ସୁଜାତା ଓ ମାନିନୀଙ୍କର ପୁନର୍ମିଳନ ହେଲା ରାଉରକେଲାରେ।ସେଇ ସୂତ୍ରରେ ପରିଚୟ ଅମିତାଭଙ୍କ ସହିତ ଜୟନ୍ତଙ୍କର।ସୁଜାତାଙ୍କ ସହିତ ଜୟନ୍ତଙ୍କର ଓ ଅମିତାଭଙ୍କ ସହିତ ମାନିନୀଙ୍କର ଏବଂ ଦୁଇ ପରିବାରର।ପରଦିନ ପ୍ରାତଃରାଶ ବେଳେ ଜୟନ୍ତ କହିଲେ,“ଆଜି ପାଇଁ ପୋଗ୍ରାମ୍ କଣ?“ଆପଣ କହନ୍ତୁ,”ସୁଜାତା କହିଲେ।ଏଇଠି ହାଣ୍ଡଲୁମ୍ ଏକ୍ଜିବିସନ୍ ହେଉଛି।ଆଜି ତ ସିନେମା ଯିବା କଥା।କାଲି ଏକ୍ଜିବିସନ୍କୁ ଗଲେ ହେବ।”ଜୟନ୍ତ କହିଲେ,“ମତେ କାଲି ସକାଳେ ନିଶ୍ଚୟ କଟକ ଯିବାକୁ ହେବ।”
ବାଃରେ।ଆପଣ କଣ ଫାଙ୍କି ଦେଇ ପଳାଇବାକୁ ବସିଲେଣି!ଆପଣଙ୍କ ବନ୍ଧୁ ନ ଫେରିବା ପର୍ଯ୍ୟନ୍ତ ଆପଣଙ୍କୁ ଛାଡ଼ୁଛି କିଏ?“ମୋର କାଲିପରା ମିଟିଂ ଅଛି।ସତ କହୁଛି,ମୋର ଟିକିଏ ହେଲେ ଯିବାକୁ ଇଚ୍ଛାନାହିଁ।ଏଇ ଅପୂର୍ବ ଚା’ପାନ, ଚର୍ବ୍ୟ ଚୋଷ୍ୟ ଲେହ୍ୟ ଭୋଜନ ଏବଂ ସର୍ବୋପରି ଅନୁକ୍ଷଣ ଏଇ ଅନିନ୍ଦ୍ୟ ସୁନ୍ଦର ମୁଖ ଅବଲୋଚନ ଓ ବଚନାମୃତ ପାନ କରିବାର ସୌଭାଗ୍ୟକୁ ଛାଡ଼ି ଯିବାକୁ ମୁଁ ଟିକିଏ ବି ଚାହୁଁ ନାହିଁ।ମତେ ଯଦି ସବୁଦିନ ଏଇ ସୌଭାଗ୍ୟ ମିଳନ୍ତା ନା,ମୁଁ ସ୍ବର୍ଗକୁ ବି ଯାଆନ୍ତିନି।”ସୁଜାତା କହି ଉଠିଲେ,“ଥାଉ।ମୁଁ ପରା କହିଲି,ଆପଣଙ୍କ ସାହିତ୍ୟ ଜ୍ଞାନ ସମ୍ପର୍କରେ ମୋର ପୂରାଧାରଣା ହୋଇଗଲାଣି।”ନା’ମ, ମୁଁ ସତ କହୁଛି,ମତେ ଭୁଲ୍ ବୁଝିଚ ନାହିଁ।ମୁଁ ପ୍ରକୃତରେ ଏ ସୌଭାଗ୍ୟ ପାଇଁ ଅମିତାଭ ବାବୁଙ୍କୁ ଈର୍ଷା କରେ।”
ଜୟନ୍ତଙ୍କର ପ୍ରତ୍ୟେକଟି କଥା ସୁଜାତାଙ୍କୁ ବହୁତ ଭଲ ଲାଗୁଥିଲା।ଜୟନ୍ତଙ୍କ ପ୍ରତି ସେ ଏକ ଅପୂର୍ବ ମଧୁର କଟାକ୍ଷପାତ କଲେ।ସେ କଟାକ୍ଷ ଜୟନ୍ତଙ୍କୁ ମୁଗ୍ଧ କଲା।ସେ କଟାକ୍ଷରେ ଥିଲା ମିଛ ରାଗ,ପ୍ରଚ୍ଛନ୍ନ ପ୍ରସନ୍ନତା,ମଧୁର ଲଜ୍ଜା।
