ମିଳନ ମିଥୁନ ଲଗ୍ନ କରନାହିଁ ଆଉ ବିଳମ୍ବିତ
ବିଦ୍ଧ କର ଶୂଳ ତବ,
ଚ୍ଛିନ୍ନ କର ଶିର ମୋର ଶାଣିତ କୃପାଣେ,
ପାନ କର ମୋର ରକ୍ତମଧୁ।
ମତେ ଦିଅ ଝୁଲିବାକୁ ମଧ୍ୟମଣି ହୋଇ
ଶୋଣିତ ଚନ୍ଦନଲିପ୍ତ ପୟୋଧର ତଳେ।
ମତେ ପ୍ରେମଦିଅ, ମତେ ମୃତ୍ୟୁଦିଅ, ମତେ ମୁକ୍ତିଦିଅ।
ମିଳିନ ମିଥୁନ ଲଗ୍ନ କରନାହିଁ ଆଉ ବିଳମ୍ବିତ
ହେ ମୋହିନୀ, ତ୍ରିପୁରା ସୁନ୍ଦରୀ,
ମୁର୍ଦୁ ମୁହୁ ଅଟ୍ଟହାସ୍ୟେ ଉଚ୍ଚାଟିତ ମୋର ଦେହ ମନ
ଜ୍ବଳନ୍ତ ଅପାଙ୍ଗେ ତବ ରକ୍ତେ ରକ୍ତେ ଭରଇ କମ୍ପନ,
ମତେ ଆଉ ରଖନାହିଁ ଦୂରେ
ତୁମର ସୁନ୍ଦର ତୀକ୍ଷ୍ଣ-ନଖେ ଦୀର୍ଣ୍ଣକରି
ବକ୍ଷ ମୋର, ତୋଳିନିଅ ରକ୍ତାକ୍ତ ହୃଦୟ,
ବଳାତ୍କାରେ ନେଇଯାଅ ମତେ ମୋ ଭିତରୁ।
ମତେ ପ୍ରେମଦିଅ, ମତେ ମୃତ୍ୟୁଦିଅ, ମତେ ମୁକ୍ତିଦିଅ।