ଭୋର ପାଞ୍ଚଟା ବେଳେ ଟ୍ରେନ୍ ସମ୍ବଲପୁରରେ ପହଞ୍ଚିଲା।ଜୟନ୍ତ ଟ୍ରେନ୍ରୁ ଓହ୍ଲାଇ ରିକ୍ସା ଧରି ସିଧା ଚାଲିଲେ ବନ୍ଧୁ ଅମିତାଭର ଘରକୁ।
ଅମିତାଭ ସମ୍ବଲପୁରରେ ନଥିଲେ।ଅଲ୍ଇଣ୍ଡିଆ ମେଡ଼ିକାଲ କନ୍ଫରେନ୍ସରେ ଯୋଗ ଦେବାକୁ ପୁନା ଚାଲିଯାଇଥିଲେ। ଜୟନ୍ତଙ୍କୁ ଅଭ୍ୟର୍ଥନା ଜଣାଇଲେ ବନ୍ଧୁପତ୍ନୀ ସୁଜାତା।
ଜୟନ୍ତ ହତାଶ କଣ୍ଠରେ କହିଲେ‘ଅମିତାଭ ନାହିଁ!’
କିନ୍ତୁ ଅମିତାଭ ଯେ ନଥିଲେ ସେ କଥା ଜୟନ୍ତ କଣ ଜାଣି ନଥିଲେ?ଡାକ୍ତରମାନଙ୍କର ସର୍ବ ଭାରତୀୟ ସମ୍ମିଳନୀକୁ ନଯାଇ ବିଦ୍ୟାଗତପ୍ରାଣ ଅମିତାଭ କଦାପି ଶାନ୍ତିରେ ରହି ପାରିବେ ନାହିଁ ଏକଥା ତାଙ୍କୁ ଖୁବ୍ ଭଲଭାବରେ ବିଦିତ ଥିଲା। ଅମିତାଭ ନାହାନ୍ତି ଜାଣି ସେ ବରଂ ଖୁସୀ ହେଲେ।ତଥାପି ସେ କଣ୍ଠରେ ହତାଶା ପ୍ରକାଶ କରିବାକୁ ଚେଷ୍ଟାକଲେ।
ଜୟନ୍ତ କହିଲେ,“ଯାଃ ମୋର ଆସିବାଟା ପଣ୍ଡ ହୋଇଗଲା।ମୁଁ ଭାବିଥିଲି, ଅମିତାଭ ସହିତ ଦିନେ ଦୁଇଦିନ ଆରାମରେ କଟାଇ ଯାଇଥାନ୍ତି-”
ସୁଜାତା ଜୟନ୍ତଙ୍କୁ ଆଶ୍ବାସନା ଦେବା ଭଙ୍ଗୀରେ କହିଲେ“ବନ୍ଧୁ ନଥିଲେ କଣ ଆରାମରେ ସମୟ କଟିବ ନାହିଁ?ବନ୍ଧୁ ଆସିବାଯାଏ ରହନ୍ତୁ।”
ଜୟନ୍ତ ଆଶା କରୁଥିଲେ,ସୁଜାତା ସେଇକଥା କହନ୍ତୁ।କେହି ସୁଜାତାଙ୍କ କଥା ତାଙ୍କୁ ବହୁତ ଭଲ ଲାଗିଲା।ସେ ଆହୁରି ଖୁସୀ ହେଲେ ଯେତେବେଳେ ସେ ଜାଣିଲେ ଯେ ଅମିତାଭର ବାପା ବୋଉଙ୍କୁ ନେଇ ତାର ସାନଭାଇ କଟକ ଯାଇଛି। ତେଣୁ ଘରେ କେବଳ ସୁଜାତା ଓ ଛୋଟ ପିଲାମାନେ ହିଁ ଅଛନ୍ତି।
ଆଉ ସୁଜାତା?