ସେଦିନ ପାଇଁ ପ୍ରୋଗ୍ରାମ୍ ସ୍ଥିର ହେଲା।
ସନ୍ଧ୍ୟାବେଳ ଯାଏ ସେମାନେ ଗପ କରିବେ।ଜୟନ୍ତଙ୍କ ଭାଷାରେ ସେ ଖାଲି ସୁଜାତାଙ୍କୁ ଦେଖିବେ,ମନଭରି ଦେଖିବେ। ସନ୍ଧ୍ୟା ବେଳକୁ ହ୍ୟାଣ୍ଡଲୁମ୍ ଏକ୍ଜିବିସନ୍ ଯିବେ।ସେଠାରୁ ଫେରି ସେକେଣ୍ଡ ସୋ ସିନେମା।
ମଧ୍ୟାହ୍ନ ଭୋଜନ ପରେ।
ସେମାନେ ଡ୍ରଇଂ ରୁମ୍ରେ ବସି ବିଶ୍ରମ୍ବାଳାପ କରୁଥିଲେ।
ସୁଜାତାଙ୍କ ହାତରେ ଉଲ୍ ଓ କଣ୍ଟା।
ଜୟନ୍ତଙ୍କ ହାତରେ ଖବର କାଗଜ।
ଜୟନ୍ତ ମଝିରେ ମଝିରେ ସୁଜାତାଙ୍କୁ ଚାହୁଁଥିଲେ,ଦେଖୁଥିଲେ।
ଗରମ ଯୋଗୁଁ ସୁଜାତା ପିନ୍ଧିଥିଲେ ଖଣ୍ଡେ ଧଳା ପତଳା ଶାଢ଼ୀ ଓ ହାତ କଟା ଧଳା ବ୍ଲାଉଜ୍।
ଏଇ ଅର୍ଦ୍ଧ ଅନାବୃତ ଦେହର ଶ୍ରୀ ଜୟନ୍ତଙ୍କୁ ସମ୍ମୋହିତ କରୁଥିଲା।
ହଠାତ୍ ଉଲ୍ ପେଣ୍ଡୁଳାଟି ସୁଜାତାଙ୍କ ହାତରୁ ଖସି ପଡ଼ିଲା।ସୁଜାତା ସେଇଟିକୁ ଉଠାଇ ନେବାକୁ ନଇଁ ପଡ଼ିଲେ।ସେଇ ଅବସ୍ଥାରେ ଜୟନ୍ତ ଲୁବ୍ଧ ଆଖିରେ ଦେଖିନେଲେ ସୁଜାତାଙ୍କ ଦେହଶ୍ରୀର ଏକ ଅନବଦ୍ୟ କଳା।
ତାଙ୍କର ମନେ ପଡ଼ିଲା।ପୂର୍ବଦିନ କାର୍ରେ ଆସିବା ବେଳେ ହଠାତ୍ ଏକ ଟର୍ଣ୍ଣିଂରେ ତାଙ୍କର ତାଙ୍କର ବାହୁ ସୁଜାତାଙ୍କ ଉନ୍ନତ ବକ୍ଷୋଜକୁ ସ୍ପର୍ଶ କରି ପକେଇଥିଲା।ବିଦ୍ୟୁତ୍ ଗତିରେ ଆସିଥିବା ଏକ ଶୀହରଣ ଉପଲବ୍ଧ କରିବା ପରେ ତାଙ୍କର ସନ୍ଦେହ ହୋଇଥିଲା ସ୍ବାଭାବିକ ଭାବରେ ସେ ସେଇ ସେ ସେଇ ସ୍ପର୍ଶ ପାଇନଥିଲେ ନା ଇଚ୍ଛାକରି ସେଇ ସୁଯୋଗରେ ସୁଜାତାଙ୍କ ଦେହକୁ ବାହୁରେ ଆଘାତ କରିଥିଲେ।
ସୁଜାତାଙ୍କୁ ସ୍ପର୍ଶ କରିବାକୁ ଜୟନ୍ତଙ୍କର ଇଚ୍ଛାହେଲା।ସେ କହିଲେ,“ଆଚ୍ଛା ଦେଖି ଆପଣଙ୍କର ହାତ।”
“ମୋ ହାତ?ଆପଣଙ୍କୁ ହାତ ଦେଖି ଆସେ ନା କଣ?”
