ଜିଲ୍ଲାପାଳ ଭାବରେ ଯେଉଁ ଦିନ ଦାୟିତ୍ବ ନେବାକୁ ପହଞ୍ଚିଲି,ସେହିଦିନ ହିଁ ତାକୁ ଦେଖିଲି।ଖାଲି ଏମିତି ଦେଖିଥିଲେ ହୁଏତ ଚିହ୍ନି ପାରିନଥାନ୍ତି।କିନ୍ତୁ ତାର ନାଁ’ଟା ଶୁଣିବା ମାତ୍ରେ ମନରେ ସନ୍ଦେହ ଆସିଲା।ନାଁ ଟା ତାର ସାଧାରଣ ନାଁ ଠାରୁ ଟିକିଏ ଅଲଗା।ଏପରି ନାଁ କେବଳ ମୋ ଜାଣିବା ଭିତରେ ତାର ହିଁ ଥିଲା।ପୁଣି ତା ସହିତ ସରନେମ୍ ବି ମିଳିଗଲା। ନିଃସନ୍ଦିଗ୍ଧ ହେବାପାଇଁ ମୋର ପଦମର୍ଯ୍ୟାଦା ଦୃଷ୍ଟିରୁ ଉଚିତ ଦୂରତ୍ବ ଓ ସଂଯମ ରକ୍ଷା କରି କଥା ପ୍ରସଙ୍ଗରେ ତା’ଠାରୁ ତାର ପରିଚୟ ସଂଗ୍ରହ କରିନେଲି।
ତା ନାମ ସୁପରିମଳ ମହାପାତ୍ର।ତାର ବାପାଙ୍କ ନାମ ସୁବ୍ରତ ମହାପାତ୍ର।ଗୋଟିଏ ବଡ଼ ବ୍ୟାଙ୍କରେ ଉଚ୍ଚ ପଦସ୍ଥ ଅଫିସର ଥିଲେ।ତାଙ୍କ ଘର ବାଲେଶ୍ବର ଜିଲ୍ଲାରେ।
ଆପେ ଆପେ ମୋର ମନେପଡ଼ିଗଲା ସୁପରିମଳର ଡାକ ନାମ ଥିଲା ପିକ୍ଲୁ।ସେଇ ନାମରେ ହିଁ ସେ ବେଶୀ ପରିଚିତ ଥିଲା।
ଜିଲ୍ଲାପାଳ ଭାବରେ ଏଇ ପ୍ରଥମ ଦାୟିତ୍ବ ନେଲି ଆଜି।କିନ୍ତୁ ଏଇ ଖୁସୀ ଦିନରେ ପିକ୍ଲୁକୁ ଏହିପରି ଅପ୍ରତ୍ୟାଶିତ ଭାବରେ ଦେଖିବା ପରେ ମନଟା ଦୂର ଅତୀତର ବିବର୍ଣ୍ଣ ସ୍ମୃତିରେ ବିଷର୍ଣ୍ଣ ହୋଇ ପଡ଼ିଲା।
ପିକ୍ଲୁ ମୋ ଅଫିସରେ ଗ୍ରେଡ଼୍ୱାନ୍ ଆସିଷ୍ଟାଣ୍ଟ।ତାର ଶୀର୍ଣ୍ଣ ଦେହ ସାଧାରଣ ବେଶ ପୋଷାକ ଓ ମ୍ଳାନ ମଳିନ ମୁଖ ପାଖରେ ମୋର ତେଜୋଦୀପ୍ତ ଉପସ୍ଥିତି ମତେ ଯେପରି ସଂକୁଚିତ କରି ପକାଇଲା।
ଆଜି ଅତୀତ ଯେପରି ବର୍ତ୍ତମାନ ଅପେକ୍ଷା ଅଧିକ ଜରୁରୀ ହୋଇ ମୋ ପାଖରେ ନିଜକୁ ଜାହିର କରୁଛି।ଅତୀତକୁ ସ୍ମରଣ ନ କରି ଆଜି ମୋର ଉପାୟ ନାହିଁ।ଆଉ ପ୍ରଥମେ ଅତୀତର ସେଇ ଭୟଙ୍କର ଦିନଟା କଥାହିଁ ମନକୁ ଆସୁଛି।
ଦୀର୍ଘ ୧୭ ବର୍ଷତଳେ ଏକ ମ୍ଳାନ ଅପରାହ୍ନର ସେଇ ଅତୀତର ବେଦନା ଦାୟକ ଘଟଣାଟାକୁ ମନେପକାଇବା ବେଳେ ମୋର ଅନ୍ତର ଭିତରଟା ଆଜି ବି ବିକ୍ଷୋଭିତ ହୋଇଉଠୁଛି।