ସୁଜାତା ତାଙ୍କର ଖୁସୀ ଖୁସୀ ଭାବ ନିଷ୍କପଟ ଚିତ୍ତରେ ପ୍ରକାଶ କରି କହିଲେ,“ଘରେ କେହି ନାହାନ୍ତି।ବହୁତ ବୋର୍ ଲାଗୁଥିଲା।ଯାହେଉ ଆପଣ ଆସି ଯାଇଛନ୍ତି।ବନ୍ଧୁ ନଫେରିବା ଯାଏ ଆପଣ ଯାଇ ପାରିବେ ନାହିଁ।”
ଜୟନ୍ତ ସୁଜାତାଙ୍କ କଥାଶୁଣି ଆହୁରି ପୁଲକିତ ହେଲେ।ସୁଜାତାଙ୍କର ଛୋଟ ଛୋଟ ଶୁଭ୍ର ଦନ୍ତପନ୍ତି ମଧ୍ୟଦେଇ ଫୁଟି ଉଠୁଥିବା ହସ ତାଙ୍କର ମୁଖଶ୍ରୀକୁ ଅନିନ୍ଦ୍ୟ ସୁନ୍ଦର ଆଭାରେ ମଣ୍ଡିତ କରି ଦେଇଥିଲା।ଜୟନ୍ତ ସେ ରୂପ ଦେଖି ମୁଗ୍ଧ ହେଲେ।
ଜୟନ୍ତ ଘର ଭିତରକୁ ଗଲେ।
‘ଚା ଖାଇଛନ୍ତି?’ସୁଜାତା ପ୍ରଶ୍ନକଲେ।
‘ନା,ମିଳୁ ଶ୍ରୀହସ୍ତ ତିଆରି ଗରମ ଚା କପେ।’
ଚାକର ଜୟନ୍ତଙ୍କର ଜିନିଷପତ୍ର ଘରଭିତରକୁ ନେଇଗଲା।ପିଲାମାନେ ସେ ପର୍ଯ୍ୟନ୍ତ ଉଠି ନଥିଲେ।ସୁଜାତା ଚା’ କରିବାକୁ ଚାଲିଗଲେ।ଜୟନ୍ତ ଡ୍ରଇଂ ରୁମ୍ରେ ବସି ଟେବୁଲ୍ ଉପରେ ପଡ଼ିଥିବା ସିନେମା ପତ୍ରିକା ଉଠେଇ ଦେଇ ଚିତ୍ର ଦେଖିଲେ।
ଅଳ୍ପ ସମୟ ପରେ ସୁଜାତା ନିଜେ ଚା ନେଇ ଫେରିଲେ।
ଚା ଖାଉ ଖାଉ ଜୟନ୍ତ କହିଲେ‘ଆପଣଙ୍କ ହାତ ତିଆରି ଏଇ ଅପୂର୍ବ ଚା ଉପରେ ମୋର ସତରେ ବହୁତ ଲୋଭ। ସେଥିପାଇଁ ଆପଣ ମୋର ପ୍ରାତଃ ସ୍ମରଣୀୟା।’
‘ମାନେ?’ସୁଜାତା ପ୍ରଶ୍ନ କଲେ।
‘ମାନେ ସହଜ।ପ୍ରତିଦିନ ସକାଳେ ବି ସ୍ବାଦକର ଚା’ଖାଇବା ବେଳେ ମୁଁ ଆପଣଙ୍କର ଏଇ ଚା’କୁ ଅର୍ଥାତ୍ ଆପଣଙ୍କୁ ସବୁବେଳେ ଲୋଭର ସହିତ ସ୍ମରଣ କରେ।’
‘ଚା’କରିବାଟା କଣ ଏତେ କଷ୍ଟକର କଥା!ମାନୀକୁ ଶିଖାଉ ଦେଉ ନାହାନ୍ତି?’
ଏଇଟା ଶିଖିବା କଥା ନୁହେଁ।ଏଇଟା ହାତର ଗୁଣ।ଆପଣଙ୍କର ଲକ୍ଷ୍ମୀହାତର ସ୍ପର୍ଶରେ ଖାଲି ଚା’ନୁହେଁ,ସବୁ କିଛି ମଧୁର ହୋଇଯାଏ।ସୁଜାତା କହିଲେ,“ଥାଉ,ଥାଉ ବାକ୍ ଚାତୁରୀ କରନ୍ତୁ ନାହିଁମାନୀ ଯଦି ଶୁଣନ୍ତା ନା ଏକଥା-”
“ସତ କହିବାକୁ କିଆଁ ଡରିବି।ସତ କହିପଛେ ମଲେ ମରିବି”।ସୁଜାତା ଚା’କପ୍ ନେଇ ହସି ହସି ଚାଲି ଗଲେ।
* * *
‘ଆପଣଙ୍କର ପ୍ରୋଗ୍ରାମ କଣ?’ସୁଜାତା ପ୍ରଶ୍ନ କଲେ।
“ମୋର ପ୍ରୋଗ୍ରାମ?ମୋର ପ୍ରୋଗ୍ରାମ,ଅମିତାଭ ଯେହେତୁ ନାହିଁ,ବନ୍ଧୁ ପତ୍ନୀଙ୍କର ଶ୍ରୀମୁଖକୁ ଚାହିଁ ବସି ରହିବା।ବନ୍ଧୁ ପତ୍ନୀଙ୍କ ମୁଖରୁ ନିଃସୃତ ବାଣୀ ସୁଧା ପାନ କରିବା।ବନ୍ଧୁ ପତ୍ନୀଙ୍କ….”