“ଟିକିଏ ଟିକିଏ।”
ସୁଜାତା ଉଲ୍ କଣ୍ଟା ରଖିଦେଇ ହାତ ବଢ଼ାଇଲେ।ଜୟନ୍ତ ତାଙ୍କର ହାତ ପାପୁଲିକୁ ଧରିଲେ।ସେ ପାପୁଲି ଥିଲା ପଦ୍ମ ପାଖୁଡ଼ା ପରି କୋମଳ ଓ ଈଷତ୍ ଲାଲ।ଜୟନ୍ତଙ୍କର ଭାରୀ ଇଚ୍ଛା ହେଉଥିଲା,ସେଇ ପାପୁଲି ଉପରେ ଗୋଟିଏ ଚୁମ୍ବନ ଦେବେ।କିନ୍ତୁ ସେ ନିଜକୁ ସଂବରଣ କରି ନେଲେ।ସୁଜାତାଙ୍କର ଦୁଇ ହାତ ପାପୁଲିକୁ ନିଜର ଦୁଇ ଧରି ସେ ତା ଉପରେ ଟିକିଏ ଚାପ ଦେଲେ।“କହନ୍ତୁ କଣ ଦେଖିଲେ?”“ହୁଁ।”ଜୟନ୍ତ ସାବଧାନତାର ସହିତ ନିରୀକ୍ଷଣ କରୁଥିବାର ଛଳନା କଲେ।କହନ୍ତୁ ନା,କଣ ସବୁ ଦେଖୁଛନ୍ତି।”“ଦେଖୁଚି ଏକ ଚମତ୍କାର ହାତ।”
“ଚମତ୍କାର ମାନେ?”
“ଆପଣ ଏଇ ଦୁଇଦିନ ଭିତରେ ଅପୂର୍ବ ଶବ୍ଦଟାକୁ କେତେଥର ବ୍ୟବହାର କଲେଣି?”
“ହଁ ବହୁତଥର ବ୍ୟବହାର କରିଛି।କିନ୍ତୁ ଗୋଟିଏ ଥର ବି ଅପବ୍ୟବହାର କରି ନାହିଁ?”
“କିପରି ଜାଣିଲେ?”
“ଅପୂର୍ବକୁ ଅପୂର୍ବ ନକହି ଆଉ କିଛି କୁହାଯାଇ ପାରେନା।”
“ହଉ,ଏବେ କହନ୍ତୁ,କ’ଣ ଦେଖିଲେ।”
“କହିଲି ପରା ଏପରି ଚମତ୍କାର ହାତ ଆଉ କେବେ ଦେଖିନଥିଲି।”
“ଚମତ୍କାର ମାନେ କଣ?”
“ଚମତ୍କାର ମାନେ?”
ଜୟନ୍ତ ଟିକିଏ ଇତସ୍ତତଃ ହେଲେ।ମୁହୂର୍ତ୍ତକ ପାଇଁ ଦ୍ବିଧାବୋଧ କଲେ,ତାପରେ କହିଲେ,“ଚମତ୍କାର ମାନେ ସୁନ୍ଦର, ପଦ୍ମଫୁଲପରି ସୁନ୍ଦର।ଏପରି ସୁନ୍ଦର,କୋମଳ ହାତ ମୁଁ ଆଉ କେବେ ଦେଖିନାହିଁ।ଏଇପରି ହାତ ଯାହାର ସେ ସୌଭାଗ୍ୟବତୀ,ଏଇହାତ ଯେ ଧରିଚି ସେ ବଡ଼ ଭାଗ୍ୟବାନ୍।”
ସୁଜାତା ସବୁ ବୁଝିଗଲେ।ତଥାପି ନବୁଝି ପାରିବା ଭଳି କହିଲେ,“ମୋ କଣ ସୌଭାଗ୍ୟ ଅଛି କୁହନ୍ତୁନା।”
“ଫିସ୍ ପଡ଼ିବ।ବିନା ଫିସ୍ରେ ଆଉକିଛି କହିପାରିବି ନାହିଁ।”
“ବାଃରେ,ଫିସ୍ ମତେ ଦେବାକୁ ହେବ!ଏମିତି ହାତ କେବେ ଦେଖି ନଥିଲେ,ଏବେ ଦେଖିଲେ।ତେଣୁ ଆପଣ ମତେ ଫିସ୍ ଦେବାକଥା କୁଆଡ଼େ ଗଲା!”
