ପାଞ୍ଚବର୍ଷପରେ
ମୁଁ ହୁଏତ ଫେରିଯାଇ ପାରେ
କେବେ ପୁଣି ଭାରତ ବର୍ଷକୁ,
କିନ୍ତୁ ମେରେଲିନ କେବେ ପାରିବେନି ଯାଇ
ମୋ ସହିତ, କାରଣ, ତାଙ୍କର
ଗବେଷଣା ପ୍ରିୟତର
ଏ ଦାମ୍ପତ୍ୟ ଜୀବନ ଅପେକ୍ଷା।
ତାହା ତାଙ୍କୁ ଦେଇପାରେ
ପୂର୍ଣ୍ଣତା ଓ ସ୍ବୟଂସିଦ୍ଧା ହେବାର ଆନନ୍ଦ।
ବିବାହିତ ଜୀବନରେ ଆମ
କରିବୁନି କ୍ଷୁର୍ଣ୍ଣ କେହି କା’ର ସ୍ବାଧୀନତା।
ତଥାପି ଚାହିଁଲେ ଆମେ
ଏଇ ପାଞ୍ଚ ବରଷ ଭିତରେ
ହୋଇଯାଇପାରୁ ଭିନ୍ନ
ଯଦି ବାଧାପାଏ କେବେ ଆମ ଗବେଷଣା
କିମ୍ବା ଯଦି ସୃଷ୍ଟିକରେ
ଗୁରୁ ମାନସିକ ଚାପ ଆମର ସଂପର୍କ,
କିମ୍ବା ଯଦି କେହି ହୁଏ
ଦୈହିକ ସଂପର୍କ ପାଇଁ ଅକ୍ଷମ ବା ଅନିଚ୍ଛୁକ-
ଛାଡପତ୍ର ଦେଇ ଆମେ
ହୋଇଯାଇ ପାରିବୁ ଅଲଗା।
ଜେଜେ,
ତୁମକୁ ଅସ୍ବସ୍ତିକର ଲାଗୁଥିବ ଜାଣି
ମୋର ଏଇ ବାହାଘର କଥା।
ତଥାପି କରିବ ଚେଷ୍ଟା ବୁଝିବାକୁ
ଏ ନୂତନ ପୃଥିବୀକୁ
ବା ନୂତନ ସଭ୍ୟତାକୁ,
ବା ନୂତନ ବିଚାରଧାରାକୁ।
ଲେଖୁଚି ଅଲଗା ଚିଠି
ବାବା ଓ ମାମାଙ୍କୁ
ତାଙ୍କୁ ତୁମେ ଜଣାଇବ ସବୁ।
ପଠାଇଲି ବାହାଘର ଫଟୋସବୁ,
ଦେବ ଆଶୀର୍ବାଦ।
ଆମେ ଫେରି ଆସିଥିବୁ
ହନିମୁନ୍ ସାରି
ତୁମଚିଠି ଆସିବା ବେଳକୁ।
ପଢ଼ୁପଢ଼ୁ ବୁବୁନ୍ର ଚିଠି
ଥରୁଥିଲା ମୋର ହାତ,
ପଡିଥିଲା ସେ ଚିଠି ଉପରେ
ଦୁଇଟୋପା ଲୁହ ଖସି
କେତେବେଳେ ମୋ ଅଜାଣତରେ।
ଉଠିଗଲି ଚଉକିରୁ
ଅଳ୍ପଦୂର କାନ୍ଥ ନିକଟକୁ,
କାନ୍ଥରେ ଝୁଲୁଚି ଏକ ତୈଳଚିତ୍ର
ସ୍ବର୍ଗଗତା ଶୈଳ ରାଣୀଙ୍କର।
ସେ ତୈଳ ଚିତ୍ରକୁ ଚାହିଁ ରହିଲି ନୀରବେ,
‘ଜାଣିଚ’
