ମୁଁ କ’ଣ ଏମିତି କିଛି ଚାହିଁଥିଲି
ଯାହା ତୁମ ପାଖରେ ନାହିଁ;
ମୁଁ କଣ ଏମିତି କିଛି ମାଗିଥିଲି
ଯାହା ତୁମେ ଦେଇପାରିବ ନାହିଁ,
ମୁଁ କଣ ଏମିତି କିଛି କାମନା କରିଥିଲି
ଯାହା ଦେଇଥିଲେ ତୁମେ ନିଃସ୍ବ ହୋଇଯାଇଥାଆନ୍ତ!
ଫୁଲଟିଏ ଦେଇଥିଲେ
କ’ଣ ଉଜୁଡ଼ି ହୋଇଯାଇଥାଆନ୍ତା,
ଫଳଟିଏ ଦେଇଥିଲେ
କ’ଣ ଶ୍ରିହୀନ ହୋଇଯାଇଥାନ୍ତା,
ଟୋପାଟିଏ ଜଳ ଦେଇଥିଲେ
କଣ ଶୁଖି ଯାଇଥାନ୍ତା ସ୍ରୋତସ୍ବତୀ ନଦୀ!
ଅଞ୍ଜଳି ଭରି ମୁଠିଏ ଭିକ୍ଷା ଦେଇଥିଲେ
କଣ ସରି ଯାଇଥାଆନ୍ତା ଅମାପ ଭଣ୍ଡାର!
ମୁଁ କଣ ଦେଖିନି
କି ଅକାତର ଭାବରେ ତୁମେ ଦାନ କର;
ଯେ କିଛି ବି ଚାହେଁ ନାହିଁ
ତାକୁ ସବୁ ଦେବାକୁ ତୁମର କୁଣ୍ଠା ନାହିଁ;
ଯେ ବହୁତ ପାଇଛି
ତାକୁ ଆହୁରି ଦେବାକୁ ତମର ମନ।
ଅଥଚ କଣ ବା ମୁଁ ଚାହେଁ !
କି ସାମାନ୍ୟ ମୋର ଅଭିଳାଷ!
କିନ୍ତୁ କି ବ୍ୟାକୁଳ ମୋର ପ୍ରାର୍ଥନା।
ତୁମେ ସବୁ ଶୁଣି ବି ନ ଶୁଣିବାପରି ଚାହିଁରହ,
ତୁମେ ସବୁ ଜାଣି ବି ନ ଜାଣିଲା ପରି ହସିଦିଅ।
ମୁଁ କିନ୍ତୁ ଠିକ୍ କରି ସାରିଛି
କଣ ମତେ କରିବାକୁ ହେବ-
ମୁଁ ଦେଇଦେବି
ତୁମଙ୍କୁ ସବୁ ଦେଇଦେବି।
ଆପଣାକୁ ପୋଛିପାଛି
ନିଜକୁ ଶୂନ୍ୟକରି
ତୁମକୁ ହିଁ ସବୁ ଦେଇଦେବି।
ଏବଂ ମୋର ଶୂନ୍ୟତାକୁ
ପୂର୍ଣ୍ଣ କରିଦେବି ତୁମରି ଇଚ୍ଛାରେ
ତୁମର ଅଭାବନୀୟ ଇଚ୍ଛାରେ।