଅଛନ୍ତି!”-ତଥାପିଟି କିଏ
“ଚିହ୍ନି ପାରିଲେ ନାହିଁ?”
ନିର୍ବୋଧ ଏକ ପାଲଟି କେବଳ
ରହିଥିଲି ତାକୁ ଚାହିଁ।
ନମ୍ର ଭାବରେ କହିଲି ଏତିକି,
ଚିହ୍ନି ମୁଁ ପାରିଲିନି,
କ୍ଷମା ଦେବେ ମତେ,କହିଲା ସେ ହସି
‘ମୁଁ ପରା ହେମାଙ୍ଗିନୀ।’
ହେମାଙ୍ଗିନୀ ଏ !“ଚିହ୍ନିଲେ ଏବେ”
ପଚାରିଲା ସିଏ ମତେ-
ମୃଦୁ ହସ ହସି କହିଲି ମୁଁ,“ତୁମେ
ହେମାଙ୍ଗିନୀ ଟି ସତେ!”
ଦଶ ବର୍ଷର ତଳେ ତାର ସାଥେ
ହୋଇଥିଲା ପରିଚୟ
ଟିଉସନ କରି ବି.ଏ. ପଢ଼ୁଥିଲି
ଆଉ ନାଇଁ ସେ ସମୟ-
ସେଦିନ କିଶୋରୀ ହେମ ଅଂଗିନୀ
ନ ଥିଲା ତ ଏଇପରି
ଅଙ୍କ ଆସେନି ସେଥିପାଇଁ ମତେ
ଦେଖି ଯାଉଥିଲା ଡରି-
ସନ୍ଧ୍ୟାରେ ନିତି ଅଙ୍କ ଭୟରେ
ଆଜି ଏ ଚନ୍ଦ୍ରମୁଖୀ,
ତ୍ରସ୍ତ ହୃଦୟେ ବସୁଥିଲା ଆସି
ମୁହଁ ଯାଉଥାଏ ଶୁଖି।
ପ୍ରଶ୍ନର ଯେବେ ଉତ୍ତର ସିଏ
ମତେ ଦେଇନାଇଁ ପାରେ
ନ କହୁ କିଛି ମୁଁ ଗଣ୍ଡ ପ୍ଳାବିତ
କରୁଥିଲା ଲୁହଧାରେ।
ଲକ୍ଷ୍ୟ କରିଚି ସେଦିନ କେବଳ
ଉନ୍ମୁଖ ଯଉବନ
ଓଢ଼ଣୀର ତଳୁ ଉଙ୍କି ମାରି ଯେ
କରୁଥିଲା ତୀକ୍ଷଣ।
ସେଦିନର ସେଇ ହେମ ଅଙ୍ଗିନୀ
ସମ୍ମୁଖେ ମୋର ଉଭା,
ଯୌବନ ଲଭି ପୂର୍ଣ୍ଣ ପ୍ରକାଶ
କରିଚି ତାହାକୁ ଯୁବା।
ବଦନ କରିଚି ଦୀପ୍ତ ଆହୁରି
ଭୀରୁ ଭସାଣିଆ ଆଖି,
ସ୍ପଷ୍ଟ କରିଚି ଅବୟବ ତାର
ଦୁଷ୍ଟ ନୟନ ଲାଖି
ରହୁଚି ସେଇଠି,ସେଦିନ କୋରକ
ହୋଇଛି ପୁଷ୍ପବତୀ
ଜାଣି ମୁଁ ପାରୁନି ଫୁଲ ସିଏ ଅବା
ଚଞ୍ଚଳ ପ୍ରଜାପତି।