॥ ୧॥
ସମୁଦ୍ରର ବୟସ କେତେ?
ବହୁବର୍ଷ ତଳେ
ଯେତେବେଳେ ଦେଖିଥିଲି ତାକୁ ମୁଁ ପ୍ରଥମେ,
ଗୋଟିଏ କିଶୋରୀ ପରି
ନାଚୁଥିଲା, ଡେଉଁଥିଲା, ଖେଳୁଥିଲା,
ସିଏ ଏଇ ବେଳାଭୂମି ବିସ୍ତୀର୍ଣ୍ଣ ପ୍ରାନ୍ତରେ
ଛୁଇଁବାକୁ ଆସୁଥିଲା ଧାଇଁ,
ନ ଛୁଇଁପାରି ସେ ମତେ ଯାଉଥିଲା ଫେରି
ସତେ ଅବା ନୀରବ ଲଜ୍ଜ୍ବାରେ।
ମୁଁ ତାକୁ ଧରିବା ପାଇଁ ଧାଉଁଥିଲି ପଛେ ତାର,
ହଠାତ୍ ସେ ବୁଲି ପଡ଼ି ଧରି ଦେଇ ମତେ
କରିଦେଇ ନିମିଷକେ ଓଦା ସରସର
ହସୁଥିଲା ଝିଲିମିଲି ଖିଲି ଖିଲି ହସ।
॥ ୨॥
ସମୁଦ୍ରର ବୟସ କେତେ?
ମୁଁ ପୁଣି ଦେଖିଲି ଯେବେ ସମୁଦ୍ରକୁ
ସିଏ ଥିଲା ଉତ୍ଶୃଙ୍ଖଳ,ଉଦାମ, ଉଦ୍ଧତ
ନବୀନ ଯୁବକ ପରି।
ଭାଙ୍ଗି ଦେବାଲାଗି ଏଇ ବେଳାର ପ୍ରାଚୀର
କରୁଥିଲା ପ୍ରଚଣ୍ଡ ଆଘାତ,
ଛୁଇଁବାକୁ ଆକାଶକୁ ଦେଉଥିଲା ଲମ୍ଫ,
ବଜ୍ର କଣ୍ଠେ କରୁଥିଲା
ଆପଣାର ଆକ୍ରୋଶ ଘୋଷଣା।
॥ ୩॥
ସମୁଦ୍ରର ବୟସ କେତେ?
ପୁଳିନେ ତାହାର ବସି
ମୁଁ ଦେଖୁଚି ଆଜି
ସମୁଦ୍ରର ଶାନ୍ତ ରୂପ।
ତରଙ୍ଗ ଶିରରେ ତାର ପକ୍ବକେଶ ଶୁଭ୍ରତାର କାନ୍ତି
ଗମ୍ଭୀର କଣ୍ଠରେ ତାର ମୁଁ ଶୁଣୁଚି ମନ୍ଦ୍ର ମନ୍ତ୍ର ଧ୍ବନି
ସେ ମାନି ନେଇଚି ଆଉ ପଥ ନାହିଁ
ସମ୍ମୁଖରେ ତାର,
ସୀମା ତାର ଏଇ ବେଳାଭୂମି।
ମଥା ଛୁଇଁ ସେଇ ବାଲୁଚରେ
ସୀମାକୁ ଓ ଅସୀମକୁ
ବାରମ୍ବାର କରୁଚି ପ୍ରଣାମ।
॥ ୪॥
ମୁଁ ପୁଣି ଆସିଚି ଯେବେ
ସେତେବେଳେ ମୁଁ କଣ ଦେଖିବି,
ପଡ଼ିଥିବ ଶୋଇ ଏ ସମୁଦ୍ର
ତାର ଏଇ ସ୍ବର୍ଗଦ୍ବାର ସୈକତ ଶଯ୍ୟାରେ?
କ୍ଳାନ୍ତ ଶ୍ରାନ୍ତ ଅବସନ୍ନ
ପଥଚାରୀ ପରି
ଶୀତଳ ନିଦ୍ରାରେ।
ତା ନିଦ ଭାଙ୍ଗିବ ନାହିଁ
ଅସଂଖ୍ୟ ଡାକରେ,
ହିମ ଜଳେ, ଅଗ୍ନି ଉତ୍ତାପରେ।
ପୁଣି କେବେ କେଉଁଠାରେ
ତା ସହିତ ଦେଖାହେବ ତେବେ!
ସମୁଦ୍ରର ବୟସ କେତେ?