ଆମେମାନେ ସବୁ ଖେଳୁଥିଲୁ।ପିକ୍ଲୁର ବାପାଙ୍କର କ୍ବାଟର୍ସ ଆଗରେ ଗୋଟିଏ ବିସ୍ତୀର୍ଣ୍ଣ ପଡ଼ିଆ ଥିଲା।ସେଇଠି ଆମେମାନେ ଫୁଟବଲ୍ ଖେଳୁଥିଲୁ।ମୁଁ ପିକ୍ଲୁ ଓ ଆମର ଅନେକ ସମବୟସୀ ସହପାଠୀ ବନ୍ଧୁ।ଖେଳ ଖୁବ୍ ଜମି ଉଠିଥିଲା।ବାଜିଥିଲା ଯେଉଁ ଦଳ ହାରିବ ସେ ଅନ୍ୟଦଳକୁ କୋଲ୍ଡ଼୍ଡ଼୍ରିଙ୍କ୍ ପିଇବାକୁ ଦେବ।ମୁଁ ଥିଲି ପିକ୍ଲୁର ବିରୋଧୀ ଦଳରେ।ଆମର ଦଳରୁ ମୁଁ ପ୍ରଥମେ ଗୋଟିଏ ଗୋଲ୍ ଦେଇଥିଲି।କିଛି ସମୟ ପରେ ପିକ୍ଲୁର ଦଳ ସେଇ ଗୋଲ୍ଟାକୁ ଶୁଝାଇ ଦେଲେ।ଏହିପରି ଉତ୍ତେଜନା ପୂର୍ଣ୍ଣ ସମୟରେ ପିକ୍ଲୁ ଘରୁ ତାଙ୍କ ଚାକର ପିଲା ଆସି ଡ଼ାକପକାଇଲା, ‘ପିକଲୁବାବୁ,ପିକ୍ଲୁବାବୁ ଜଲଦି ଆସ।ମା ଡାକୁଛନ୍ତି।’
ପିକ୍ଲୁ ଅନିଚ୍ଛାସତ୍ତ୍ବେ ଚାଲିଗଲା,ଖେଳ କିଛି ସମୟ ପାଇଁ ସ୍ଥଗିତ ରଖିବାକୁ କହି।ଆମେମାନେ ଦେଖିଲୁ ପିକ୍ଲୁର ଘର ଆଗରେ ଗୋଟାଏ ଜିପ୍ ଆସି ରହିଥିଲା।ସେଇଠି ଜଣେ ପୋଲିସ୍ ଅଫିସର୍ ଠିଆ ହୋଇଥିଲେ।ସ୍ବାଭାବିକ କୌତୁହଳ ନେଇ ଅମେ ସମସ୍ତେ ପିକ୍ଲୁ ଘରକୁ ଦୌଡ଼ି ଆସିଲୁ।ସେତେବେଳେ ପିକ୍ଲୁ ଓ ତାର ଦୁଇ ଭାଇଭଉଣୀଙ୍କୁ ନେଇ ପିକ୍ଲୁର ମା ଜିପ୍ରେ ବସିବାକୁ ଯାଉଥିଲେ।ତାଙ୍କର ମୁହଁ ଦେଖି ମୁଁ ବୁଝିପାରିଲି ଗୋଟିଏ କିଛି ବିପଦ ଘଟି ଯାଇଛି।ପିକ୍ଲୁ ମତେ ଦେଖିପାରି କହିଲା,‘ଡାକ୍ତରଖାନାକୁ ଯାଉଛି।ବାପାଙ୍କର ଗାଡ଼ି ଆକ୍ସିଡେଣ୍ଟ ହୋଇଛି।’
ଜିପ୍ ଚାଲିଗଲା,ଆମର ଖେଳ ବି ବନ୍ଦ ହୋଇଗଲା।ଆମେ ସମସ୍ତେ ଡାକ୍ତରଖାନାକୁ ଦୌଡ଼ିଲୁ।ଡାକ୍ତରଖାନା ସେଠାରୁ ମାଇଲିଏ ଦୂର।
ଡାକ୍ତରଖାନାରେ ପହଞ୍ଚିବାମାତ୍ରେ ସେଇ ମର୍ମନ୍ତୁଦ ଖବର ମିଳିଲା।ପିକ୍ଲୁର ବାପା ଆଉ ନାହାନ୍ତି।କାର୍ ଦୁର୍ଘଟଣାରେ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା।ଡାକ୍ତରଖାନାରେ ବହୁତ ଲୋକ ଜମା ହୋଇଥିଲେ।ତା ଭିତରେ ପାଗଳିନୀ ପରି ମୁଣ୍ଡପିଟି କାନ୍ଦୁଥିଲେ ପିକ୍ଲୁର ମା,ପିକ୍ଲୁ ଓ ତାର ଭାଇ ଭଉଣୀ।ମୁଁ ଏ ଦୃଶ୍ୟ ଦେଖିବା ମାତ୍ରେ ଭୋ ଭୋ ହୋଇ କାନ୍ଦି ଉଠିଲି।
ସେଇ କରୁଣଦୃଶ୍ୟ ସ୍ମରଣ କରି ଆଜି ବି ମୋର ଆଖି ଛଳ ଛଳ ହୋଇ ଉଠୁଛି।