ଜୟନ୍ତ କହିଲେ,“ଠିକ୍ ମୋର ଦେବାକଥା,ମୁଁ ଦେଉଛି।”
ଏବଂ ତାପରେ ସେ ବିନା ଦ୍ବିଧାରେ ସୁଜାତାଙ୍କର ସେଇ ନରମ ସୁନ୍ଦର ପଦ୍ମବର୍ଣ୍ଣା ହାତ ପାପୁଲିକୁ ଚୁମ୍ବନ କଲେ।ଥରେ ନୁହେଁ,ବାରମ୍ବାର।
ସୁଜାତା ହାତ ଟାଣିନେଲେ ନାହିଁ।
ଜୟନ୍ତ ହାତକୁ ଛାଡ଼ିଦେଲେ ନାହିଁ।କିଛି ସମୟ ସେଇ ଅବସ୍ଥାରେ ରହିବା ପରେ ସୁଜାତା ଧୀର ସ୍ବରରେ କହିଲେ, “ଏଥର ହାତ ଛାଡ଼ନ୍ତୁ।”ଜୟନ୍ତ ନିଜର ହାତରୁ ମୁକ୍ତ କରି ଦେଲେ।ସୁଜାତା ହାତ ଫେରାଇ ଦେଲେ ଏବଂ କିଛି ଘଟି ନଥିବା ପରି ଉଲ୍ଧରି ବୁଣିବାକୁ ଆରମ୍ଭ କଲେ।
କେତେଗୁଡ଼ିଏ ନୀରବ ମୁହୂର୍ତ୍ତପରେ ସୁଜାତା ଜୟନ୍ତଙ୍କୁ ଚାହିଁଲେ।ଜୟନ୍ତ ତାଙ୍କୁ ହିଁ ଚାହିଁଛନ୍ତି।
ସୁଜାତା କଣ ଲକ୍ଷ୍ୟ କରିପାରିଲେ ନାହିଁ ସେ ଚାହାଣୀରେ ଫୁଟି ଉଠୁଥିବା ଲୋଭାତୁରତାକୁ।
ସେ ପଚାରିଲେ,“କ’ଣ ଦେଖୁଛନ୍ତି?”
“ମତେ କଣ ଦେଖୁଛନ୍ତି?”
“ହଁ ଦେଖୁଚି ଆପଣଙ୍କୁ।ଆଉ ଭାବୁଛି ଆପଣଙ୍କୁ ଗୋଟାଏ ଜିନିଷ ମାଗିବି।”
ସୁଜାତା ଟିକିଏ ଚମକି ପଡ଼ିଲେ।
“ମତେ ମାଗିବେ?ମୁଁ କଣ ଦେଇପାରିବି?ଆପଣଙ୍କର କଣ ଅଭାବ ଅଛି?”
“ଅଭାବ ନାହିଁ ଯେ, ଦରକାର ଅଛି”
“କଣ କହନ୍ତୁ।”
ଜୟନ୍ତ ଭାବିଲେ ଅନ୍ତରର ଗୋପନ କାମନାଟିକୁ ପ୍ରକାଶ କରି ଦେବେ କି?
କିନ୍ତୁ ପ୍ରକାଶ କରି ପାରିଲେ ନାହିଁ।କହିଲେ,“ମୋ ପାଇଁ ସେମିତି ଗୋଟିଏ ସୁନ୍ଦର ସ୍ବେଟର୍ କରିଦେବେ?”