“ଥାଉ ଥାଉ।ମୁଁ ଜାଣି ସାରିଲିଣି।ଆପଣ କ୍ଲାସରେ ସାହିତ୍ୟରେ ହାଇଏଷ୍ଟ ନମ୍ବର ରଖୁଥିଲେ।ମୁଁ କହୁଥିଲି,ଚାଲନ୍ତୁ ବୁର୍ଲା ଯିବା।ସେଇଠି ଦ୍ବିପ୍ରହରଟା କାଟିବା ଅଶୋକ ନିବାସରେ!”ସାଙ୍ଗରେ ପ୍ୟାକେଟ୍ ଲଞ୍ଚ୍ ନେଇ ଯିବା।ଏ ଯେଉଁ ଗରମ ପଡ଼ିଚି ନା! ସନ୍ଧ୍ୟାବେଳକୁ ଫେରିବା।”
ପ୍ରସ୍ତାବକୁ ଉଚ୍ଛ୍ବସିତ ଆନନ୍ଦରେ ଗ୍ରହଣ କଲେ ଜୟନ୍ତ।କହିଲେ,‘ଚମତ୍କାର ପ୍ରସ୍ତାବ।ଆପଣଙ୍କର ଗୋଟାଏ ଆର୍ଟିଷ୍ଟିକ୍ ଚେତନା ଅଛି।ସନ୍ଧ୍ୟା ବେଳେ ଫେରି ଆସି ସିନେମା ଦେଖାଯାଉ।’
“ନାଁ,ଆଜି ନୁହେଁ।ସେ ପ୍ରସ୍ତାବ କାଲିକୁ ରହିଲା।”
ଜୟନ୍ତ ସୁଜାତାଙ୍କର ପ୍ରସ୍ତାବକୁ ସ୍ବୀକାର କରି ନେଲେ।
ଯଥା ସମୟରେ କାର୍ରେ ବସି ସେମାନେ ବୁର୍ଲା ଗଲେ।ହୀରାକୁଦ ବନ୍ଧରେ ବସି ଜଳ ଭଣ୍ଡାରର ନୀଳ ଜଳରାଶି ଓ ଦୂର ଦିଗନ୍ତର ଶୋଭା ଉପଭୋଗ କଲେ।ପ୍ୟାକେଟ୍ ଲଞ୍ଚରେ କ୍ଷୁଧା ନିବାରଣ କଲେ।ଆରାମରେ ଅଶୋକ ନିବାସରେ ମଧ୍ୟାହ୍ନ ବିଶ୍ରାମ କଲେ।ଏବଂ ସନ୍ଧ୍ୟା ବେଳକୁ ସମ୍ବଲପୁରକୁ ଫେରି ଆସିଲେ।
ଦୀର୍ଘ ୧୦ ବର୍ଷର ପରିଚୟ ଭିତରେ ସୁଜାତା ଓ ଜୟନ୍ତ ପରସ୍ପରର ଯେତିକି ନିକଟବର୍ତ୍ତୀ ହୋଇ ନଥିଲେ ସେହି ଦିନକ ଭିତରେ ତା ଠାରୁ ବହୁବେଶୀ ନିକଟତର ହୋଇ ପଡ଼ିଥିବା ପରି ବୋଧକଲେ।ତେଣୁ ବୁର୍ଲାକୁ ଫେରିବା ବେଳେ କାର୍ର ପଛ ସିଟ୍ରେ ପରସ୍ପରକୁ ସ୍ପର୍ଶ କରି ବସିବା ବେଳେ ସେମାନଙ୍କ ଉପରେ ସଂକୋଚ ନଥିଲା ବରଂ ଏକ ଗୋପନ ପୁଲକ। କାର୍ର ଚଳନଯୋଗୁ ଯଦି ସେମାନଙ୍କର ଦେହ ସହିତ ଦେହ ଟିକିଏ ବେଶୀ ଲାଗି ଯାଉଥିଲା ତାହା ଉଭୟଙ୍କୁ ଭଲ ଲାଗୁଥିଲା।
