ତୁମେ ମୋର ଗୀତଲକ୍ଷ୍ମୀ ମୋର କାବ୍ୟ- କଳାର ସଂସାରେ
ପ୍ରୀତିରେ ତନ୍ମୟ କରି
ମତେ, ତୁମେ ବାଗୀଶ୍ବରୀ
ଦେଇଚ ନିବିଡ଼େ ଭରି ରୂପ ରସ ଗନ୍ଧ ମୋ ଭାଷାରେ
ହୃଦୟ ନିଷିକ୍ତ ମୋର ସ୍ନିଗ୍ଧ ସୁଧା ସହସ୍ର ଆଶାରେ।
ସୂର୍ଯ୍ୟର ମୟୁଖ ତୋଳି ଆଣିଚ ଗୋ ତୁମେ ମୋ ଭବନେ
କେଉଁ ଉର୍ମି ଉତ୍ତରଳ
ସାଗରର ସୁଚପଳ
ଭଙ୍ଗୀ ଏକ ରଖିଅଛ ମୋ ନିଭୃତ ମାନସେ ଗୋପନେ,
ଫୁଟାଇଚ କେତେ ପୁଷ୍ପ ମଧୁ ସ୍ନିଗ୍ଧ ମୋହର ଅଙ୍ଗନେ।
ତୁମର ନୁପୁର ଧ୍ବନି ସୃଷ୍ଟି କରେ ଅଗଣିତ ଗାନ
ମୋହର ହୃଦୟ ତଳେ
ଅବିରଳ ଯହିଁ ଜଳେ
ତୁମର ନୟନ ଦୀପ ତୋଳି ଶୁଭ୍ର ଶିଖା କମ୍ପମାନ,
ତୁମର ସ୍ମିତିର ସାଥେ ଲୀଳାୟିତ ହୁଏ ମୋର ପ୍ରାଣ।
ଯେତେ ମୋର ବଇଭବ ଯେତେ ମୋର ସ୍ବପ୍ନର ରଚନା
ସବୁ ତୁମ ପରସାଦ
ସବୁ ତୁମ ଆଶୀର୍ବାଦ
ସକଳ ପ୍ରକାଶ ତବ ରୂପ ପାଏ ତୁମରି କାମନା
ସ୍ପର୍ଶ ତୁମ ଆଣେ ମନେ ଅକଳନ ସୃଷ୍ଟିର ପ୍ରେରଣା।
ଆଗୋ ଲକ୍ଷ୍ମୀ ଲୀଳାମୟୀ, ଦିଅ ମତେ ଏତିକି ଅଭୟ
ଜୀବନେ ଜୀବନାନ୍ତରେ
ରହିବ ଗୋ ମୋ ଅନ୍ତରେ
ନିବିଡ଼େ ଗଭୀରେ ଜରି, ପ୍ରେମେ ମତେ କରି ଭାବମୟ,
ଯୁଗେ ଯୁଗେ ତୁମ ଗାନ ଗାଇ ହେବି ମୁଁ କବି ବାଗ୍ମୟ।