ନିର୍ଜନ ଏଇ କାଳର କୋଳରେ ଭରି ମୋ ହୃଦୟ କକ୍ଷ
ସମାଗତ କେତେ ଅଲୋଡ଼ା ଅଖୋଜା ଅଜଣା ଭାବନା ଲକ୍ଷ।
ପଲକ ପୀରତି ରସେ ରସାୟିତ
ବେଦନା ବିରହ ବିଷେ ବିଷାୟିତ-
ସ୍ମୃତି କଳପନା ଆଶା ନିରାଶାରେ ଆଲୋଡ଼ିତ ହୁଏ ବକ୍ଷ।
ସମାଗତ କେତେ ଅଲୋଡ଼ା ଅଖୋଜା ଅଜଣା ଭାବନା ଲକ୍ଷ।
ବହୁ କଙ୍କିଳ ଏ ଜୀବନ ପଥେ ଘୂରି ଘୂରି ମୁଁ ଯେ କ୍ଳାନ୍ତ
କି ଚାହେଁ ନ ବୁଝେ କି ଖୋଜେ ନ ଜାଣେ ଲକ୍ଷ୍ୟହୀନ ମୁଁ ପାନ୍ଥ,
ଯେ ପୁଲକ ପାଇ ହୋଇଚି ମୋହିତ
ରହିଚି ଅଶେଷ ଦୁଃଖ ନିହିତ
ଜାଣି ଅବଶେଷେ ହୋଇଚି ଆହତ, ମଣିଚି ଆପଣେ ଭ୍ରାନ୍ତ
କି ଚାହେଁ ନ ବୁଝେ କି ଖୋଜେ ନଜାଣେ ଲକ୍ଷ୍ୟହୀନ ମୁଁ ପାନ୍ଥ।
କି ପାଇଚି ଅବା କାହିଁକି ପାଇଚି!ପ୍ରାଣ ତ ହୋଇନି ତୃପ୍ତ
ସବୁ କିଞ୍ଚିତ,ଆପଣେ ଜାଗି ସେ ଆପଣେ ହୋଇଲେ ଲୁପ୍ତ।
ସବୁ ମୋ ବିକଳ ମାନସର ମାୟା
ଧରିଲେ କେବଳ କାମନାର କାୟା-
ଛାୟା ସମ ସବୁ ଅପସରି ଗଲେ ହୃଦୟ ରହିଲା ସୁପ୍ତ
ସବୁ କିଞ୍ଚିତ ଆପଣେ ଜାଗି ସେ ଆପଣେ ହୋଇଲେ ଲୁପ୍ତ।
କି ଦେଇଚି ଅବା କିଏ କିବା ଦେବ ସକଳେ ମୋ ପରି ରିକ୍ତ,
ନ ପାଇବା ବ୍ୟଥା କରିଚି ସବୁରି ନୟନ ଲୋତକ ସିକ୍ତ,
ସବୁ ଅନ୍ତରେ ଲଭିଚି ପ୍ରକାଶ
ମହା କ୍ଷୁଧା ଏକ କରେ ସବୁ ଗ୍ରାସ,
ପାଇବା ଭ୍ରମରେ ଯାହା ମୁଁ ପାଇଚି ସବୁ କଟୂ ସବୁ ତିକ୍ତ।
କି ଦେଇଚି କରେ କିଏ କିବା ଦେବ ସକଳେ ମୋପରି ରିକ୍ତ।
ସୁନ୍ଦର ମତେ ଆକୁଳ କରିଚି, କରିଚି ମାନସେ ମୁଗ୍ଧ
ପ୍ରୀତି ଛଳନାରେ ସତ୍ୟ ମଣି ମୁଁ ହୋଇଚି ଲୋଲୁପ ଲୁବ୍ଧ।
କାଳର ପରଶେ ହେଲେ ସବୁ ମ୍ଳାନ
ବ୍ୟର୍ଥ ପୀରତି ମାନ ଅଭିମାନ,
ନ ପାଇ ବି କିଛି ହରାଇଲି ବୋଲି ଅନ୍ତର ହୁଏ କ୍ଷୁବ୍ଧ