ସୁଜାତା ଓ ମାନୀ ବା ମାନିନୀ ଥିଲେ ପଢ଼ାସାଥୀ।ଗାର୍ଲସ୍କୁଲରେ ୬ ବର୍ଷ ଓ ଶୈଳବାଳା ମହିଳା କଲେଜରେ ୩ବର୍ଷ ଏହିପରି କ୍ରମାନ୍ବୟରେ ୯ବର୍ଷ କାଳ ସେମାନେ ଏକାଠି ପଢ଼ିଥିଲେ।ସୁଜାତା ଥିଲେ ସୁନ୍ଦରୀ।ତନୁ ପାତଳୀ,ସୁବର୍ଣ୍ଣା।ହାର୍ମୋନିୟମ ବଜାଇ ଗୀତ ଗାଇ ପାରୁଥିଲେ।ଉଷା ମେସିନ୍ ଚଳେଇ ସାୟା ବ୍ଲାଉଜ୍ ସିଲେଇ କରିବା ଜାଣିଥିଲେ।ପଢ଼ା ପଢ଼ିରେ କୃତିତ୍ବଶାଳିନୀ ନ ହେଲେ ମଧ୍ୟ ସେ ଭଲ ପଢ଼ୁଥିଲେ ବୋଲି କୁହାଯାଇପାରେ।ଅନ୍ୟ ପକ୍ଷରେ ମାନିନୀ ଥିଲେ ତାଙ୍କଠାରୁ କମ୍ ସୁନ୍ଦରୀ।ଟିକିଏ ବାଙ୍ଗରା ଓ ଟିକିଏ ମୋଟୀ।ରଙ୍ଗରେ ଟିକିଏ ଊଣା।ପଢ଼ା ପଢ଼ିରେ ମଧ୍ୟ ସେ ଟିକିଏ ପଛରେ ଥିଲେ।କିନ୍ତୁ ବେଶଭୂଷାର ପରିପାଟୀରେ ସେ ସୁଜାତାଙ୍କଠାରୁ ଆଗରେ ଥିଲେ।ସୁଜାତା କଲେଜକୁ ଆସୁଥିଲେ ବସ୍ରେ।କିନ୍ତୁ ଯଦିଓ ବସ୍ ତାଙ୍କର ଘରରାସ୍ତା ଦେଇ ଆସୁଥିଲା,ମାନିନୀ ଆସୁଥିଲେ ରିକ୍ସାରେ।ମାନିନୀ ଥିଲେ ଇନ୍କମ୍ଟାକସ୍ ଇନ୍ସପେକ୍ଟରଙ୍କର ଚାରିପୁଅରେ ଗୋଟିଏ ବୋଲି ଗେହ୍ଲା ଝିଅ।କିନ୍ତୁ ସୁଜାତା ଥିଲେ ଚାରି ଝିଅ ଓ ତିନିପୁଅଙ୍କର ପିତା ଓ ଅନ୍ୟାନ୍ୟ ବହୁ ଜଞ୍ଜାଳଗ୍ରସ୍ତ କିରାଣୀ ପଦରୁ ଉଠିଥିବା ସବ୍ଡ଼େପୁଟୀଙ୍କର ଦ୍ବିତୀୟ କନ୍ୟା।ତଥାପି ଉଭୟଙ୍କ ଭିତରେ ପ୍ରଗାଢ଼ ବନ୍ଧୁତା ଥିଲା।ଉଭୟେ ଏକାଠି ନଡ଼ିଆ ଗଛମୂଳେ ବସୁଥିଲେ, ଏକାଠି ଚିନାବାଦାମ ଖାଉଥିଲେ ଏବଂ କେତେ କଣ ଗପୁଥିଲେ।
ସୁଜାତା ଭାବୁଥିଲେ ମାନୀଟା ଟିକିଏ ବୋକୀ।ବାହାହେଲେ କିପରି ଚଳିବ କେଜାଣି?
