ମୁଁ ଅସୀମ ଭଲପାଏ
ମୁଁ ଅସୀମ ଦୁଃଖପାଏ
ଦୂଇ ମୋର ଏକ ଅନୁଭୂତି,
ମର୍ମାନ୍ତିକ ବେଦନାର ଛନ୍ଦେ ଛନ୍ଦେ ରୂପପାଏ
ମୋ ପ୍ରେମର ବିପୁଳ ବିସ୍ତୃତି।
ମୁଁ ବହିଚି ଶିରେ ମୋର
ସୁନିବିଡ଼ ପ୍ରଣୟର
କଣ୍ଟକ-ମୁକୁଟ,
ମୁଁ ହେଉଛି କ୍ରୁଶବିଦ୍ଧ
ଶୋଣିତ ଧାରାରେ ମୋର
ହୃଦୟର ପ୍ରୀତି ପରିସ୍ଫୁଟ।
ମୁଁ କରେ ପ୍ରଣୟ ପୂଜା
ଅଶ୍ରୁର କମଳେ,
ନୀରବ ବେଦନା ମୋର ପ୍ରଣୟର ଗାନ
ବିଦଗ୍ଧ ହୁଏ ମୁଁ ନିତି ପ୍ରେମ ତୁଷାନଳେ।
ନ ଆସିବ ଫେରିଯିଏ
ମୁଁ କରଇ ଏକ ମନେ
ପ୍ରତୀକ୍ଷା ତାହାର,
ନ ପାଇବି ଯାହା କେବେ
ତାହାକୁ ପାଇବା ପାଇଁ
ଅବିଚଳ କାମନା ମୋହର।
ମୋ ବୁକେ ଅସୀମ ତୃଷ୍ଣା
ପରାହତ କାମନାର ଜ୍ବାଳା,
ଅଯାଚିତେ ବହିଚି ମୁଁ ସୃଷ୍ଟି ବେଦନାର
ସେ ଯେ ମୋର ପ୍ରେମ ବରମାଳା।
ପ୍ରେମର ପ୍ରତୀକ ମୋର
ଶରାହତ ଗୋଟିଏ କପୋତ,
କୀଟଦ୍ରଂଷ୍ଟ ଗୋଟିଏ କମଳ,
ଜ୍ବଳମାନ ମୋର ଚିତାନଳ।
ପ୍ରେମ ମୋର ବ୍ୟଥା
ଆଉ ବ୍ୟଥା ମୋର ପ୍ରେମ,
ମୁଁ ପ୍ରେମିକ ଚିରନ୍ତନ
ତେଣୁ ମୁହିଁ ଦୁଃଖୀ ଚିରଦିନ।