ମୁଁ ତୁମଙ୍କୁ ଭିଡି ରଖି ବକ୍ଷପରେ ଦୃଢ଼ ଆଲିଙ୍ଗନେ
ଭରିଦିଏ ତୁମ ଓଷ୍ଠ ଅଧରରେ
ମରାଳ ଗ୍ରୀବାରେ
ଅସଂବୃତ ସ୍ତନ କମଳରେ
ଅଜସ୍ର ଚୁମ୍ବନେ
ତଥାପି ଶିଥିଳ ସଖି ହୁଏନାହିଁ ମୋ ଭୁଜ ଆଶ୍ଳେଷ
ହୁଏ ନାହିଁ ତୁମ ଓଷ୍ଠ ଅଧରରୁ ଅମୃତର ଶେଷ
ଯେତେ ପାଏ ସେତେ ଚାହେଁ
ମୋ ଅନ୍ତରେ ମନ୍ମଥର ଅନନ୍ତ ପିପାସା
ପ୍ରତି ସ୍ପର୍ଶେ ନିବେଦିତ ହୋଇଯାଏ ଯେତେଭାବ
ତାହାପାଶେ ପରାହତ ଭାଷା।
ଦୁଇଧାର ନଦୀ ପରି ଆମେ ମିଶି ମିଶି ଯାଉ
ପ୍ରତି ତରଙ୍ଗରେ
ପ୍ରତିଟି ବିନ୍ଦୁରେ
କାମନା ସିନ୍ଧୁରେ
ବାରମ୍ବାର
କ୍ଲାନ୍ତି ନାହିଁ ଶାନ୍ତି ନାହିଁ
ମନେ ହୁଏ ଶେଷ ନାହିଁ ତାର।
କେତେ ଦେଉ କେତେ ପାଉ
ପରସ୍ପର ଚେତନାରେ ହଜିହଜି ଯାଉ
-୨-
ତଥାପି ଆସିବ ଦିନ
ଏକ ଲଗ୍ନ ଶେଷ ଶୃଙ୍ଗାରର
ବନ୍ଧନ ଶିଥିଳ ହେବ,
ତନୁର କାମନା ହେବ
ତୁଳନୀୟ
ଦାହହୀନ ଏକ ଅଂଙ୍ଗାରର।
ଅତନୁ ତା ପୁଷ୍ପଧନୁ ଧରି
ଯେତେ କ୍ଷତ କରିଥିଲା
ଅଂଗେ ଅଂଗେ ପ୍ରାଣେ ପ୍ରାଣେ
ନିମିଷକେ ଯିବା ତା ବିସ୍ମରି
ଆଉ ଆମେ ହେବା ନାହିଁ ସ୍ପର୍ଶାତୁର
କେଉଁ ଏକ ମଧୁ ମୁହୁର୍ତ୍ତର
ଅନାହତ ଆନନ୍ଦରେ ହେଜି
ଭୁଜ ଆଉ ଚରଣର ଶୃଂଖଳରୁ ମୁକ୍ତ କରି
ଆପଣାକୁ ଠିଆ ହେବା
ଫୁଲ ଶଯ୍ୟା ତେଜି-
-୩-
ତାହାପରେ-
ଆମେକି ଦେଖିବା ସଖି
ତନୁରୁ ତନୁକୁ କରି ଏହିପରି ଛିନ୍ନ
ଏ ଶେଷ ଶୃଙ୍ଗାର ଅନ୍ତେ
ଆମେ ନୋହୁଁ ପୂର୍ବପରି ଏକ ଓ ଅଭିନ୍ନ?
ଆମେ ଦ୍ବିଧା ହୋଇ ଯିବା?
ବହିଯିବା ଫୁଣି ଦୁଇ ଧାରେ?
ଆମେ କି ଦେଖିବା ଭ୍ରାନ୍ତି
ଲୀଳାୟିତ ତନୁ ତଳେ
ମିଳନର ଛନ୍ଦେ ଛନ୍ଦେଆମର
ସେ ଆତ୍ମସତ୍ତା ହଜାଇ ଦେବାରେ?ନା-
ସେତେବେଳେ ହୋଇଥିବା ତୁମେ ମୋର
ମୁଁ ତୁମର –ସଂପୂ଼ର୍ଣ୍ଣ ତୁମର।
ଯେପରି ଅଖଣ୍ଡ ଭାବେ ପରସ୍ପରେ ଚାହିଁଥିଲେ-
ସେହିପରି ପାଇଥିବା –ଅବିକଳ ଅଖଣ୍ଡ ସୁନ୍ଦର
ସେ ପାଇବା ନିରଙ୍କୁଶ,
ସେ ପାଇବା ସଂଶୟରୁ ମୁକ୍ତ
ତୁମେ କେଉଁ ତରୁଣକୁ ଚାହିଁଥିଲ ଲଜ୍ଜା ଛାଡି,
ଅବା କେଉଁ ତରୁଣୀ କୁ ମୁଁ କହିଲି ହସି କଥା
ଏହିପରି ଅବାନ୍ତର ଯେତେସବୁ ଅଭିଯୋଗୁ
ସଂପୂର୍ଣ୍ଣ ବିଯୁକ୍ତ
ପରସ୍ପରେ ରଖିବାକୁ ବାନ୍ଧି
ଆଉ ହେବନାହିଁ ଲୋଡା
ଭୁଜ ଆଲିଙ୍ଗନ
କର ଆଉ ଚରଣ ବନ୍ଧନ
ମୁଁ ତୁମକୁ ଛୁଉଁଥିବି ମୋ ଅନ୍ତରେ
ତୁମେ ମୋତେ ପାଇଥିବ ତୁମରି ଭିତରେ,
ପରାଜୟ ମାନିଥିବ ଭାଷା
ଯେଉଁ ପରି ମାନିଥିଲା ବହୁବାର
ମିଳନର ମଧୁ ମୂହୁର୍ତ୍ତରେ।
ସେଇ ଶେଷ ଶୃଙ୍ଗାରରେ
ଅଭିମାନୀ ଅନଙ୍ଗକୁ ଭସ୍ମୀଭୂତ କରି,
ହୋଇଥିବା ଆମେ ସଖି ଶିବ ଶାକମ୍ବରୀ।
ଯୌବନର ଯେତେ ସ୍ବପ୍ନ
ପ୍ରତିଶୃତି ଯେତେସବୁ ଆଦ୍ୟ ପ୍ରଣୟର
ସେତେବେଳେ ଲଭିବ ଗୋ ବାସ୍ତବ ପ୍ରକାଶ
ଆମେ ହେବା ବାକ୍ ଅର୍ଥ, ଧରା ଓ ଆକାଶ।