ଏ ମନଟା ଏଡ଼େ ଦୁଷ୍ଟ, ଏଡ଼େ ଅମାନିଆ
ବାଉଳା ପବନପରି ଚଗଲା ଚଞ୍ଚଳ,
କିଛି କଥା ଶୁଣେନାହିଁ
କିଛି କଥା ମାନେନାହିଁ
ମତେ ଖାଲି କରେ କଲବଲ।
ମୁଁ ତାକୁ କହିଲି କେତେ
ଧନ ମୋର, ସୁନା ମୋର
ଖରାରେ ବୁଲନା ବାପ,
ବରଷାରେ ଖେଳି ବୁଲି ଓଦା ହୁଅନାରେ,
ଏଇ ଶୀତ କାକରରେ ବାହାରେ ବୁଲନା ବାବୁ
ଆ’ ମୋ କୋଳକୁ ଆ-
ଟିକିଏ ସେ କାହିଁକି ଶୁଣନ୍ତା!
ଖରାରେ ସିଝିଲା, ବୁଲି ହେଲା କଳାକାଠ,
ବରଷାରେ ଭିଜି ହେଲା ଓଦା ସରବର।
ମତେ କଲା ହନ୍ତସନ୍ତ-
କନ୍ଦେଇଲା ଦିନରାତି ଭୟ ଭାବନାରେ।
ଏଡ଼ିକି ସେ ବଗୁଲିଆ
ଆଦରରେ ଯାହାଦେଲେ ଫିଙ୍ଗିଦିଏ
ଛୁଏଁ ନାଇଁ କିଛି,
ଥୁ ଥୁ କରି କାଢ଼ିଦିଏ ସର ଓ ଲବଣୀ
ପୁଣି ତା ଚୋରାଇ ଖାଏ ପିଢ଼ାପରେ ପିଢ଼ାମାନ ଥୋଇ,
ଭଲପାଏ ଲୁଚି ଲୁଚି ଖାଇବାକୁ ମାଟି।
ଅଝଟ ସେ ଏଡ଼େ ପୁଣି
କାନ୍ଦି କାନ୍ଦି ତଳେ ଗଡ଼ିଯାଏ,
ବୁଝେନାଇଁ କିଛି କଥା ଯେତେ ବୁଝାଇଲେ,
ମାଗିବସେ ଆକାଶର ଚାନ୍ଦ।
ସେ ଚାନ୍ଦକୁ ଆଣି ହାତ ପାଆଁତାରେ ଦେଲେ
ଅନାୟାସେ ଫିଙ୍ଗିଦେଇ
ମାଗିବସେ ଆଉକିଛି ଦୁର୍ଲ୍ଲଭ, ଦୁଷ୍କର।
ଯାହାକିଛି ଚାହେଁ ନାହିଁ ତାହା,
ଯାହା ନାହିଁ ତାହା ପାଇଁ ହୁଏ ଖାଲି
ଆକୁଳ ବ୍ୟାକୁଳ।
ସାଗରର ଢ଼େଉପରି ଅଶାନ୍ତ ଅସ୍ଥିର
ଦଣ୍ଡେ ହେଲେ ତାକୁ ଘରେ ପାରନ୍ତି କି ରଖି!
ହେଇଟି ବୋଇଲେ ଯାଇ ଉଠଇ କେଉଁଠି,
ତା ପଛେ ମୁଁ ଧାଇଁଥାଏ ଦିନରାତି କେତେ ଆଦରରେ
ଧରିବାକୁ କୋଳକରି, ବୁକୁପରେ ଚାପି
ମୋ ରଙ୍କୁଣୀ ଧନଟାକୁ-
ଦରିଦ୍ର ପସରା ମୋର ଗଣ୍ଠି ସଂଖାଳିକୁ।
ଏଡ଼େ ସେ ଅବୋଲକରା
ଯାଆନା କହିଲେ ଯାଏ
କରନା କହିଲେ କରେ-
ଅବାଟରେ ଯାଇ ଝୁଣ୍ଟେ, କଣ୍ଟାମାଡ଼େ
ଗୋଡ଼ ହାତ ଭାଙ୍ଗିବସେ-
ହୁଏ ପୁଣି ସେ ଲହୁଲୁହାଣ
ଆକୁଳେ ରୋଦନ କରେ-
ଏଡ଼ିକି ଉଦଣ୍ଡ ସିଏ,
ସବୁପୁଣି ଭୁଲିଯାଏ ହେଳେ-
ମୁହୂର୍ତ୍ତକ ପରେ ଦେଖେ ଯେ କଥାକୁ ସେଇକଥା ପୁଣି।
ଆକଟ ମାନେନା କେବେ
ଭଲକଥା ଯେତେ କହେ
ଏ କାନରେ ପଶି ତାର ସେ କାନରେ ଯାଏ ।
କାହାର କଳସୀ ଭାଙ୍ଗେ,
କାହାକୁ ଲବଣୀ ମାଗେ,
କାହାକୁ ଯମୁନା ଘାଟେ କରେ ହରବର,
ବୋଲଣା ପଣରେ ତାର ଗୋପପୁରେ ବସିଲାଣି ହାଟ।
କଅଣ କରିବି ସତେ
ମୋର ଏଇ ଅମାନିଆ ଧନଟାକୁ ନେଇ,
ସତେ ସେ ମଣିଷ ହେବ
ଗଣାହେବ ପାଞ୍ଚଟାରେ ଜଣେ,
ଅନ୍ଧର ଲଉଡ଼ି ମୋର ତାହାବିନା
ବଞ୍ଚି ମୁଁ ତ ପାରେନାଇଁ କ୍ଷଣେ-
ତାହାଲାଗି ସରେନାହିଁ ମୋର ଦିନରାତି।
ମୋର ସାତ ସପନର ମାଣିକ ଚାନ୍ଦ ସେ,
ମୋର ଲକ୍ଷ ତପସ୍ୟାର ଫଳ।
ମୁଁ ମନାସେ ଶୁଭ ତାର ସଂଜ ଓ ସକାଳେ
ସିଏ ସତେ ଠିଆହେବ ଆପଣା ଗୋଡ଼ରେ,
ଉଜ୍ଜ୍ବଳିବ ଆପଣା ଦୀପ୍ତିରେ!
ମୁଁ ଦେଖିବି, ଧନ୍ୟ ହେବି-
ମୁଁ ଖାଲି ଆକୁଳି ହୁଏ ଆଶା ଆଶଙ୍କାରେ।