ପିକ୍ଲୁର ବାପା ଥିଲେ ବ୍ୟାଙ୍କ୍ ମ୍ୟାନେଜର। ତାଙ୍କୁ ଗୋଟାଏ ବଡ଼ କ୍ବାଟରସ୍ ମିଳିଥିଲା।ତାଙ୍କର କାର୍ ଥିଲା।ଘର ଆଗରେ ସୁନ୍ଦର ସୁନ୍ଦର ଫୁଲର ବଗିଚା ଥିଲା।ଘର ଭିତରେ ଦାମିକା ସୋଫା ପଡ଼ିଥିଲା।ଦୁଆର ଓ ଝରକାରେ ଖୁବ୍ ସୁନ୍ଦର ସୁନ୍ଦର ପରଦା ଲାଗିଥିଲା।ତାଙ୍କ ଘର ଫ୍ରିଜ୍ ଥିଲା,ଆହୁରି ଅନେକ ଦାମିକା ଓ ସୁନ୍ଦର ଜିନିଷ ଥିଲା।ପିକ୍ଲୁର ବାପା ଆମ ମାନଙ୍କ ଭାଷାରେ ଥିଲେ ବଡ଼ ଅଫିସର, ବଡଲୋକ।ସେ ଆଗରୁ ଓଡ଼ିଶା ବାହାରେ କେଉଁଠି ଥିଲେ। ସେଇଠୁ ବଦଳି ହୋଇ ଆମ ସହରକୁ ଆସିଥିଲେ।ପିକ୍ଲୁ ସପ୍ତମ ଶ୍ରେଣୀରେ ନାଁ ଲେଖାଇଲା।ଏକା ସେକ୍ସନ୍ରେ ପଢ଼ିବାରୁ ତା ସହିତ ମୋର ପରିଚୟ ଓ ବନ୍ଧୁତା ହେଲା ଅତ୍ୟନ୍ତ ସ୍ବାଭାବିକ ରୀତିରେ।
ମୁଁ ଥିଲି ଗରିବ ଘରର ପିଲା।ମୋ ବାପା ଥିଲେ ଗୋଟିଏ ପ୍ରାଇମେରୀ ସ୍କୁଲର ଶିକ୍ଷକ।ମୋର ମନେପଡ଼ୁଛି,ମତେ ପ୍ରଥମେ ଯେଉଁଦିନ ପିକ୍ଲୁ ତାଙ୍କ ଘରକୁ ଡ଼ାକି ନେଇଥିଲା,ସେଦିନ ମୁଁ ତାଙ୍କର ସେଇ ଫାଟକ ଡ଼େଇଁ ଭିତରକୁ ଯିବାକୁ ସାହାସ କରି ପାରୁନଥିଲି ମୋର ଦୈନ୍ୟ ପାଇଁ।ଏକ ହୀନମନ୍ୟତା ମତେ ପଛରୁ ଭିଡ଼ି ରଖୁଥିଲା।କିନ୍ତୁ ପିକ୍ଲୁ ମତେ ଘରଭିତରକୁ ଟାଣି ନେଇ ଯାଇଥିଲା।ଡ୍ରଇଂ ରୁମ୍ରେ ତାର ବାପା ଓ ମା ବସିଥିଲେ।ପିକ୍ଲୁ ମତେ ତାଙ୍କ ସହିତ ପରିଚୟ କରେଇ ଦେଲା,ମୋର ସାଙ୍ଗ ପ୍ରଭାତ ଚନ୍ଦ୍ର ନାୟକ।ତା’ରି କଥା ମୁଁ ସେଦିନ କହୁନଥିଲି।ଆମ କ୍ଲାସରେ ସେ ଫାଷ୍ଟ ହୁଏ।’
‘ଆସ ଆସ,ବସ ପ୍ରଭାତ।’କହି ପିକ୍ଲୁର ବାପା ମତେ ସଂଭାଷଣ କଲେ।ସୋଫା ଉପରେ ତାଙ୍କ ପାଖରେ ବସିବାକୁ ମୋର ଟିକିଏ ବି ଭରସା ପାଉନଥିଲା।ମୋର ଯେଉଁ ଅପରିଷ୍କାର ପ୍ୟାଣ୍ଟ ଜାମା।‘ବସ୍ ଯା’ କହି ମତେ ପିକ୍ଲୁ ତାଙ୍କ ପାଖରେ ବସାଇ ଦେଲା।ମୋ ପାଇଁ ତାହାଥିଲା ଏକ ଦାରୁଣ ଲଜ୍ଜ୍ବା,ସଂକୋଚ ଓ ଭୟମିଶା ଅନୁଭୂତି।ତା ପରେ ତାଙ୍କ ଘରେ ସେଦିନ ମୋର ଭୁରି ଭୋଜନ।ପିକ୍ଲୁର ମା ମତେ ନିଜ ପିଲାପରି ଯତ୍ନ ଆଦର କରି ଖାଇବାକୁ ଦେଲେ।