ମନେ ପଡୁଚି କି ତୁମ ପଛକଥା,
ଦୂର କଥା ବାଉନ ବର୍ଷର।
ଆସିଥିଲା ଯେଉଁଦିନ ବୋହୁ ହୋଇ
ଆମରି ଘରକୁ।
ଯେଉଁଦିନ ଦେଖୁଥିଲି
ବହୁତ ଆୟାସ ପରେ
ତୁମର ଓଢ଼ଣା ତୋଳି ତୁମଙ୍କୁ ପ୍ରଥମେ।
ତୁମେ ବୁଜି ଦେଉଥିଲ ଆଖି।
ବହୁତ ମିନତି ପରେ
କହିଥିଲ ତୁନି ତୁନି ଦୁଇପଦ କଥା।
ପ୍ରଚଣ୍ଡ ଆବେଗ ଆଉ ଆନନ୍ଦରେ
ଆମେ ହୋଇ ଯାଇଥିଲେ ବିହ୍ବଳ ବିଭୋର।
ପରସ୍ପରେ ଚାହିଁଥିଲେ ଆମେ-
ବିବାହ ବେଦୀରେ ଆମେ ସାକ୍ଷୀ ରଖି
ଅଗ୍ନି ଦେବତାଙ୍କୁ
ହୋଇଥିଲେ ଜୀବନର ସାଥୀ।
ପ୍ରେମର ଦେବତା ପାଶେ, ପ୍ରଣୟ-ବେଦୀରେ
ନେଇଥିଲେ କିନ୍ତୁ ବ୍ରତ
ହେବାପାଇଁ ସାଥୀ ଜନ୍ମଜନ୍ମାନ୍ତର ଲାଗି।
ଆଜି ବି ସେ ସ୍ମତି ଆଣେ ମନ ତଳେ
ପୁଲକ ସ୍ପନ୍ଦନ,
ଆଜି ବି ତ ମୋ ସ୍ମୃତିରେ
ରହିଛି ତା ଶିଳାଲେଖ ପରି
ମୁଁ କରୁଚି ସଦା ବୋଧ
ମୋହଠାରୁ ଦୂରେ ତୁମେ ଥାଇ
ମୋହପାଇଁ କରୁଛ ଅପେକ୍ଷା
ରହିଛ ଏକାନ୍ତେ ଚାହିଁ
ମୋହରି ପଥକୁ।
ମୁଁ ତେଣୁ ଚାହୁଁଚି ଶୈଳ
ନିରନ୍ତର ଚାଲିଯିବା ପାଇଁ
ତୁମ ନିକଟକୁ,
ତୁମ ସାଙ୍ଗେ ମିଶି ପୁଣି ହୋଇଯିବା ପାଇଁ
ଏକ ଓ ଅଭିନ୍ନ।
କିନ୍ତୁ ଶୈଳ
ଏ କଅଣ କଲା ସତେ ବୁବୁନ୍ ଆମର?
ମୁଁ ତ କିଛି ଭାବି ପାରୁନାହିଁ
ମୁଁ ତ କିଛି ବୁଝି ପାରୁନାହିଁ
କହି କି ପାରିବ ଶୈଳ
ପ୍ରକୃତରେ କଣ ଠିକ୍ କଣ ଭୁଲ୍ ଏଇ ଜୀବନରେ
କେଉଁଟା ଖରାପ ଆଉ କେଉଁଟା ଯେ ଭଲ
ସତ୍ୟ ଶିବ ସୁନ୍ଦରର ରୂପ ସେ କିପରି?
ମୁଁ ତ କିଛି ଭାବି ପାରୁନାହିଁ
ମୁଁ ତ କିଛି ବୁଝି ପାରୁନାହିଁ
ମତେ ନେଇଯାଅ ଶୈଳ
ତୁମର ପାଖକୁ।
୨୭-୮-୯୨
ଝାର୍ସୁଗୁଡା