ଅରଣ୍ୟ ମନ


ଏ ମନ ଅରଣ୍ୟ ଏକ

ଘନ ଘଞ୍ଚ ଗହନ ନିବିଡ଼,

ଅସଂଖ୍ୟ ପାଦପେ ଭରା

ସ୍ତୁପୀକୃତ ଶିଳାମୟ,

ଦିଗେ ଦିଗେ ଗୁଳ୍ମଲତା, କଣ୍ଟକର ଭିଡ଼,

ଘନ ଘଞ୍ଚ ଗହନ ନିବିଡ଼।

 

ଗଭୀର ଏ ବନଭୂମି

ଛା଼ୟା ଅନ୍ଧକାରେ,

ଦିବାନିଶି ସକାଳ ସନ୍ଧ୍ୟାରେ,

ସୂର୍ଯ୍ୟ ନାହିଁ ଚନ୍ଦ୍ର ନାହିଁ

ତାର ମେଘ ମେଦୁର ଆକାଶେ,

ପଥପ୍ରାନ୍ତ ହୀନ ସେଇ

ଅରଣ୍ୟକୁ ଯିବାପାଇଁ

ମନେଭୟ ଆସେ।

 

ଏ ମନର ଅରଣ୍ୟର କେଉଁ ଏକ ଶିଖରରୁ

ଝରିଆସେ ଓଷ୍ଠାଧାରେ

ବେଗବତୀ ସ୍ମିତିର ଝରଣା

ବନ କନ୍ୟା ଚପଳ ଚରଣା

ନୟନେ ପ୍ଳାବନ ସୃତି

ବହିଯାଏ ଛଳ ଛଳ

କେତେ ଅଶ୍ରୁନଦୀ,

ଭରିଦିଏ କେଉଁ ଏକ ଦୂର ମହୋଦଧି।

 

ଏ ଗହନ ଅରଣ୍ୟର

କେଉଁ ଏକ ତିମିରିଳ ଗୁହା- ଅଭ୍ୟନ୍ତରେ

କରେ ଅଧିବାସ,

ବହୁରୂପୀ ଏକ ପଶୁ

ଘନକୃଷ୍ଣ, ଅତିକାୟ

ହିଂସ୍ର ଓ ବର୍ବର

ଆଦିମ ପୁରୁଷ।

 

ଏ ମନର ଅରଣ୍ୟର

ସେ ଯେ ଏକଛତ୍ର ଅଧିପତି

ଅଲକ୍ଷ୍ୟ ଇଙ୍ଗିତେ ତା’ର

ପ୍ରତିପଦେ ପରାହତ

ମାନବର ସଭ୍ୟତା, ସଂସ୍କୃତି।

 

 

 




+ -