ବୁବୁନ୍ ଲେଖିଚି ଚିଠି
ଲମ୍ବା ଚିଠି,
ଦୂରଦେଶ କାଲିଫର୍ଣ୍ଣିଆରୁ
ପାଞ୍ଚବର୍ଷ ହେଲା ଅଛି
ସେଠି ସିଏ ପଢ଼ିବାକୁ ଯାଇ,
ପାଠପଢ଼ା ଶେଷ କରି
କରୁଛି ଚାକିରୀ।
ମୋଟା ଅର୍ଥ,
ଗବେଷଣା କରିବାକୁ ବିପୁଳ ସୁଯୋଗ-
ଅପୂର୍ବ ଯା ଭାରତ ବର୍ଷରେ
ତାକୁ ଛାଡ଼ି ଆସିବାକୁ ଚାହେଁ ନାହିଁ ସିଏ।
ଦୁଇ ତିନି ମାସ ଛାଡି ହଜାର ହଜାର
ଡଲାର ପଠାଇ ଦିଏ,
ଲେଖେ ତାର ଗବେଷଣା କଥା-
ଛାତି ମୋର ଫୁଲିଉଠେ
ତାହା ପାଇଁ ଗର୍ବ ଓ ଗୌରବେ।
ଭଲ ଲାଗେ କହିବାକୁ
ସମସ୍ତଙ୍କୁ ମତେ ତାର କଥା
ମୋ ବଂଶର ମଥାମଣି ସିଏ।
ଲେଖିଥିଲି ତାକୁ ଚିଠି,ପାଞ୍ଚବର୍ଷ ହେଲା,ଥରେ
ଆସି କାହୁଁ ମୋ ଜନ୍ମଭୂମିକୁ,
ଆସିବାକୁ ତୋର କେବେ ମନ ହୁଏନାରେ!
ଲେଖିଲା ସେ ଉତ୍ତରରେ
ଆର୍ନ୍ତଜାତିକ ଏଇ ପୃଥିବୀରେ ଆଜି
‘ଜନ୍ମଭୂମି’ଶବ୍ଦଟିର ଅର୍ଥ କିଛି ନାହିଁ,
ମୋର ଖାଲି ମନେ ପଡ଼େ
ଜେଜେ ତୁମେ ବହୁ ସମୟରେ
ବାବା,ମାମା ମଧ୍ୟ ମନେ ପଡନ୍ତି ମୋହର
ତାହା ଛଡ଼ା
ସେ କଥା କଥିତ ମୋର ଜନମ ଭୂମିରେ
ଆଉ କିଛି ସ୍ମରଣୀୟ ନାହିଁ।
ମୁଁ ଯିବା ସମ୍ଭବ ନୁହେଁ
ମୋର ଏଇ ଗବେଷଣା ଛାଡି।
ତୁମେ ତେଣୁ ଥରେ ଆସି, ଜେଜେ,
ଦେଖିଯାଅ ନୂଆ ପୃଥିବୀକୁ
ସେଠି ଥାଇ ହୁଏ ନାହିଁ
କରି କେବେ କଳ୍ପନା ଯାହାର।
ତାକୁ ଲେଖିଥିଲି ଚିଠି
ଅଳ୍ପଦିନ ପାଇଁ ବାବୁ ଥରଟିଏ ଆସ
ତୋର ବାହାଘର ହେବ।
ବୋହୂଟିଏ ଘରକୁ ଆଣିବୁ,
ଅଣ ନାତି ମୁହଁ ପଛେ ନ ଦେଖିଲି ନାହିଁ
ଦେଖିବାକୁ ଚାହେଁ ଖାଲି
ସୁନ୍ଦର ମୁହଁଟି ଏକ ନାତୁଣୀ ବୋହୁର,
ତାହା ପରେ ମୋ ମନ ସୁଖରେ
ଚାଲିଯିବି ମୁଁ ଆର ପାରିକୁ।
ଦେଖୁଚି ସୁନ୍ଦରୀ ଝିଅ ଯେତେ ଆଶେ ପାଶେ
ସମସ୍ତଙ୍କୁ ବୋହୁ କରି ଆଣିବାକୁ ମୋର
ହେଉଚିରେ ମନ ମୋର…।
ବୁବୁନ୍ ଲେଖିଚି ଚିଠି
ମୋ ଚିଠିର ଦେଇଛି ଉତ୍ତର।
ଲେଖିଚି ପ୍ରଣାମ ଜେଜେ
ଚମକି ପଡ଼ିବ ନାହିଁ ପଢ଼ି ମୋର ଚିଠି।
ତମେ ଲେଖିଥିଲ ପରା ତମେ ଖୁସୀ ହେବ
ମୋର ବାହାଘର ହେଲେ-
ଦେଉଚି ମୁଁ ଖୁସୀର ଖବର,
କାଲି ହୋଯାଇଅଛି ମୋର ବାହାଘର।
ଏଇ କାଲିଫର୍ଣିଆରେ
ମିସ୍ ମେରେଲିନ୍
ଦେଖିବାକୁ ବହୁତ ସୁନ୍ଦର,