“ଓଃ, ଏଇକଥା।ମାଗି ମାଗି ଏଇୟା ମାଗିଲେ।”
ସୁଜାତା ହସି ଉଠିଲେ।
ସନ୍ଧ୍ୟାବେଳକୁ ସେମାନେ ଏକ୍ଜିବିସନ୍କୁ ଗଲେ।
ଏକ୍ଜିବିସନ୍କୁ ସୁଜାତାଙ୍କପାଇଁ ଗୋଟିଏ ସୁନ୍ଦର ଓ ମୂଲ୍ୟବାନ ଶାଢ଼ୀ କିଣିଲେ ଜୟନ୍ତ।କାରଣ ସୁଜାତା ଓଡ଼ିଶୀ ହାଣ୍ଡଲୁମ୍ ଶାଢ଼ିକୁ ଭଲ ପାଆନ୍ତି।
“ମାନୀ ପାଇଁ କିଛି କିଣିଲେ ନାହିଁ ଯେ।”
“ମାନୀର ରୁଚି ଟିକିଏ ନିମ୍ନସ୍ତରର।ତାର ପ୍ରିଣ୍ଟ ଶାଢ଼ୀ ଦରକାର।”
ଜୟନ୍ତଙ୍କ କଥା ସୁଜାତାଙ୍କୁ ପୁଲକିତ କଲା।
ଏକଜିବିସନ୍ରୁ ଫେରି ସେମାନେ ସେକେଣ୍ଡ ସୋ ସିନେମାକୁ ଗଲେ।
ସିନେମା ହଲ୍ର ଛାୟାନ୍ଧକାରରେ ଜୟନ୍ତ ସାରାକ୍ଷଣ ଧରିଥିଲେ ସୁଜାତାଙ୍କର ହାତ।ପାଖକୁ ପାଖ ଲାଗି ଘନିଷ୍ଠ ହୋଇ ବସିଥିଲେ ମଧ୍ୟ।
ସିନେମାରୁ ଫେରିବା ବେଳକୁ ୧୨ଟା ବାଜି ଯାଇଥିଲା।ଜୟନ୍ତଙ୍କ ମନରେ ପ୍ରଚ୍ଛନ୍ନ କାମନା ପ୍ରକାଶ ପାଇଁ ପଥ ଖୋଜୁଥିଲା।ତାଙ୍କର ଛାତି ଭିତରେ ଅଜସ୍ର କମ୍ପନ, ତୁମୁଳ ଆଲୋଡ଼ନ।
ସୁଜାତା ବାଧା ଦେଲେନାହିଁ।
ଜୟନ୍ତ ସୁଜାତାଙ୍କୁ ବାରମ୍ବାର ଚୁମ୍ବନ କଲେ।
କିଛିକ୍ଷଣ ପରେ ସୁଜାତା ନିଜକୁ ମୁକ୍ତ କରିନେଲେ।ସେମାନେ ନିଜ ନିଜର ରୁମ୍କୁ ଯାଇ ପୋଷାକ ପରିବର୍ତ୍ତନ କଲେ।
ପୁଣି ଦେଖାହେଲା।
ସୁଜାତା କହିଲେ,“ବହୁଳ ରାତି ହେଲାଣି। ଶୋଇ ପଡନ୍ତୁ।କାଲି ୫ଟା ବସ୍କୁ ଆପଣଙ୍କର ଯିବା କଥା ପରା।”
“ନା, ଆଜି ଆଉ ଶୋଇବା ନାହିଁ।ମୁଁ ଆପଣଙ୍କୁ ଆଉ ଶୋଇବାକୁ ଦେବିନାହିଁ।ଯିବା ପର୍ଯ୍ୟନ୍ତ ଆଜି ଖାଲି ଗପ କରିବା।ମୁଁ ଯିବା ପରେ ଆପଣ ଯେତେ ଶୋଇବେ ଶୁଅନ୍ତୁ।”
ସେମାନେ ଯାଇ ବାଲ୍କୋନିରେ ବସିଲେ।
ବାହାରେ ଅନ୍ଧକାର।
ନିକଟସ୍ଥ ବେଡ୍ରୁମ୍ର ସ୍ତିମିତ ଆଲୋକରେ ସେମାନେ ପରସ୍ପରକୁ ସାମାନ୍ୟ ଦେଖିପାରୁନଥିଲେ।
ସେମାନେ ପାଖାପାଖି ବସିଥିଲେ।
