ପୁରାପୁରି ଭୂଲିଯାଇଥିଲି
ମୋହର ଫେରିବାଦିନ.ତାରିଖ,ସମୟ
ସବୁଠିକ୍ ହୋଇଥିଲା
ମୋ ଆସିବା ମୁହୂର୍ତ୍ତରେ ଏପରି ବି ଫେରନ୍ତା ଟିକେଟ୍
କଟା ହୋଇଥିଲା ସ୍ଥାନ ସଂରକ୍ଷଣ ସହ।
ହୁଏତ ଆସିବା ମୋର ଥିଲା ଅନିଶ୍ଚିତ
ମୋ ଆସିବା ମୁହୂର୍ତ୍ତ ପର୍ଯ୍ୟନ୍ତ।
କିନ୍ତୁ ମୋର ଫେରିବାଟା ନିଶ୍ଚିତ ନିର୍ମମ ଭାବେ
ହୋଇପାରେ ନାହିଁ ଟେକେ ଏପଟ ସେପଟ-
ସୂର୍ଯ୍ୟୋଦୟ ହୋଇପାରେ ସନ୍ଦେହ ଜନକ
ସୂର୍ଯ୍ୟାସ୍ତର କେବେ କିନ୍ତୁ ବ୍ୟତିକ୍ରମ ନାହିଁ।
ଏ ଏକ ଆଶ୍ଚର୍ଯ୍ୟ ଦେଶ-
ଏ ଦେଶର ଯେତେ ଲୋକ ସମସ୍ତେ ବିଦେଶୀ;
ସମସ୍ତେ ଆସନ୍ତି ବୁଲି,
ଦେଖିବାକୁ ତାର ରୂପ ବିଚିତ୍ର ସୁନ୍ଦର-
ତାର ନଦୀ,ବନଗିରି,ସାଗର ଆକାଶ
ତାର ଦିନ,ତାର ରାତି, ଆଲୋକ ଅନ୍ଧାର,
ତାର ଫୁଲ ଫଳ,ମାଟି, ପାଣି ଓ ପବନ।
କିନ୍ତୁ ବହୁ ସୁବିଧା ଓ ଅସୁବିଧା ସତ୍ତ୍ବେ
ଏଠି ଘର କରି କେପହି ରହିଯିବା ଏକାନ୍ତ ନିବିଡ଼,
ଅସମ୍ଭବ ପାଇବାଟା ତା ନାଗରିକତା।
ତେଣୁ ଫେରିଯିବା କଥା
ମନେ ଆଉ ଅଥବା ନଥାଉ,
ପାସ୍ପୋର୍ଟ ହୋଇଯାଏ ରବ୍ଦ ଆପେ ଆପେ
ନିର୍ଦ୍ଦିଷ୍ଟ ଦିନରେ ଏବଂ ଯିବାବେଳ ଆସିଗଲେ
ଯିବାକୁ ହିଁ ହୁଏ।
ଏ ଆଶ୍ଚର୍ଯ୍ୟ ଦେଶେ ପୁଣି
କଟକଣା ଆହୁରି ଅଦ୍ଭୁତ।
ଆଣିବାକୁ ଏଠି ମନା ସୁକିଛି ଆସିବା କାଳରେ,
ନେବାପାଇଁ ସେହିପରି ସବୁ ମନା ଆପଣା ସଙ୍ଗତେ-
ବିଦେଶୀ ଜିନିଷପ୍ରତି ପରନାରୀ ମମତା ସତ୍ତ୍ବେ ବି।
ସବୁ ଛାଡ଼ି ଯିବାପାଇଁ ପଡ଼େ ତାର ସୀମାର ଏପଟେ।
ତଥାପି ଏଠାରେ ଭିଡ଼ ବଢ଼େ ସିନା
କେବେହେଲେ କମିଯାଏ ନାହିଁ,
ଯଦିଓ ଏଠାରେ କେହି କେବେ ନାହିଁ ଦେଖି
ଫେରିଯାଇଥିବା କେଉଁ ଲୋକଟିର ମୁହଁ ଆଉଥରେ।
ଆଜି ତେଣୁ ମୋର ଏଇ ଫେରିଯିବା ସମୟ ପୂର୍ବରୁ
ପୁଣିଥରେ ଆସିବାକୁ ଏଇ ଚିର ଆଶ୍ଚର୍ଯ୍ୟ ଦେଶକୁ
ମୋ ମନରେ ଗାଢ଼ ହୋଇ ଉଠୁଥିବା ଛୋଟ ଇଚ୍ଛାଟିକୁ
ମୁଁ କଣ ପାରିବି ନେଇ ସୀମାନ୍ତ ସେ ପାଖେ
ଫାଙ୍କିଦେଇ କଟକଣା ସତର୍କ ଆଖିର!