ଭାରୀ ନମ୍ର,ଭାରୀ ଭଦ୍ର, ଭାରୀ ବୁଦ୍ଧିମତୀ,
ଅଠତିରିଶ ବୟସ ତାଙ୍କର
ମୋହଠାରୁ ଚାରିବର୍ଷ ବଡ।
ଅଧ୍ୟାପନା କରନ୍ତି ସେ ବିଶ୍ବବିଦ୍ୟାଳୟରେ
ଯଥାର୍ଥରେ ମୋର ଅଧ୍ୟାପିକା।
କିଛି ଦିନ ଧରି ଗଢ଼ି ଉଠିଥିଲା ଆମରି ବନ୍ଧୁତା
ପରିଣତ ହେଲା ଯାହା ଏଇ ପରିଣୟେ।
ଆମେ ଦୁଇଜଣ ଖୁସୀ ପରସ୍ପରେ ପାଇ
ସତରେ ବହୁତ ଖୁସୀ।
ମେରେଲିନ୍ଙ୍କର ସ୍ବାମୀ-ପୂର୍ବତନ ସ୍ବାମୀ
ସିଏ ମଧ୍ୟ ଅଧ୍ୟାପକ ବିଶ୍ବବିଦ୍ୟାଳୟେ
ଅନ୍ୟ ବିଭାଗରେ।
ସେ ମୁଖ୍ୟ ଅତିଥି ଥିଲେ
ଆମ ବିବାହରେ।
ମେରେଲିନ୍ଙ୍କର ପୁଅ
ହେନେରୀ ତା ନାମ,
ବୟସ ତା ଚଉଦରୁ ବେଶୀ,
ବାପାଙ୍କର ଦାୟୀତ୍ବରେ ରହି,ପଢ଼େ
ନିଉଜେରେସିରେ।
ହଷ୍ଟେଲରେ ରହେ।
ସେ ବି ଆସିଥିଲା ଆମ ବିବାହ ଉତ୍ସବେ,
ଆପଣା ଖୁସୀରେ।
ସାଂଗରେ ତା ଆସିଥିଲା ତା ସହପାଠିନୀ,
ତାର ଗାର୍ଲ ଫ୍ରେଣ୍ଡ
ନାମ ତାର ଇସିଆନା-
ସୁନ୍ଦରୀ କିଶୋରୀଟିଏ
ଚପଳ ଓ ବାବଦୁକା,
ଅନାୟାସେ ଗପିଗଲା ତା ଡେଟିଂ କଥା।
ଜେଜେ,
କେହି ମାନିନିଏ ନାହିଁ
ବିବାହର ବନ୍ଧନକୁ ଏଠି
ଜୀବନ-ବନ୍ଧନ ବୋଲି
ମୁଁ ବି ମାନୁ ନାହିଁ।
ମୋହପରି ମେରେଲିନ୍ ମଧ୍ୟ।
ଆମ ବିବାହରେ ତେଣୁ
ବୁଝାମଣା ଅତ୍ୟନ୍ତ ସୁସ୍ପଷ୍ଟ।
ଆମେ ପୁଣି ସହମତ,
ପାଞ୍ଚବର୍ଷ ପାଇଁ ଚୁକ୍ତିବଦ୍ଧ
ଏଇଠି ରହିଛୁ ଆମେ,
ଯାପନ କରିବୁ ଆମ ଦାମ୍ପତ୍ୟ ଜୀବନ,
ପରସ୍ପର ପ୍ରତି ଯଥା ସମ୍ଭବ ରହିବୁ
ଅନୁଗତ,ଅନୁରକ୍ତ।
ସେ ରହିବେ ତାଂକ ଘରେ-
ସପ୍ତାହରେ ତିନିଦିନ
ମୁଁ ହୋଇଚି ତାଙ୍କର ଅତିଥି।
ଆଉ ତିନିଦିନ ସିଏ
ମୋହ ସାଥେ ବିତାଇବେ ଆସି
ମୋହରି ଫ୍ଲାଟ୍ରେ
ହୋଇ ପ୍ରିୟ ଅତିଥି ମୋହର।
ସପ୍ତାହେ ଗୋଟିଏ ଦିନ
ବିତାଇବୁ ଆମେ ଏକାନ୍ତରେ
ଖାଲି ନିଜ ପାଇଁ
ପରସ୍ପରେ ନକରି ବିପ୍ଳିତ
ହୁଏତ ଚାହିଁଲେ ଆମେ
ହୋଇପାରୁ ସେଦିନ ଏକାଠି
ଆପଣାର ଘରେ ନୁହେଁ
ନଦୀ ତୀରେ,ସମୁଦ୍ର ପୁଲୀନେ
ପାନ୍ଥଶାଳା,ହୋଟେଲ ବା ଗେଷ୍ଟ ହାଉସରେ
ସୁଦୂରେ କେଉଁଠି
ଏକ ସନ୍ତାନରୁ ଆଦୌ ବେଶୀ ହେବ ନାହିଁ।
ପାଞ୍ଚବର୍ଷ ପରେ
ଆମେ ଯଦି ନକରୁ ନିଷ୍ପତ୍ତି
ରହିବାକୁ ଏକାଠି ପୁନଶ୍ଚ,
ମେରେଲିନ୍ଙ୍କର ପାଖେ
ରହିବ ସେ ସନ୍ତାନ ଆମର।