ଆଷାଢ଼ର ଆକାଶରେ ନୂଆ ମେଘ ଭାସି ଭାସି ଯାଏ
ଅତି ଦ୍ରୁତ ଗତି ତାର, ସୀମାହୀନ ଆକାଶ ପ୍ରାନ୍ତରେ
ସେ କିବା ମେଘର ରେସ୍ ; ସେଇ ମେଘ ଆବରଣ ତଳୁ
ବେଳେ ବେଳେ ଚନ୍ଦ୍ର ଯଥା; ଆପଣାକୁ ପ୍ରକାଶିତ କରେ-
ସେଇପରି ଆଗୋ ମୋର ପୁରାତନ ପ୍ରେମିକା ଚନ୍ଦ୍ରମା,
କର୍ମବ୍ୟସ୍ତ ଜୀବନର ସୁବହୁତ ଜଂଜାଳ ଭିତରେ
ତୁମ ସ୍ମୃତି ମନେ ଆସେ ବେଳେ ବେଳେ ଅଯାଚିତ ଭାବେ
ନୂତନ ଜଂଜାଳ ଚାପେ ତାହା ପୁଣି ଆପେ ଅପସରେ।
ଆଜି କିନ୍ତୁ ଭୂଲିଯାଇ ସବୁକଥା ସମସ୍ତ ଜଂଜାଳ,
ଭୁଲିଯାଇ କାଲିପାଇଁ କରିବାକୁ ଆଜିର ଉଦ୍ଯୋଗ
ମୁଁ ଭାବୁଛି ତୁମକଥା,ଶାନ୍ତ ଏଇ ଗଭୀର ରାତିରେ
ଭାବୁଛି କିପରି ତୁମେ କରିପାର ପୂର୍ଣ୍ଣ ଉପଭୋଗ
ଜୀବନକୁ, ଭାଂଗିଗଲା ଅତୀତକୁ ମୂଳଦୁଆ କରି
ନୂତନ ମୀନାର ଏଇ ଗଢ଼ିବାକୁ ନିର୍ବିକାର ମନେ
କରିପାର ଆୟୋଜନ; ମହାଜନୀ ବୁଦ୍ଧିରେ ତୁମର
କ୍ଷତିରୁ ଉଠାଇପାର ଲାଭ କରି ମୂଳ ଏ ଜୀବନେ।
ତୁମ ଲାଭ କ୍ଷତି କଥା ଭାବିବାକୁ ମୋର ଅଧିକାର
କିଛି ନାଇଁ, ମୋ ଜୀବନେ ତାହା ଅତି ଅବାନ୍ତର କଥା
ମୁଁ ମାନୁଚି ତାହା ଏକ ଅତି କ୍ଷୁଦ୍ର ଅଦା ବେପାରୀର
ଜାହାଜର ମୂଲ୍ୟ ନେଇ ଅକାରଣ ଘୂରାଇବା ମଥା।
ତଥାପି ମୁଁ ତୁମକଥା ଭାବୁଅଛି ରୂପସୀ ଚନ୍ଦ୍ରମା
ତୁମକଥା ଭାବୁଥିଲି ଆଜିଠାରୁ ଚାରିବର୍ଷ ତଳେ
ଭାବୁଥିଲି ତୁମବିନା ଜୀବନଟା ହେବ ଅକାରଣ
ଭାବୁଥିଲି ତୁମପରି ଝିଅ ଥିବେ ନାହିଁ ଭୂମଣ୍ଡଳେ।
ତୁମେ ବି କହିଚ ମୋତେ ବାରମ୍ବାର ତୁମେ ସେହିପରି
ମୋହ କଥା ଭାବୁଥିବ –ତୁମେ ତାହା ଆଜି ଅସ୍ବୀକାର
କରିଚ ବା କହିବ କି କିଛି ଆଉ ରହୁନାଇଁ ମନେ?