ମାନିନୀ ଭାବୁଥିଲେ ସୁଜାତାଟା ଫୁଲେଇ।ସୁନ୍ଦର ବୋଲି ମନେ ମନେ ଗର୍ବରେ ଫାଟି ପଡୁଛି।
ତୃତୀୟ ବାର୍ଷିକ ଛାତ୍ରୀ ଥିଲାବେଳେ ସୁଜାତାଙ୍କର ବିବାହ ପ୍ରସ୍ତାବ ଉଠିଲା।ତା ଆଗରୁ ଯେ ଉଠି ନଥିଲା ତା ନୁହେଁ। କିନ୍ତୁ ତାଙ୍କ ବଡ଼ ଭଉଣୀ ଥିଲେ ଅନ୍ତରାୟ।ବଡ଼ ଝିଅର ବାହାଘର ନକରି ତା ତଳଝିଅ କଥା ବାପା ମା’କାହିଁକି ଚିନ୍ତା କରନ୍ତେ।
ମାନିନୀଙ୍କ ପାଇଁ କିନ୍ତୁ ତାଙ୍କ ବାପା ବହୁ ଆଗରୁ ‘ଭଲ’ବରର ସନ୍ଧାନରେ ଥିଲେ।
ନିଜ ନିଜ ବାହାଘର ବିଷୟରେ ଚୁପ୍ଚୁପ୍ କରି ସେମାନେ କଥା ହେଉଥିଲେ।କେଉଁଠୁ ପ୍ରସଙ୍ଗ ଆସିଛି,ବର କଣ ପଢ଼ିଛି,ବର କଣ କରେ,ତାର ବାପା କଣ କରନ୍ତି,ତାଙ୍କର କଣ ସମ୍ପତ୍ତି ବାଡ଼ି ଅଛି,ବାପା ରାଜି,ମା’ଙ୍କର ମନ ମାନୁ ନାହିଁ ଇତ୍ୟାଦି ସମସ୍ତ ବିବରଣୀ ଆଦାନ ପ୍ରଦାନ କରିବାପାଇଁ ଉଭୟଙ୍କର କୌତୁହଳ ଥିଲା।ଆଗ୍ରହ ନ ଥିଲା।
ସୁଜାତା କହିଲେ,‘ଏଥର ମୋର ପାଠ ପଢ଼ାରେ ଇତି ହେଲା ଲୋ ମାନୀ।ଆଉ ତ ମଝିରେ ତିନିଟା ମାସ।ବରର ମା ଓ ଭଉଣୀ ଆସିଥିଲେ।ସେଇ କନ୍ୟା ଦେଖା ପ୍ରହସନ।ମତେ ଭାରୀ ରାଗ ଲାଗୁଥିଲା।ଯାହାହେଉ,ଏକାଥରକେ ଇଣ୍ଟର୍ଭିଉରେ ପାଶ୍ ହୋଇଗଲା।
ତା ପରେ ମାନିନୀଙ୍କର କୌତୁହଳ ଓ ଅଧିକ ସମ୍ବାଦ ପାଇଁ ଜିଜ୍ଞାସା।
“ବରର ନାମ ଅମରେଶ।ଆସିଷ୍ଟାଣ୍ଟ ଇଂଞ୍ଜିନିୟର।ତାଙ୍କ ଘର ପୁରୀରେ।ବାପା ରିଟାୟାର୍ଡ।ବହୁତ ଜମିବାଡ଼ି ଅଛି। ପୁରୀରେ ଓ ଭୁବନେଶ୍ବରରେ ବଡ଼ ବଡ଼ କୋଠା ଅଛି।ଶାଶୁ କହିଲେ,‘ଲକ୍ଷ୍ମୀଟିଏ’।ନଣନ୍ଦ କହିଲେ,ମତେ ହାତ ଗୁଞ୍ଜା ନଦେଲେ ମୁଁ ନାପସନ୍ଦ କରିଦେବି।
ମାନିନୀ ବହୁତ ଆନନ୍ଦ ପ୍ରକାଶ କଲେ।ସେ ଆନନ୍ଦ ଭିତରେ କଣ କେଉଁଠି ଦୁଃଖ ନଥିଲା?ସେ କହିଲେ,ତୋତେ ନାପସନ୍ଦ କରିବ କିଏ ମ?ତୋ ବର ଯଦି ଦେଖିବାକୁ ଆସିଥାଆନ୍ତା ନା,କହିଥାଆନ୍ତା“ଏଇ ସାଙ୍ଗେ ସାଙ୍ଗେ କନ୍ୟାକୁ ନେଇ ଯାଉଛି।ପରେ ପଛକେ ତିଥି ଲଗ୍ନ ଦେଖି ବାହାଘର ହେବ।”