ପିକ୍ଲୁର ବାପା ଥିଲେ ଅତି ସରଳ ଓ ଅମାୟିକ ଲୋକ।ପତଳା ଓ ଟିକିଏ ଡେଙ୍ଗା।ତାଙ୍କୁ ଦେଖିଲେ ବଡ଼ ଅଫିସର୍ ବୋଲି ଟିକିଏ ବି ଭୟ ଲାଗୁ ନ ଥିଲା।ତାଙ୍କର ବ୍ୟବହାର କଥାବାର୍ତ୍ତା ସବୁଥିଲା ସହଜ,ଅତି ସହଜ।ଖାଲି ମୁଁ ନୁହେଁ ଆମେ ଯେତେପିଲା ତାଙ୍କ ଘରକୁ ଯାଉ,ସମସ୍ତଙ୍କ ସହିତ ସେ ଭଲ ବ୍ୟବହାର କରନ୍ତି।ସମସ୍ତଙ୍କ ନାଁ ମନେ ରଖିଥାନ୍ତି । ପିକ୍ଲୁର ମା ସମସ୍ତଙ୍କୁ ଯାଇ ତାକୁ ଦିଅନ୍ତି-ମିଠା,ଅଣ୍ଡା, ବିସ୍କୁଟ,ରସଗୋଲା,କଦଳୀ,କମଳା,ଆପଲ୍ କେତେ କଣ। ଯେତେବେଳେ ଯିଏ ତାଙ୍କ ଘରକୁ ଯାଏ କିଛି ନା କିଛି ଖାଇବାକୁ ସେ ବାଧ୍ୟ।ବହୁତ ଥର ମୁଁ ତାଙ୍କ ଘରେ ଖାଇଛି।ପିକଲୁ ଓ ତାଙ୍କ ଭାଇ ଭଉଣୀଙ୍କର ଜନ୍ମ ଦିନରେ ଆମେ ପିକ୍ଲୁର ଯେତେ ସାଙ୍ଗ ସାଥୀ ସମସ୍ତେ ତାଙ୍କ ଘରେ ଖାଇବା ପାଇଁ ନିମନ୍ତ୍ରଣ ପାଉ।
ପିକ୍ଲୁର ମୁଁ ଥିଲି ଅନ୍ତରଙ୍ଗ ବନ୍ଧୁ।ତାଙ୍କ ଘରେ ମଧ୍ୟ ମୋ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଥିଲା ମୁଁ ଭଲ ପଢ଼େ ବୋଲି।
ଆମ ବନ୍ଧୁମାନଙ୍କର କେନ୍ଦ୍ରବିନ୍ଦୁ ଥିଲା ପିକ୍ଲୁ।ଆମର ଯେତେ ଖେଳ ସରଞ୍ଜାମ ସବୁ ଯୋଗାଏ ପିକ୍ଲୁ।ଆମେମାନେ କେବଳ ଖେଳିବା କଥା।ତା ଛଡ଼ା ପିକ୍ଲୁ ଘରେ ଆମ କେତେକଙ୍କ ପାଇଁ ଆଉ ଗୋଟିଏ ସ୍ବତନ୍ତ୍ର ଆକର୍ଷଣ ଥିଲା।ତାହା ହେଉଛି ତାର ଲାଇବ୍ରେରୀ।ପିକ୍ଲୁର ବାପା ତା ପାଇଁ ଅନେକ ବହି କିଣୁଥିଲେ।ଗୋଟିଏ ଆଲମାରୀ ପିଲାଙ୍କ ବହିରେ ଭର୍ତ୍ତି ହୋଇ ରହିଥିଲା।ବହୁତ ପିଲାଙ୍କ ପତ୍ରିକା ବି ତାଙ୍କର ଆସୁଥିଲା।ପ୍ରତି ମାସରେ ନୂଆ ନୂଆ ବହି କିଣା ହେଉଥିଲା। ଆମେ ସମସ୍ତେ ମନଇଚ୍ଛା ବହି,ପତ୍ର ପତ୍ରିକା ନେଇ ପଢ଼ିବାର ସୁଯୋଗ ପାଉଥିଲୁ ।
ପିକ୍ଲୁର ବାପା ଆମମାନଙ୍କୁ କହିଥିଲେ,ତୁମେମାନେ ତିନିଟା କଥା ମନେରଖ।ପିଲାମାନଙ୍କର ତିନୋଟି କାମ- ଖାଇବା,ଖେଳିବା ଓ ପଢ଼ିବା।ଖାଇବା ବେଳେ ଯାହା ମିଳିଲା ମନ ଆନନ୍ଦରେ ପେଟ ପୂରେଇ ଖାଅ।ଖେଳିବା ବେଳେ ମନ ଆନନ୍ଦରେ ନାଚି କୁଦି ଖେଳ।ପଢ଼ିବାବେଳେ ମନ ଖୁସୀରେ ମନ ଲଗାଇ ପଢ଼।ଏଥିରୁ କୌଣସି ଗୋଟିଏ କଥାରେ ତ୍ରୁଟି କଲେ ଚଳିବ ନାହିଁ।
