ବାଘକୁ ମୁଁ ଡରେ ନାହି-
ହଳଦିଆ ଦେହେ ତାର ପଟା ପଟା କଳାଦାଗ ଦେଖି,
ଅବା ତା ହେଣ୍ଟାଳ ଶୁଣି
ଅବା ଶୁଣି କାହାକୁ ସେ ଝାମ୍ପିନେଇ
ଖାଇଗଲା ଝୁଣି।
ପଡ଼ିଲେ ବାଘର ନାଁ ଜଙ୍ଗଲରେ
ଅବା ଘନ ଗହନ ରାତିରେ
ଛାନିଆ ମୁଁ ହୁଏ ନାହିଁ,ରକ୍ତ ମୋର ହୁଏନାହିଁ ପାଣି।
ମତେ ଭାରୀ ଭଲଲାଗେ କରିବାକୁ ବାଘକୁ ଶିକାର
ଗହନ ବନରେ ପଶି, ତାର ଖୋଜ ଉଣ୍ଡି ଉଣ୍ଡି
ଝରଣା କୂଳରେ।
ଶୁଣିଲେ ମାତିଛି ବାଘ ମୋ ରକ୍ତରେ ନିଆଁ ଲାଗିଯାଏ,
ଭଲ ଲାଗେ ଗୁଳି କରି ମାରିବାକୁ ମଞ୍ଚାର ଉପରୁ
ମଢ଼କୁ ଖାଇବା ଲାଗି ଉଦ୍ୟତ ବାଘକୁ।
ବାଘକୁ ଦେଖିଲେ ବଣ ଜଙ୍ଗଲରେ
ମୋ ମନରେ ଆସେ ଭୀମବଳ,
ତା ତାଳୁକୁ ଲକ୍ଷ୍ୟକରି ମାରିବାକୁ ଗୁଳି ବନ୍ଧୁକରୁ
ମୁଁ ଅସ୍ଥିର ହୋଇଉଠେ-
ମୁଁ ଜାଣେ ନା ବାଘ ମୋର ପ୍ରିୟ ଶତ୍ରୁ
ଅବା ପ୍ରିୟ ମିତ୍ର ସେ ମୋହର।
ମତେ କିନ୍ତୁ ଭୟଲାଗେ ସେ ବାଘକୁ
ଯିଏ ମୋଟେ ବାଘପରି ଦେଖିବାକୁ ଚାହେଁ,
ଯାହାର ଉଦାସ ଆଖି ନିଆଁପରି ତେଜୀୟାନ,
ଛୁରୀପରି ଗଳିଯାଏ ଛାତି ଭିତରକୁ;
ମୁହୂର୍ତ୍ତକେ କଳିନିଏ ଭିତରର ସବୁ ଅନ୍ଧକାର,
ଭୟଲାଗେ ସେ ବାଘଟା କାଳେ ଝାମ୍ପିପଡ଼ି
ତାର ସ୍ନିଗ୍ଧ ଆଲିଙ୍ଗନେ କାବୁ କରିଦେଇ
ଖିନ୍ଭିନ୍ କରିଯିବ ଖାଇ ମୋର ସମଗ୍ର ସତ୍ତାକୁ।
ଆଖି ପିଛୁଳାକେ ନେବ ଶୋଷି ମୋର
କଳା କଳା ରୂଧିର ସ୍ରୋତକୁ।
ମିଠା ମିଠା ତା ନିଃଶବ୍ଦ ହସର ହେଣ୍ଟାଳ
ଶୁଣିଲେ ମୋ ମନେ ହୁଏ
ପଡ଼ିବି କି ଖସି ଠିକ୍ ତାର ଥାବା ତଳେ
ନିରାପଦ ମଞ୍ଚାର ଉପରୁ!
ରକ୍ଷା କେହି ପାଏ ନାହିଁ ସେ ବାଘର ମୁହାଁମୁହିଁ ହେଲେ;
ସେ ବାଘଟା ଯେତେବେଳେ ଘୂରୁଥାଏ ଶିକାର ସନ୍ଧାନେ
ପ୍ରାଣ ଭୟେ ମୁଁ ବୁଲଇ ଲୁଚି ଲୁଚି
ଘନ ଘୋର ବନସ୍ତରେ ଅବା ଲୋକ ଗହଳି ଭିତରେ।