ମାନିନୀର ରସିକତାରେ ସୁଜାତା ହସି ଉଠିଲେ।ତାପରେ ସୁଜାତା ବର ବିଷୟରେ ଯେତେ ଯାହା ଖବର ପାଆନ୍ତି,ସବୁ ମାନିନୀଙ୍କୁ ଜଣାଇ ଦିଅନ୍ତି।ନ କହିବା ପର୍ଯ୍ୟନ୍ତ ସେ ଅସ୍ବସ୍ତି ବୋଧ କରନ୍ତି।ବର ଅର୍ଥାତ୍ ଅମରେଶ କେତେ ମସିହାରେ ଆଇ.ଏସ୍.ସି.ପାଶ୍କଲା,କେଉଁ ଡ଼ିଭିଜନ୍ ପାଇଥିଲା,କେବେ ଇଂଜିନିୟରିଂ ପାଶ୍କଲା,କାହିଁକି ଆଇ.ଆଇ.ଟି ଖଡ଼ଗ୍ପୁର୍ରେ ନପଢ଼ି ମାଡ୍ରାସ୍ରେ ପଢ଼ିଲା,ତାଙ୍କ ବାପା ଚିଠି ଲେଖିଛନ୍ତି,‘ସୁଜାତାର ଜାତକ ଅଛି କି ନାହିଁ ’ପଚାରିଛନ୍ତି ଇତ୍ୟାଦି ସବୁ କଥା ଯାହା ସବୁ ସୁଜାତା ଜାଣନ୍ତି ସବୁ ମାନିନୀଙ୍କ ପାଖରେ ପହଞ୍ଚି ଯାଏ।
ବାହାଘର ପ୍ରସ୍ତାବ ଆଗେଇ ଚାଲିଲା,କିନ୍ତୁ ଶେଷରେ ଭାଙ୍ଗିଗଲା।ଜାତକ ମିଳିଲା ନାହିଁ।ନରରାକ୍ଷସରେ ବାହାଘର କରିବାକୁ ବରର ମା ମଙ୍ଗିଲେ ନାହିଁ।ଅସଲକଥା ଇଂଜିନିୟର ବରୋଚିତ ଯୌତୁକ ଅଭାବରୁ ବରର ବାପା ରାଜି ହେଲେ ନାହିଁ।ଖାଲି କନ୍ୟା ସୁନ୍ଦରରୁ କଣ ମିଳିବ!
କିନ୍ତୁ କେଉଁ ତିଥିରେ ସୁଜାତାଙ୍କର ବାହାଘର ହେବାର ଥିଲା,ଠିକ୍ ସେହି ତିଥିରେ ମାନିନୀଙ୍କର ବାହାଘର ସଂପନ୍ନ ହୋଇଗଲା।ପନ୍ଦର ଦିନ ଭିତରେ ବାହାଘର ଠିକ୍ ହେଲା ଓ ବାହାଘର ହେଲା।ବର ଇଂଜିନିୟର।ଅବଶ୍ୟ ବର ଅମରେଶ ନୁହେଁ।ଜୟନ୍ତ।ସୁଜାତା ସଙ୍ଗିନୀର ବାହାଘରକୁ ଯାଇଥିଲେ।ମାନିନୀକୁ ସୌଭାଗ୍ୟବତୀ ବୋଲି ତାଙ୍କର ମନେ ହୋଇଥିଲା।ଆଉ ସେ ସୌଭାଗ୍ୟ ପ୍ରତି କଣ ତାଙ୍କ ନିଭୃତ ମନରେ ଈର୍ଷା ନଥିଲା!ସୁଜାତାଙ୍କର ବାହାଘର ହେଲା ଦୁଇ ବର୍ଷ ପରେ।ବର ଡାକ୍ତର,ବିଶ୍ବବିଦ୍ୟାଳୟର କୃତୀ ଛାତ୍ର।ବରପିତା ଆଦର୍ଶବାଦୀ ଅଧ୍ୟାପକ।ଯୌତୁକ ପ୍ରଶ୍ନ ଉତ୍ଥାପନ ମଧ୍ୟ କଲେ ନାହିଁ।ସମସ୍ତେ କହିଲେ,ସୁଜାତା ଖାଲି ସୁନ୍ଦରୀ ନୁହେଁ।ଭାଗ୍ୟବତୀ ମଧ୍ୟ।
ତଥାପି ସୁଜାତାଙ୍କ ମନ ଭିତରେ ବୋଧହୁଏ କେଉଁଠି ଅବଶୋଷର ବେଦନା ରହିଗଲା।