ମୁଁ ଏକ ବିରାଟ କାବ୍ୟ


ମୁଁ ଏକ ବିରାଟ କାବ୍ୟ ପ୍ରତି ଛତ୍ରେ ପ୍ରତି ଶବ୍ଦେ ମୋର

ରହିଚି ଅନ୍ତରତମ, ଅନୁରାଗ ହୃଦୟ ଉଛ୍ଛ୍ବାସ,

ଅଶ୍ରୁରେ ଉଜ୍ଜ୍ବଳ ମୁହିଁ, ଅସୀମର ଭାବେ ମୁଁ ବିଭୋର

କ୍ଷଣିକ ଶାଶ୍ବତ ହୋଇ ମୋ ଭିତରେ ଲଭିଛି ପ୍ରକାଶ

ମୋ ଭିତରେ ଅଛି ହୋଇ ଏକ ମହା ପ୍ରେମର କାହାଣୀ

ରୂପାୟିତ ଯେଉଁ ପ୍ରେମ ଶୁଚି ସ୍ନିଗ୍ଧ ମନର ମାଧୁରୀ

କରଇ ପ୍ରକାଶ ଚିର, କାଳ ସ୍ପର୍ଶେ ଲାଗେ ନାଁହି ଗ୍ଳାନି

ମୃତ୍ୟୁରେ ଅମୃତ କରି ଶୋଭା ତାର ପଡଇ ବିଛୁରି

ହୃଦୟର ଗଭୀରତା, ମାନସର ସ୍ନିଗ୍ଧତା ମିଶାଇ

ଏକାନ୍ତ ଆବେଗେ ଯେବେ ତୁମେ ପାର ସାଧନାଗୋ କରି

ମୋ ଭିତରେ ଅମୃତର ଯେ ସ୍ବର୍ଣ୍ଣଦୀ ଯାଉଅଛି ବହି

ତୁମରି ଭିତରେ ତାହା ଅନାୟାସେ ଯିବ ଝରିଝରି

ତୁମ ଲଘୁମନେ କିନ୍ତୁ ଭଲଲାଗେ ଶସ୍ତା ଉପନ୍ୟାସ

ମତେ ତେଣୁ ବୁଝିବାକୁ କରିନାହଁ ତୁମେଗୋ ଆୟାସ।

 




+ -