ଜୟନ୍ତ ଆହୁରି ନିକଟତର ହେବାର କାମନାରେ ଛଟପଟ ହେଉଥିଲେ। ଆସିବାବେଳେ ସେ ଲକ୍ଷ୍ୟ କରିଛନ୍ତି ସୁଜାତାଙ୍କ ଦେହରେ ଧଳା ପତଳା ନାଇଟିଟି ବ୍ୟତୀତ ଆଉ କିଛି ନଥିଲା।
ସେଇ ଆବରଣର ବ୍ୟୁହଭିତରୁ ପୂର୍ଣ୍ଣ ମୁକ୍ତକରି ତାଙ୍କୁ ବାହୁରେ ତୋଳି ନେବାକୁ ସେ ଅସ୍ଥିର ହୋଇ ଉଠୁଥିଲେ।ତା ପରବର୍ତ୍ତୀ ଦୃଶ୍ୟ ଏତେ ସୁନ୍ଦର ଯେ ସେ ତାର କଳ୍ପନା କରି ପାରୁନଥିଲେ।
ଆଉ ସୁଜାତା।
ତାଙ୍କର ବାହାରେ ଥିଲା ଏକ ନିସ୍ତରଙ୍ଗ ସାଗରର ସ୍ଥିରତା।କିନ୍ତୁ ତାଙ୍କ ଭିତରେ ପାହାଡ଼ ଯେପରି ବହୁତ ସମୟ ଧରି ସେମାନେ କଥାବାର୍ତ୍ତା ନକରି ଚୁପ୍ ଚାପ୍ ବସିଛନ୍ତି।
ପରମ ବାଞ୍ଛିତ ଲଗ୍ନରେ ପହଞ୍ଚିବାକୁ ଆଉ କେତୋଟି ମୁହୂର୍ତ୍ତ ମାତ୍ର ଅତିକ୍ରମ କରିବାକୁ ହେବ।କିନ୍ତୁ ଗୌରୀଶଙ୍କରର ଶିଖର ଦେଶର ଶେଷ କେତୋଟି ମିଟର୍ ପରି ସେଇତକ ପଥ ଥିଲା ଖୁବ୍ ଦୂର ଓ ଦୂରଧିଗମ୍ୟ।
ସୁଜାତା ନୀରବତା ଭଙ୍ଗ କରି ପ୍ରଶ୍ନକଲେ।
“ଆଚ୍ଛା ସତ କହିବେ,ମାନୀ କିପରି ସ୍ତ୍ରୀ?ଆପଣ ତାକୁ ପାଇ ସୁଖୀ ହୋଇଛନ୍ତି?”
ଏପରି ଏକ ପ୍ରଶ୍ନ ପାଇଁ ଜୟନ୍ତ ଆଦୌ ପ୍ରସ୍ତୁତ ନଥିଲେ।ଏଇମିତି ପ୍ରଶ୍ନ ତାଙ୍କ ମନରେ ଆଗରୁ ଥରେ ଅଧେ ଆସିଚି।ଏବଂ ସେତେବେଳେ ସେ ନିଜକୁ ଯାହା ଉତ୍ତର ଦେଇଛନ୍ତି ସେଇ ଉତ୍ତରଟାକୁ ପୁନରାବୃତ୍ତି କରି କହିଲେ,“ମାନୀ ହେଉଛି ସୀତା ସାବିତ୍ରୀ ଦଳର ସ୍ତ୍ରୀ।ଯେପରି ସ୍ତ୍ରୀ ପାଇଲେ ଜଣେ ସୁଖୀ ହେବାକୁ ବାଧ୍ୟ।”
ହଠାତ୍ ଅନେକ ଆଲୋକ ନିଭିଗଲା।
କେଉଁଠି ଯେପରି ଫିଉଜ୍ କଟିଗଲା।
ସୁଜାତା ଉଠୁ ଉଠୁ କହିଲେ,“ବହୁତ ରାତି ହେଲାଣି।ଯାଆନ୍ତୁ, ଶୋଇ ପଡ଼ିବେ-”
ଜୟନ୍ତ ଆତ୍ମସ୍ଥ ହୋଇ ତାଙ୍କୁ ଅଟକେଇବା ପୂର୍ବରୁ ସେ ଚାଲିଯାଇଥିଲେ।
ଜୟନ୍ତ ଡାକିଲେ,“ସୁଜାତା, ସୁଜାତା”।ସେ ଡାକ ଶୁଣିବା ଆଗରୁ ଶୋଇବା ଘରର କବାଟ ବନ୍ଦ କରି ସାରିଥିଲେ ସୁଜାତା।
୨୯।୬।୭୬
ଭୁବନେଶ୍ବର