ତୁମେ କହ ଅପସରି ଯିବ ଏଇ ରାତ୍ରିର ତମସା
ଅପସରି ଯିବ ଏଇ ଆକାଶରୁ ମେଘର ଓଢ଼ଣା,
ଆଲୋକର ଶୁଭ୍ର ସ୍ମିତି ଝରି ଝରି ପଡିବ ବିନମ୍ରେ,
ପ୍ରଭାତର ପ୍ରୀତି ସ୍ପର୍ଶେ ବହିଯିବ ପ୍ରାଣର ଝରଣା।
ମୁଁ କିନ୍ତୁ ପାରୁନି ଭାବି ସୁଦୂର ସେ ପ୍ରଭାତର କଥା,
ଏ ରାତ୍ରିର ଅନ୍ତହୀନ ଅନ୍ଧକାର ଶେଷ ହେବ ନାହିଁ,
ଅନ୍ଧକାର, ଅନ୍ଧକାର ଖାଲି ଗାଢ଼ ଅନ୍ଧକାର ଛଡ଼ା,
ମୋ ମନରେ ଆଶାନାହିଁ ଆଉକିଛି ଦେଖିବାର ପାଇଁ।
ମୁଁ ଗଢେ ଆଶାର କୋଟି ପୁତ୍ତଳିକା ସୁନ୍ଦର ସୁଠାମ
ଗୋଟିଏ ସେଥିରୁ କେବେ ପାଇନାହିଁ ଏ ଯାଏ ଜୀବନ,
ଶିଶୁପରି କେତେ ଦିନ ସେମାନଙ୍କୁ, ମଣି ମୁଁ ଜୀବନ୍ତ
ଖେଳିବ କହତ ଆଉ-ବାରମ୍ବାର ପ୍ରଶ୍ନ କରେ ମନ।
ଜୀବନର ସ୍ବାଦପାଇଁ ବାରମ୍ବାର କରେ ମୁଁ ଉଦ୍ଯୋଗ
ପ୍ରତିପଦେ ବାଧା ବିଘ୍ନ-ଅବଶେଷେ ହୁଏ ପରାଜିତ,
ଆପଣାକୁ ଶକ୍ତି ହୀନ ଜାଣି ତେବେ ବିଜୟ ଆଶାରେ
ନିଜକୁ କରିବି କିମ୍ପା ନିର୍ବୋଧର ସମ ପ୍ରତାରିତ।
ତୁମର ଉତ୍ସାହ ବାଣୀ ମୋ ମନରେ ନ ଆଣେ ଚେତନା,
ବାରମ୍ବାର ପରାଜିତ ହୋଇ କିଏ ହେଲା ଅବଶେଷେ
ବିଜୟ ଶ୍ରୀ ବିମଣ୍ଡିତ-ତାହା ଜାଣି ଲାଭ ମୋର ନାହିଁ,
ଅନ୍ୟର ଗୌରବ ଗାନ କରିବାକୁ ଲଜ୍ୟାମନେ ଆସେ।
ଆଶାର ବିରୁଦ୍ଧେ ଆଉ କରିବାକୁ ଆଶା, ମନେମୋର
ସାହାସ ନ ଆସେ, ଯାହା ପାରୁଅଛି ବୁଝି ସୁଗଭୀରେ
ବୁଝି ନାଇଁ ବୋଲି ପାଉ ନାହିଁ ଆଉ ଆଶ୍ବାସନା
ମରୁ ବୁକେ ରହି କେବେ ଭ୍ରମିବି ମୁଁ ସ୍ବପ୍ନ-ନଦୀତୀରେ।
ମୁଁ ଜାଣିବି ଏ ଅନ୍ଧାର ଏ ଜୀବନେ ଶେଷ ହେବନାଇଁ,
ଆଲୋକ ଆସିବ ଯଦି,ଆଲୋକର ପରମ ଉତ୍ସବେ
ଭାଗନେବା ପାଇଁ ମୋର ଭାଗ୍ୟନାଇଁ-ଆଲୋକ ଆଶାରେ
ନିଜକୁ ଆଶ୍ବାସ ଦେବା ସମ୍ପାଦିବା ସିନା ଅସମ୍ଭବେ।
ଅଦୃଶ୍ୟ ପୁରୁଷ ଏକ ଅଛି ରହି ଜ୍ଞାନ ଅନ୍ତରାଳେ
ନଷ୍ଟ କରି ନୀଡ଼ କାର, ଦେଇ ଅବା କାହାକୁ ବେଦନା,
କ୍ଷମତାନ୍ଧ କରୁଅଛି କ୍ଷମତାର ନିତ୍ୟ ଅପଚୟ,
ଆନନ୍ଦ ପାଉଚି ଭାଙ୍ଗି ଶିଶୁପରି ଅନ୍ୟର ସାଧନା।
ଏ ଜୀବନେ ସୁଖ ନାହିଁ, ସୁଖ ଅଛି ଏ ଜୀବନ ପରେ
ଏଇ ଭଳି ଆଶା ମଧ୍ୟ ବୃଥା ଆଉ ଶୂନ୍ୟ ଅକାରଣ
ଅଶ୍ରୁରେ ବଦନ ଧୋଇ ମୁଖ କରି ଚିର ଅବନତ
ଚାଲିବାକୁ ଲଭିଚି ମୁଁ ଧରାପରେ ମଣିଷ ଜୀବନ।