॥ ୧॥
ତୁମେ ଯେବେ ଅଦୁରେ ସେ ବାତାୟନ ପାଶେ
ହେଉଥିବ ଉଭା
ଦେଖୁଥିବି ପ୍ରତିଦିନ ନୀରବ ଉଦାସେ
ତୁମ ରୂପ ଶୋଭା,
ଅପଲକ ନୟନେ ମୁଁ କରୁଅଛି ପାନ
କରୁଛି ତୁମରି ପ୍ରତି ଭଙ୍ଗୀଟି ଭିତରେ
ଅମୃତ ସନ୍ଧାନ।
॥ ୨॥
ତୁମ ରୂପ ମୁଗ୍ଧ ମୁହିଁ ପ୍ରୀତି ଅଭିଳାଷୀ
ଭାବୁଥିବ ମନେ
(ମୋ ଲାଗି କି ଜାଗେ କେବେ ପ୍ରୀତିର କମ୍ପନ
ମନେ ସଂଗୋପନେ?)
ବେଳେ ବେଳେ ଅପରୂପା ତୁମ ଦୃଷ୍ଟି ପାତ
ଅବଶ୍ୟ ମୋ ମନ ଛୁଏଁ କରିଯାଏ ମତେ
ଟିକିଏ ବିଭ୍ରାନ୍ତ।
॥ ୩॥
ତଥାପି ତଥାପି ସତ ମୁଁ ନୁହେଁ ତୁମର
ପ୍ରୀତି ଅନୁରାଗୀ,
ତୁମଙ୍କୁ ଛୁଇଁବାପାଇଁ ବାସନା ମୋ ମନେ
ଉଠିନାହିଁ ଜାଗି।
ତୁମର ପଣୟ ପାଇଁ ବ୍ୟାକୁଳ କାମନା
ମୋ ପୁଲକେ ଦେଇନାହିଁ ମିଶାଇଗୋ କେବେ
ଗୋପନେ ବେଦନା।
॥ ୪॥
ତୁମଙ୍କୁ ଦେଖିବା ଲାଗି ବାତାୟନ ଦେଇ
ମତେ ଭଲ ଲାଗେ,
ଅଦୁରୁ ତୁମଙ୍କୁ ଦେଖି ମୋ ପ୍ରିୟା ବିଭ୍ରମ
ଯେଣୁ ମନେ ଜାଗେ।
ସେଇ ରୂପ, ସେଇ ଭଂଗୀ ପ୍ରାୟ ସେଇ ମୁଖ
ପ୍ରିୟାର ବିରହେ ମତେ ଦେଇଯାଏ ପ୍ରିୟା।
ଦରଶନ ସୁଖ।
॥ ୫॥
ତୁମେ ମୋ ପ୍ରତୀକ ମାତ୍ର,ମୋର ପ୍ରେମାସ୍ପଦା
ପ୍ରିୟାର ପ୍ରତିମା,
ତୃଷା କି ପୂରଣକରେ ଦୂର ଆକାଶର
କୋମଳ ନୀଳିମା।?
ରୂପାତୀତ ପ୍ରୀତିମୟ ଦେବତା ଉଦ୍ଦେଶ୍ୟେ
ପୂଜାରୀ କରଇ ସିନା ଭକ୍ତି ନିବେଦନ
ପ୍ରତିମାର ପାଶେ?
॥ ୬॥
ତଥାପି ଗୋ ରୂପବତୀ ପ୍ରଣୟ ଆବେଶେ
ଭାବାତୁର ମନେ
ରହିଥିବି ଯେବେ ଯହିଁ ମୋ ଅନ୍ତରତମା
ପ୍ରିୟାର ଗହଣେ।
କରିବି ମୁଁ ନୀରବରେ ତୁମରେ ସ୍ମରଣ
ପ୍ରିୟାର ରୂପରେ ଆଗୋ କରିବି ତୁମର
ରୂପ ଦରଶନ।
୮.୨.୬୨
କଟକ