ସପ୍ତମ ଶ୍ରେଣୀରେ ବୃତ୍ତି ପରୀକ୍ଷା ଫଳ ଯେଉଁ ଦିନ ବାହାରିଲା ସେଦିନ ତାଙ୍କ ଘରେ ମୋ ପାଇଁ ଥିଲା ସ୍ବତନ୍ତ୍ର ନିମନ୍ତ୍ରଣ। ମୁଁ ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲି।ପିକ୍ଲୁ ବି ବୃତ୍ତି ପାଇଥିଲା।ଭୁରି ଭୋଜନ ପରେ ମୋ ପାଇଁ ସ୍ବତନ୍ତ୍ର ଉପହାର ବି ଥିଲା ତିନି ଚାରିଖଣ୍ଡ ବହି।ଏବେ ବି ମନେଅଛି,ସେ ବହିରୁ ଖଣ୍ଡିଏ ଥିଲା ମହାତ୍ମାଗାନ୍ଧୀଙ୍କ ଆତ୍ମ ଜୀବନୀ। ଆଉ ଖଣ୍ଡିଏ ଡ଼ିକେନସ୍ଙ୍କର ସଂକ୍ଷିପ୍ତ ଡ଼ାଭିଡ଼ କପରଫିଲିଡ଼୍।ବହି ସାଙ୍ଗରେ ଥିଲା ଭଲ ଜାମା ପ୍ୟାଣ୍ଟ ଥିବା ଗୋଟିଏ ପ୍ୟାକେଟ୍ ଓ ଗୋଟିଏ ପ୍ୟାକେଟ୍ ସନ୍ଦେଶ।ରାତିରେ ତାଙ୍କ କାର୍ରେ ଆଣି ପିକ୍ଲୁ ଓ ତାରବାପା ମତେ ଆମଘରେ ଛାଡ଼ିଦେଇ ଯାଇଥିଲେ।ମତେ ବିଦାୟ ଦେବାବେଳେ ପିକ୍ଲୁର ବାପା କହିଲେ,‘ପ୍ରଭାତ,ସାବଧାନ।ପିକ୍ଲୁ ଆଗାମୀ ପରୀକ୍ଷାରେ ତୁମର ପ୍ରଥମ ସ୍ଥାନଟା ଅଧିକାର କରି ନେବାକୁ ମନେ ମନେ ସଂକଳ୍ପ କରିଛି।ତୁମେ ଯେପରି ତୁମ ସ୍ଥାନରୁ ହଟି ନଯାଅ।’
ପିକ୍ଲୁର ବାପା,ଗୋରା ତକ୍ତକ୍ ଦେହ,ଲମ୍ବା ଶରୀର,ମୁହଁରେ ସବୁବେଳେ ଯେପରି ପ୍ରସନ୍ନତା ପୂରି ରହିଥାଏ।ବେଶ ଭୂଷାରେ ସାଧାରଣ।ବ୍ୟବହାରରେ ଅମାୟିକ।ପିକ୍ଲୁର ସେଇ ଦେବୋପମ ବାପା ଆଉ ଇହ ସଂସାରରେ ନଥିଲେ।ଏ ଦାରୁଣ ସତ୍ୟକୁ ମୁଁ ବିଶ୍ବାସ କରି ପାରୁନଥିଲି।ସମସ୍ତେ ତାଙ୍କ ଗୁଣ ସ୍ମରଣ କରୁଥିଲେ।ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ।ସେ ଥିଲେ ଭାରୀ ଦୟାଳୁ।କାହାକୁ କେତେ ପ୍ରକାର ସାହାଯ୍ୟ କରିଛନ୍ତି,କାହାର କେତେ ଉପକାର କରିଛନ୍ତି। ସମସ୍ତେ ଏସବୁ ମନେ ପକାଇ ହାହାକାର କରୁଥିଲେ।ବୁକୁ ଫଟାଇ କାନ୍ଦୁଥିଲେ ପିକ୍ଲୁର ମା,ପିକ୍ଲୁ,ତାର ଭାଇ ଭଉଣୀ।ମୁଁ ବି କାନ୍ଦୁଥିଲି।
ସାତ ଆଠଦିନ ପରେ ପିକ୍ଲୁ ହେରିକା ଆମ ସହର ଛାଡ଼ି ଚାଲିଗଲେ।ସେଇ ସାତ ଆଠଦିନ ମୁଁ ପିକ୍ଲୁ ଘରକୁ ସବୁଦିନ ଯାଇଛି।ପିକ୍ଲୁ ମୁହଁପୋତି ବସିଥାଏ।ତାର ବିଷର୍ଣ୍ଣ କରୁଣ ମୁଖ ଦେଖିଲେ ମୋ ଛାତି ଫାଟିଗଲା ପରି ଲାଗେ। ସେ କିଛି କଥା କହେନା।ମୁଁ ବି ତାକୁ କିଛି ସାନ୍ତ୍ବନା ଦେଇପାରେନା।କେବଳ ଘଣ୍ଟା ଘଣ୍ଟା ଧରି ତା ପାଖରେ ବସେ।