ତୁମେ ଥିଲ ମୋର କେତେ ଯେ ଅପରିଚିତ
ଥିଲ ବହୁଦୁରେ ମୋର କଳ୍ପନାତୀତ,
ନ ଥିଲା ତୁମରି ପାଇଁ ମୋ ହୃଦୟେ ଥାନ
ଲୋଡ଼ି ନଥିଲି ମୁଁ ତୁମ ଠାରୁ କିଛି ଦାନ
ପିତାମାତା ଭାଇଭଗିନୀ ଓ ପ୍ରିୟଜନ
ସେନେହଁ ସାଗରେ ମୁହିଁ ଥିଲି ନିମଗନ।
ତାଙ୍କରି ସୁଖେ ଫୁଟୁଥିଲା ମୁଖେ ହାସ,
ବ୍ୟଥାରେ ତାଙ୍କ ଲଭୁଥିଲି ମନେ ପ୍ରାସ
ପିତାମାତା ପାଶେ କରୁଥିଲି ସବୁ଼ଅଳି
କରୁଥିଲି ଭାଇଭଉଣୀର ସାଥେ କଳି
ଅତି ପ୍ରିୟଥିଲେ ଆମ ଲୋକ ଆମ ଘର
ତା ବାହାରେ ତୁମେ ଥିଲ କାହିଁ ସାତପର,
ବିଦେଶକୁ ଗଲେ ଘରକଥା ମନେ ଆସି
ଆଣୁଥିଲା ମନେ ଗଭୀର ବେଦନା ରାଶି
ବାପା ମଣୁ ଥିଲେ ବୋଝ ଥିଲି ବୋଲି ମାଥେ
ଦେଲେ ସେ ଅରପି ଅବଶେଷେ ତୁମ ହାତେ।
ତୁମେ ଥିଲ ଦିନେ କେତେ ଯେ ଅପରିଚିତ
ଥିଲ ବହୁଦୁରେ ଥିଲ କଳ୍ପନାତୀତ
ଆଜି ହୋଇଅଛ ତୁମେ ମୋର ପ୍ରିୟତମ
ଆଜି ଦେଖେନାହିଁ କାହାରେ ତୁମରି ସମ
ଆଜି ତୁମ ଛଡ଼ା ମୋରବୋଲି ଆଉ କାରେ
ଭାବିପାରେ ନାହିଁ, ଭୁଲିଚିତ ଆପଣାରେ
ହରାଇଚି ବହୁଜନର ପୀରତି ସତ
ଆଜି ହୋଇ ତୁମ ପୀରତିର ଅନୁଗତ
ଭୁଲିଚି ମୁଁ ତାହା ଭୁଲିଚି ଅତୀତ ମୋର
କେତେଟାଣ ସତେ ତୁମରି ପ୍ରୀତିର ଡ଼ୋର
ସବୁରି ସେନେଁହ ଛିନ୍ନ କରିଚି ପାରି
ସକଳର ଦୁରେ ବଂଚିଛି ନାହିଁ ମରି
ତୁମ ଠାରୁ ଦୁରେ ରହିବା ନପାରେ ଭାବି
ଏଡ଼ିକି ପାରିବି ତୁମରି ସ୍ନେହର ଦାବି!
ଯେତେଯା ପାଇଚି ହରାଇଚି ଯେତେ ଧନ
ମନରେ ରହିଚି ପାଇବାର ଯା ସପନ
ସବୁତ ତୁମରି ଭିତରେ ଖୋଜି ମୁଁ ପାଏ
ତୁମଛଡ଼ା ତେଣୁ ଆଉ କିଛି ନାଇଁ ଚାହେଁ
ତୁମରି ବାହାରେ ମୋର ବୋଲି କିଛି ନାହିଁ
ମୁଁ ନିଜେ ସୃଷ୍ଟ ତୁମ ଅର୍ଚ୍ଚନା ପାଇଁ
ଦେହ ମନ ପ୍ରାଣ ଆତ୍ମା ଆବେଗ ଭରେ
ତୁମରି ପ୍ରୀତିର ସ୍ପର୍ଶ କାମନା କରେ
ତୁମେ ମୋ ଦେବତା, ତୁମଠାରୁ ମହୀୟାନ୍
ଅଛି କେ ଜାଣେ ନା-ନ ଲୋଡେ ମୁଁ ତାର ଦାନ
ତୁମେ ଥିଲ ଦିନେ କେତେ ଯେ ଅପରିଚିତ
ଥିଲ ବହୁଦୂରେ ଥିଲ କଳ୍ପନାତୀତ,
ଆଜିଯାଏ ସତେ ତୁମଠାରୁ ବହୁଦୂରେ
ଥିଲି ମୁଁ କେହ୍ନେ ଆଜି ଭାବି ନାହିଁ ପାରେ।
କ୍ଷଣେ ତୁମଠାରୁ ଦୁରେ ଯେବେ ଆଜି ରହେ,
ତୁମେକି ବୁଝିବ କେତେ ମୁଁ ବେଦନା ସହେ
ତୁମେ ଦୁରେ ଗଲେ ତୁମ ପଥେ ରହେ ଚାହିଁ,
ତୁମ ବିନା ଆଉ କିଛି ଭଲ ଲାଗେ ନାହିଁ
ବଚନ ତୁମର ଚାରୁ ଅମୃତମୟ
ସ୍ପରଶେ ତୁମର ବିଚଳିତ ମୋ ହୃଦୟ
ତୁମରି ସେନେହେ ସବୁ ମୁହିଁ ଭୁଲିଯାଏ
ଗଭୀରୁ ଗଭୀରେ ତୁମରେ ମୁଁ ଭଲପାଏ,
ତୁମରି ଭିତରେ ନୁତନ ଜନ୍ମ ମୁହିଁ
ପାଇଛି ତୁମର ଚରଣର ଧୁଳି ଛୁଇଁ
ସାର୍ଥକ ମୋର ହୋଇ ଅଛି ଏ ଜୀବନ
ପାଇଛି ମୁଁ ମୋର ଚିର ବାଞ୍ଛିତ ଜନ
ତୁମେ ଥିଲ ଦିନେ ସୁଦୁରେ ଅପରିଚିତ
ଆଜି ମୁଁ ତୁମରି ଭିତରେ ହିଁ ପ୍ରକାଶିତ।