ନାରୀ କି ପାଶୋରି ପାରେ ତାର ଯେତେ ପ୍ରେମ କାରବାର।
ସିଗାରେଟ୍ ଟାଣି ତୁମ ମୁଖପଦ୍କ ଧୂମ କୁଣ୍ଡଳୀରେ
ଦେଇଥିଲି ଛାଇଦିନେ, ମନେଥିବ ନିଶ୍ଚୟ ତୁମର,
ମୋ ହାତରୁ ସିଗାରେଟ୍ କେଶ୍ଟାକୁ,ଛଡାଇ କହିଲ
“ଖାଅ ନାଇଁ ସିଗାରେଟ୍, ଦେହ ଛୁଇଁ ଆଜି ପଣକର।”
ତାହା ସାଥେ କହିଥିଲ ସ୍ବାସ୍ଥ୍ୟରକ୍ଷା ବହିରେ ଯା ଥିଲା-
ସେ ଦିନର ଏ କଥାଟା ଆଜିଯାଏ ରହନ୍ତାନି ମନେ,
ରହିଚି କେବଳ ଯେଣୁ ପାଇଥିଲି ପ୍ରୀତି-ଉପହାର
ସେଇ ସିଗାରେଟ୍ କେଶ୍, କବି ବୋଲି ବିଷୁବ ମିଳନେ।
ଆଜି ସେଇ ସିଗାରେଟ୍ କେଶ୍ ଦେଖି ଅନ୍ୟ କା’ର ହାତେ
ଲେଖୁଚି ମୁଁ ଚିଠି, ସତେ ସେଇ ମୋର ସିଗାରେଟ୍ କେଶ୍
ତୁମେ ଯାହା ଉପହାର ଦେଇଅଛ ଅତି ସେନେହରେ
ଅଧ୍ୟାପକ ମହାନ୍ତିଙ୍କୁ- କରୁଛି ମୁଁ ତୁମଙ୍କୁ ସାବାସ୍।
ବିଜ୍ଞାନ ଶ୍ରେଣୀର ଛାତ୍ରୀ ତୁମେ ଯେବେ ଗବେଷଣାଗାରେ
ସୁଗଭୀର ମନୋଯୋଗେ କରୁଥାଅ ବସି ପ୍ରାକ୍ଟିକାଲ୍
ଡକ୍ଟର ମହାନ୍ତି ଆସି ଦେହ ସାଥେ ଦେହକୁ ଲଗାଇ
ଠିଆହେଲେ ମୁଖ ତୁମ ପଡିଯାଏ ଅବିଳମ୍ବେ ଲାଲ୍।
ସେତେବେଳେ ଖସିଯାଏ ଆଗୋଚରେ ଚକ୍ଷୁ ଉତ୍ତରୀୟ-
ସବୁ ମୁଁ ଜାଣିଚି ଚନ୍ଦ୍ରା,ଶୁଣିଚି ମୁଁ ଶୁଣିଚି ସକଳ;
ରବିବାରେ ତୁମେ ଆସି ବୁଝିଯାଅ ମହାନ୍ତିଙ୍କ ଠାରୁ
କେମିଷ୍ଟ୍ରି ସେ ବିଦ୍ୟାଟିରେ ତୁମେ ଯେଣୁ ନିହାତି ଦୁର୍ବଳ।
ତୁମେ କିନ୍ତୁ ଭାବିବନି ଚେଷ୍ଟାକରି ତୁମର ଖବର
ରଖୁଚି ମୁଁ।ଶୁଣେ ନିତି ତୁମପରି ବହୁ ଝିଅଙ୍କର
ପାଠପଢ଼ା କଥା, ଯେଣୁ ତୁମଙ୍କୁ ମୁଁ ଜାଣେ ଭଲକରି
ଯା ଶୁଣେ ତୁମରି କଥା ରହିଯାଏ ମନରେ ମୋହର।
ତୁମେ ବି କରୁଚ ଅବା ନ କରୁଚ ସେଥିରେ ମୋହର
ଲାଭ କ୍ଷତି କିଛି ନାହିଁ; ମତେ ଦିନେ ଭଲ ପାଉଥିଲ
ସେଥିପାଇଁ କହୁନି ମୁଁ ତୁମେ ଆଉ ପ୍ରେମ କରନାହିଁ-
ତୁମ ପ୍ରେମ କଥା ଶୁଣି ହୋଇନି ମୁଁ କେବେ ଈର୍ଷାପର।
ଦୁଃଖ ମୋର ଖାଲି ସେଇ ସିଗାରେଟ୍ କେଶ୍ଟାକୁ ନେଇ
ତୁମେ ଯା କହିଛ ମିଛ-କେଉଁ ଏକ ପ୍ରଦର୍ଶନୀ ଦେଖି
ତୁମେ ତାହା କିଣି ନାହଁ; ଅତି ଛୋଟ ଛୋଟ ଅକ୍ଷରରେ
ଉପହାର ଦାତା ପରା ନାମଟା ମୋ ଦେଉଥିଲେ ଲେଖି।
ଡକ୍ଟର ମହାନ୍ତି ମୋର କ୍ଲାସ୍ମେଟ୍-ହାତରେ ତାହାର
ସିଗାରେଟ୍ କେଶ୍ଟାକୁ ଦେଖି ମୋର ଅପମାନ ଲାଗେ,
ତଥାପି ମୁଁ ତୁମପାଇଁ ସତକଥା କହିବିନି ତାକୁ
କହୁନି ଫେରାଇ ଆଣ ଦେଇଛ ଯା ତାହାକୁ ସରାଗେ।
ମୁଁ ତୁମକୁ ବ୍ଲାକ୍ମେଲ୍ କରୁଅଛି ଭାବନି ଚନ୍ଦ୍ରମା
ତୁମଠାରୁ ପାଇବାକୁ ଅଛି କିଛି ମୁଁ ତ ଭାବୁନାହିଁ,
ସେଇ ସିଗାରେଟ୍ କେଶ୍ ମୋର ବୋଲି ଏଇ ଚିଠି ଲେଖି,
କେବଳ ତୁମଙ୍କୁ ଆଜି ଦେଉଅଛି ମୁଁ ମନେ ପକାଇ।