ତା ପରେ ‘ଯାଉଚି’କହି ଚାଲିଆସେ।ପିକ୍ଲୁ ପଦଟିଏ ବି କଥା କହେନା।ମୁଁ ବୁଝିପାରେ ଗଭୀର ବେଦନାରେ ତାର ବାକ୍ରୁଦ୍ଧ ହୋଇ ଯାଇଥିଲା।ପିକ୍ଲୁର ବାପା ତା ପାଇଁ ଖାଲି ବାପା ନଥିଲେ।ଆମ ସମସ୍ତଙ୍କ ପାଇଁ‘ବାପା’ଯାହା ପିକ୍ଲୁର ବାପା ତାହା ନଥିଲେ।ପିକ୍ଲୁ ତା ବାପାଙ୍କୁ ଆଦୌ ଭୟ କରୁନଥିଲା।କିନ୍ତୁ ଭକ୍ତି କରୁଥିଲା,ଶ୍ରଦ୍ଧା କରୁଥିଲା,ଭଲ ପାଉଥିଲା।ସେ ଥିଲେ ତାର ପରମ ଶୁଭାକାଂକ୍ଷୀ ବନ୍ଧୁ।ସେଇ ବାପାଙ୍କର ଆକସ୍ମିକ ମୃତ୍ୟୁ ତାଙ୍କର ପିଲାମାନଙ୍କୁ ଏକାବେଳେକେ ଏକ ଦୁର୍ଦ୍ଦାନ୍ତ ଝଡ଼ ପରି ଭାଙ୍ଗି ପକେଇଥିଲା।
ସେଇ ସାତ ଆଠଦିନ ପିକ୍ଲୁ ଘରକୁ ମୁଁ ବାରମ୍ବାର ଯାଇଛି।ମୋର ବାପା ମା ମଧ୍ୟ ଯାଇଛନ୍ତି।କିନ୍ତୁ ଏତେ ବଡ଼ ବିପତ୍ତିରେ ଆମେ ତାଙ୍କୁ କଣ ବା ସାନ୍ତ୍ବନା ଦେଇ ପାରିଥାନ୍ତୁ।ସେମାନେ ଶେଷରେ ଚାଲିଗଲେ।ଯିବାବେଳେ ମଧ୍ୟ ପିକ୍ଲୁ ମତେ କଥା କହିଲା ନାହିଁ।ମୁଁ ଭୋ ଭୋ ହୋଇ କାନ୍ଦିଲି।ସେ ବି କାନ୍ଦିଲା।ତାର ମା ବି କାନ୍ଦିଲେ।କେତେ ସୁନ୍ଦର ତାଙ୍କ ମା। କିନ୍ତୁ ସେଇ ସାତ ଆଠଦିନ ଭିତରେ ସେ ଯେପରି ଅନେକ ବଦଳି ଯାଇଥିଲେ। କାନ୍ଦି କାନ୍ଦି ତାଙ୍କର ଆଖି ମୁହଁ ଫୁଲି ଯାଇଥିଲା।
ପିକ୍ଲୁ ଚାଲିଗଲା।ଯିବାବେଳେ ମୁଁ ତାଙ୍କର ଠିକଣା ମାଗି ରଖିପାରିଲି ନାହିଁ।ସେ ବି ଚିଠି ଲେଖି ତା ଠିକଣା ଜଣାଇଲା ନାହିଁ। ତା ସହିତ ସମ୍ପୂର୍ଣ୍ଣ ବିଚ୍ଛେଦ ହୋଇଗଲା।ମୁଁ ଅନେକ ଦିନଧରି ତାକୁ ଝୁରି ହୋଇଛି।ତାକୁ ସ୍ବପ୍ନ ଦେଖିଛି।ମନେ ମନେ ତାକୁ ଖୋଜିଛି।ତାକୁ ଆଉ ପାଇନାହିଁ।ସେ କୁଆଡ଼େ ପୃଥିବୀର ଅଗଣିତ ଜନ ସମୁଦ୍ରରେ ମିଶିଗଲା।ବାପା କହୁଥିଲେ,ସୁବ୍ରତବାବୁ ଏତେ ବଡ ଅଫିସର ଥିଲେ।ମାସକୁ ପାଞ୍ଚ ହଜାର ଟଙ୍କା ଦରମା ପାଉଥିଲେ।କିନ୍ତୁ ତାଙ୍କର ସଞ୍ଚୟ ବୋଲି କିଛି ନଥିଲା।ତାଙ୍କ ନିଜର ରହିବା ଘର ବି ନଥିଲା।ଯେତେଯାହା ସେ ଅର୍ଜନ କରୁଥିଲେ ସବୁ ବିନା ଦ୍ବିଧାରେ ଖର୍ଚ୍ଚ କରି ପକାଉଥିଲେ।ମୃତ୍ୟୁ ବେଳକୁ ତାଙ୍କର ସଂଚୟ ତ କିଛି ନଥିଲା,ଅଧିକନ୍ତୁ ଋଣ ଥିଲା ବହୁତ।
