କେତେ ଦୁଃଖ କେତେ ଅଶ୍ରୁ କେତେ ମୋର ହୃଦୟ ବିଳାପ
ଯାଚିଲି ମୁଁ ଦ୍ବାରେ ଦ୍ବାରେ କେହି ତାରେ ନେଲେ ନାହିଁ ଭାଗ,
ସବୁ ଦୁଃଖ ଆପଣାର, ଆପଣାର ସବୁ ମନସ୍ତାପ
ଆନେ ଯାହା ନେବେ ତାହା ଆନନ୍ଦ ଓ ପ୍ରୀତି ଅନୁରାଗ।
ତୁମେକିନ୍ତୁ ନିଜ ବକ୍ଷେ ଅଯାଚିତେ ମୋ ବେଦନା ଭାର
ବହିଚ, ମୋ ଅଶ୍ରୁଧାର ବହି ଯାଏ ତୁମରି ଭିତରେ,
ପବିତ୍ର ଗଙ୍ଗୋତ୍ରୀ ସମ କରିଯାଏ ଅବାଧ ସଂଚାର
ମୋର ତପ୍ତ ଦୀର୍ଘଶ୍ବାସ, ହେ ପ୍ରେୟସୀ ତୁମରି ଅନ୍ତରେ
ଅନୁରାଗ ନେଲେ ଯିଏ ଭୁଲିଗଲେ ତାହା ଅଳ୍ପ କାଳେ,
ମତେ କଲେ ପରିହାର, ଦେଇ ମତେ କ୍ଷଣିକ ଆଶ୍ରୟ-
ମୁଁ ତ ଚିର ଅମଳିନ ରହିଥିବି ତୁମ ବୁକୁ ତଳେ,
ଅଶ୍ରୁକୁ କରିଛମୋର ତୁମେ ଚିର ଗଉରବମୟ।
ହେ କାନ୍ତା କବିତା ମୋର, ହେ ନିଭୃତ ମାନସଚାଣୀ
ବରାଭୟ ଦିଅ ମୋତେ ହେବ ଚିର ଜୀବନସଂଗିନୀ