ନାରୀ


ତୁମଙ୍କୁ ଦେଖିଚି ନାରୀ ମୋର ଆଦ୍ୟ ତରୁଣ ବୟସେ

ସୁଦୂର ସଂଭ୍ରମେ, ସ୍ବପ୍ନ-ବିମୋହିତ ବିସ୍ମିତ ନୟନେ-

ପ୍ରକୃତି ରୂପିଣୀ ତୁମେ, ଶକ୍ତିମତୀ ତୁମରି ପରଶେ

ଶତ ଶ୍ବେତ ପଦ୍ମ ଫୁଟେ ଜୀବନର ପଙ୍କିଳ ଅୟନେ।

ବିମୁଗ୍ଧ ପ୍ରୀତିରେ ନାରୀ ତୁମ ପାଶେ ହୋଇଅଛି ଟାଣି

ଲଭିଚି ପରମ ତୃପ୍ତି ଆପଣାକୁ କରି ନିବେଦନ,

ହୃଦୟେ ରଖିଚି ତୋଳି ବରାଭୟା ଦେବୀ ବୋଲି ଜାଣି,

ଅସୀମା, ତୁମରି କୋଳେ ଲୋଡ଼ିଚି ମୁଁ ଆଶ୍ରୟ ପରମ

ତୁମଙ୍କୁ ଦେଖିଚି ପୁଣି ଉଭାହୋଇ ନିବିଡ଼ି ନିକଟେ,

ପ୍ରଲୁବ୍ଧ କରିଚି ମତେ ସୁଚପଳ ତନିମା ତୁମର

ଦେଖିଚି ଛଳନାମୟ ସଂତରଣ କାମନାର ତଟେ-

ତୁମର ବିଜୟୋଲ୍ଲାସେ ବିକ୍ଷୁବ୍ଧ ମୋ ହୋଇଚି ଅନ୍ତର।

ଅୟନାନ୍ତେ ହେ ରହସ୍ୟମୟୀ ଏଇ ବିଚାର ମୋହର,

ସୁଦୂର ସୁନ୍ଦର ତମେ, ନିକଟରେ ଅତି ଭୟଙ୍କର।

 




+ -