ସମୟ ତାର ଗତାନୁଗତିକ ଛନ୍ଦରେ ଆଗେଇ ଚାଲିଲା।କାଳକ୍ରମେ ମୁଁ ପିକ୍ଲୁକୁ ଭୂଲିଗଲି।ମୋର କର୍ତ୍ତବ୍ୟ ବୋଧ ମତେ ସବୁ ଭୁଲାଇଦେଲା।ମୁଁ ଆଗକୁ ଆଗ ମାଡ଼ି ଚାଲିଲି।ମାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ପ୍ରଥମ ହେଲି। ବି.ଏ.ରେ ବେଷ୍ଟ ଗ୍ରାଜୁଏଟ୍ ହେଲି।ଏମ୍.ଏ ରେ ପ୍ରଥମ ଶ୍ରେଣୀରେ ପ୍ରଥମସ୍ଥାନ ପାଇଲି।ଆଇ. ଏ. ଏସ୍ ପରୀକ୍ଷାରେ ଉଚ୍ଚସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲି।ବଡ଼ ଘରେ ବିବାହ କଲି।ମୋର ସ୍ତ୍ରୀ ଓ ସନ୍ତାନ ନେଇ ପରିବାର ଗଢ଼ି ଉଠିଛି।ବିଭିନ୍ନ ସ୍ଥାନରେ ଏସ୍.ଡ଼ି.ଏମ୍ ଭାବରେ କାମ କରି ମୁଁ ଆଜି ଜିଲ୍ଳାପାଳ ଭାବରେ ଦାୟିତ୍ବ ନେଇଛି।
କିନ୍ତୁ ଆଜି ଯେ ୧୭ ବର୍ଷ ତଳର ସ୍ମୃତି ମତେ କେତେ ବାଧିତ କରୁଛି ସେକଥା ମୁଁ କାହାକୁ କହିବି।ପିକ୍ଲୁ ବୋଧହୁଏ ମତେ ଚିହ୍ନି ପାରିନି।କିମ୍ବା ଯଦି ଚିହ୍ନି ପାରିଥାଏ,ତେବେ ତାର ସ୍ଥାନ ବିଷୟରେ ତୀବ୍ର ସଚେତନତା ତାକୁ ମୋ ପାଖରେ ତାର ପୁରୁଣା ବନ୍ଧୁତାର ଛିଣ୍ଡା ସୂତାକୁ ଯୋଡ଼ିବାକୁ ସାହସ ଦେଇନାହିଁ।ସେ କଣ ମତେ ଜିଲ୍ଲାପାଳ ଭାବରେ ଦେଖି ହଡ଼ ବଡ଼େଇ ଯାଇଥିବ!
ପିକ୍ଲୁ କଣ ଥିଲା,କଣହୋଇଛି।
ଅଷ୍ଟମ ଶ୍ରେଣୀରେ ଇଂରାଜୀ ଶିକ୍ଷକ ଥିଲେ,ହରିଶ୍ଚନ୍ଦ୍ର ବାବୁ।ଇଂରାଜୀକୁ ସେ କେବେହେଲେ ଓଡ଼ିଆରେ ବୁଝାଇ ଦିଅନ୍ତି ନାହିଁ।to be born with a silver spoon in one’s mouth,ଏଇ କଥାର ଅର୍ଥ ବୁଝାଇ ପାରି ସେ କ୍ଲାସ୍ରେ ଉଦାହରଣ ଦେଇ କହିଥିଲେ‘Suparimal is born with a silver spoon in his mouth’ଏଇ ଉଦାହରଣରୁ,ସେ phraseର ଅର୍ଥଟା ମୋ ପାଖରେ ସେଦିନ ପ୍ରାଞ୍ଜଳ ହୋଇ ଯାଇଥିଲା।କିନ୍ତୁ ଆଜି ଭାଗ୍ୟର ଏଇ ବିଚିତ୍ର ବିଧାନର ଅର୍ଥ ଯେ ମୋ ପାଖରେ ଆଦୌ ସ୍ପଷ୍ଟ ନୁହେଁ।
ପିକ୍ଲୁ କଣ ଥିଲା।କଣ ହୋଇଛି।