ପ୍ରୀତିଛଳନାରେ ସତ୍ୟ ମଣି ମୁଁ ହୋଇଚି ଲୋଲୁପ ଲୁବ୍ଧ।
ନଶ୍ବର ସବୁ ଦେଖେ ମୁଁ ଜଗତେ, ତୁଚ୍ଛ ସକଳ କାନ୍ତି,
ସକଳ ମିଥ୍ୟା-ମାୟା-ସମ୍ମୋହ,ସକଳ ମନର ଭ୍ରାନ୍ତି।
ସବୁ ଅଗଭୀର ନ ପାଇଲି ତୋଷ,
ରହିଲା ହୃଦୟ ଭରି ଅବଶୋଷ,
ସବୁ ଯେ ସ୍ବଳ୍ପ ସବୁ ସୀମାୟିତ ଅଳ୍ପେ ନାହିଁତ ଶାନ୍ତି।
ସକଳ, ମିଥ୍ୟା-ମାୟା-ସମ୍ମୋହ, ସକଳମନର ଭ୍ରାନ୍ତି।
ଦେଖୁଚି ନିରେଖି ଜୀବଳ ତୁଚ୍ଛ, ଜଗତ ଅସାର ଶୂନ୍ୟ
ସମାନ ଧରାରେ ସୁଖ ଓ ଦୁଃଖ, ସମାନ ପାପ ଓ ପୂଣ୍ୟ
ଜୀବନର ଯେତେ ମୂଲ୍ୟ ଧାରଣା
ଆପଣାରେ ଯାଏ କରି ପ୍ରତରଣା,
ଅନ୍ଧାରେ ଯିଏ ପ୍ରାଣ ପ୍ରିୟତମ ଆଲୋକେ ସେ ହୁଏ ଘୃଣ୍ୟ
ସମାନ ଧାରାରେ ସୁଖ ଓ ଦୁଃଖ, ସମାନ ପାପ ଓ ପୁଣ୍ୟ।
ଛବିଳ ଛାୟାରେ ଧରିବାକୁ ଯାଇ ଶକ୍ତି କରିଚି ନଷ୍ଟ,
ପାଇବାର ମୋହେ ପୁଲକିତ ହୋଇ ହୋଇଚି ଅୟନ ଭ୍ରଷ୍ଟ-
ମତ୍ତ ଆବେଗ ଆକୁଳ ଆବେଶେ
ସ୍ବର୍ଣ୍ଣ ମାରୀଚ ମୃଗୟାର ଶେଷେ,
ଦେଖଇ କେବଳ ପଥେ ପଥେ ଭରା ଅଶେଷ କଷଣ କଷ୍ଟ,
ପାଇବାର ମୋହେ ପୁଲକିତ ହୋଇ ହୋଇଚି ଅୟନ ଭ୍ରଷ୍ଟ।
କ୍ଷଣିକ ଜୀବନେ ପାଇବାର ମୋହେ ଯେତେ ଗଉରବ ଗର୍ବ
ସକଳ ପାଇବା କାଳ ଅବଦାନ, ଅପହରେ କାଳ ସର୍ବ,
ଭାଗ୍ୟର ହାତେ ହୋଇ କ୍ରୀଡ଼ନକ
ନାଚିବାରେ କାହିଁ ରହିଚି ପୁଲକ!
ନିଜର କି ଅଛି ଭାଗ୍ୟର ଲେଖା ଜୀବନ ଅଠର ପର୍ବ।
ସକଳ ପାଇବା କାଳ ଅବଦାନ, ଅପହରେ କାଳସର୍ବ।
ଅସୀମର ପଇଁ ସୀମା ବନ୍ଧନୁ କାମନା କରେ ମୁଁ ଯୁକ୍ତି,
ଅନ୍ତର ଆଉ ଘେନିପାରୁ ନାହିଁ ଅସାର ଜୀବନ ମୁକ୍ତି।
ତୃଷିତ ଆତ୍ମା ତୃପତିର ଲାଗି
ହୋଇଚି ମୁଁ ଆଜି ସତ୍ୟାନୁରାଗୀ,
ଅନ୍ତହୀନ ସେ ଚିରନ୍ତନର ସ୍ପରଶେ ମୁଁ ଖୋଜେ ତୃପ୍ତି,
ଅନ୍ତର ଆଉ ଘେନି ପାରୁ ନାହିଁ ଅସାର ଜୀବନ ଯୁକ୍ତି।