ଗୋଟିଏ ମୁହୂର୍ତ୍ତ ଭିତରେ ନିୟତି ଅପହରଣ କରି ନେଲା ତାର ଜୀବନର ସମସ୍ତ ଶ୍ରୀ ଓ ସମସ୍ତ ଐଶ୍ବର୍ଯ୍ୟମୟ ସମ୍ଭାବନା।ଆଉ ତାକୁ ଛାଡ଼ି ଦେଇଗଲା ଦୀନ,ଦୟନୀୟ କରି।ଦାରିଦ୍ର୍ୟ ଓ ଅଭାବର ପୀଡ଼ନ,ଯନ୍ତ୍ରଣା ଓ ଅପମାନ ମୋ ପାଇଁ ତ ଅବୋଧ୍ୟ ନୁହେଁ।ପିକ୍ଲୁକୁ ହୁଏତ ସବୁ ସହ୍ୟ କରିବାକୁ ପଡ଼ିଛି। ତାର ସୁକୁମାର ମନର ସ୍ବପ୍ନ ଭାଙ୍ଗି ଯାଇଛି। ସୁଖ ସ୍ବାଦହୀନ ବଞ୍ଚିବାର ଦାୟିତ୍ବ ତାକୁ ଅକାଳରେ ସ୍ଥବିର କରି ପକେଇଛି।ତାର ମା ରାଜରାଣୀର ଆସନରୁ ତଳକୁ ଖସିପଡ଼ି ମୋରି ମା’ପରି ହୁଏତ ତିଳତିଳ କରି ନିଜକୁ କ୍ଷୟକରି ଯାଇଛନ୍ତି ପିଲା ତିନିଟାଙ୍କୁ ମଣିଷ କରିବା ପାଇଁ। ତାଙ୍କର ସେଇ ଚେଷ୍ଟାର ଫଳରେ ପିକ୍ଲୁ କିରାଣୀଟିଏ ମାତ୍ର ହୋଇପାରିଛି।ଆଉ ତାଙ୍କର ସେଇ ବଡ ଝିଅଟା-ବଡ଼ ବଡ଼ ତାର ସୁନ୍ଦର ଆଖି ଦୁଇଟା କଥା ମୋର ଏବେ ବି ମନେପଡ଼ୁଛି।ସେ ହୁଏତ ଗୋଟିଏ ସ୍କୁଲ ଶିକ୍ଷକ କିମ୍ବା କିରାଣୀକୁ ବାହାହେଇ କେଉଁଠି ଘର କରିଥିବ।
ମୁଁ କଣ ନିଜେ ପିକ୍ଲୁକୁ ଡାକି ନିଜର ପିରୁଣା ବନ୍ଧୁତାର ଖିଅ ଯୋଡ଼ି ଦେବି?ପିକ୍ଲୁକୁ ସାହଯ୍ୟ କରିବି,ଆର୍ଥିକ ସାହାଯ୍ୟ।ତାର ଘରକୁ ଯାଇ ତାର ମା’ଙ୍କୁ ପ୍ରଣାମ କରି ସେଇ ଅତୀତ ଦିନରେ ସେ ମତେ ଯେଉଁ ଅପରିମେୟ ସ୍ନେହର ସୌଭାଗ୍ୟ ଦେଇଥିଲେ ସେଥିପାଇଁ ବି କୃତଜ୍ଞତା ଜଣାଇ ଆସିବି?
ନାଁ-ଏସବୁ କରିବା ବୋଧହୁଏ ଠିକ୍ ହେବନାହିଁ।ହୁଏତ ପୁରାତନ ସ୍ମୃତିର ବିଭତ୍ସତାକୁ ମୁଁ କେବଳ ସେମାନଙ୍କ ଆଗରେ ଖୋଲି ଧରିବି କିମ୍ବା ତାଙ୍କର ଏଇ ଦୀନ ଅବସ୍ଥା ନିକଟରେ ମୋର ଐଶ୍ବର୍ଯ୍ୟକୁ ତୋଳି ଧରି ତାଙ୍କୁ ଆଘାତ ଦେବି।ଏ ସବୁ କରିବା ମୋ ପକ୍ଷରେ ସମ୍ଭବ ନୁହେଁ।ଅତୀତର ସେଇ ଦିନ ଗୁଡ଼ିକ ମୋ ପାଇଁ ବି ଅତୀବ ମୂଲ୍ୟବାନ୍।ମୁଁ ତାକୁ ନିଜର ବଡ଼ିମାଦ୍ବାରା ଆଜି କ୍ଷୂର୍ଣ୍ଣ କରି ଦେଇ ପାରେନା।ପିକ୍ଲୁ ସହିତ ମୋର ବନ୍ଧୁତା,ଅନ୍ତରତ୍ମାର ବନ୍ଧୁତା।ସେ ବନ୍ଧୁତା ମୋର ଗଭୀରତମ ଅନ୍ତରରେ ଗୋପନ ହୋଇ ରହୁ ପଛେ ତାକୁ ପ୍ରକଟିତକରି ମୁଁ ତାକୁ ଟିକିଏ ହେଲେ ମ୍ଳାନ କରି ଦେବାକୁ ଚାହେଁନା।
ମୋ ପାଇଁ ସୁପରିମଳ ମହାପାତ୍ର ପିକ୍ଲୁ ନୁହେଁ।କାରଣ ପିକ୍ଲୁ ମୋ ପାଇଁ କେବେ ସୁପରିମଳ ମହାପାତ୍ର ହୋଇ ନଥିଲା।
୭। ୧୦। ୭୨
ବଲାଙ୍ଗୀର