ଦେବତାର ଦାନ


ଆଜି ସୋମବାର

ତାରିଖ ଏଗାର

ଆଜିହିଁ ପ୍ରଥମ ଦିନ ଶେଷ ପରୀକ୍ଷାର-

ଏହି ପରୀକ୍ଷାରେ ଯିଏ ଜୟଲାଭ କରେ

ସୁନାର କଳସ ଢ଼ାଳେ ହାତୀ ମସ୍ତକରେ

 

ଭାରତୀୟ ପ୍ରଶାସନ ସେବା

ନିଯୁକ୍ତି ପାଇଲେ ଥରେ ହୋଇଯାଏ ସବୁ କିଛି ହେବା

କେତେ ତରୁଣର

ଲକ୍ଷ ସେତ ବହୁ ଶ୍ରମ ବହୁ ସାଧନାର

ବହୁ ସ୍ବପ୍ନ, ଅନେକ ଆଶାର

 

ପ୍ରତ୍ୟୁଷରୁ ଶଯ୍ୟା ତେଜି ମଗ୍ନ ଅଧ୍ୟୟନେ

କେତେବେଳେ ଏକ ବହି କେତେବେଳେ ଆନେ

କେତେବେଳେ ନୋଟ୍ଖାତା କେତେବେଳେ ଖବରକାଗଜ

ଅଥବା ପତ୍ରିକା ପରେ କରିଦେଇ ପକ୍ଷୀ ଦୃଷ୍ଟିପାତ

ଆଜିର ପରୀକ୍ଷା ପାଇଁ ହୁଏ ସଜବାଜ

ପରୀକ୍ଷାର୍ଥୀ ସନତ କୁମାର

ତରୁଣ ମେଧାବୀ ଛାତ୍ର, ବୁଦ୍ଧି ତାର ଯଥା କ୍ଷୁରଧାର

 

ପ୍ରତ୍ୟୁଷରୁ କରୁଛନ୍ତି ପୂଜାପାଠ ବାପା ପୂଜାଘରେ,

ଥୋଇଛନ୍ତି ମାଆ ପୂର୍ଣ୍ଣ କୁମ୍ଭଟିଏ ଦ୍ବାର ସମ୍ମୁଖରେ

ସେସବୁ ଦେଖିବାପାଇଁ ସନତ୍ ନାହିଁ ଟିକେ ବେଳ

ସ୍ଥିର ମନ,ଚିତ୍ତ ଅନୁଦ୍ବେଳ

 

ବାହାରିବା ବେଳେ ଘରୁ କହିଲେ ଜନନୀ,

ଠାକୁର ଘରକୁ ଯାଇ କରିବୁ ପ୍ରଣାମ

ବାପାଙ୍କର ପାଦ ଛୁଇଁ ନେବୁରେ ଆଶିଷ,

ଦୁର୍ଗାଙ୍କର ଧଣ୍ଡାମାଳ ନେବୁ ପକେଟରେ,

ତୋ ଇଚ୍ଛା ପୂର୍ଣ୍ଣ କରନ୍ତୁ ପ୍ରଭୂ ଜଗଦୀଶ

 

ସାପ ପରି ଫଅଁ କରି ଉତ୍ତରିଲା ସନତ୍କୁମାର

ସେ ଗୁଡ଼ାକ ବାଜେକଥା, ମାଆ ତୁମେ ଛାଡ଼

ଠାକୁରଙ୍କ ଫୁଲ ନେଇ କେହି କେବେ କରିନାହିଁ କିଛି,

ନିଜର ସାଧନା ବଳେ ଯାହାସବୁ ମଣିଷ କରିଛି

ମୁଁ ବିଶ୍ବାସ କରେ ଖାଲି ଶ୍ରମ,ନିଷ୍ଠା,କର୍ମ,ସାଧନାରେ

ମୁଁ ବିଶ୍ବାସ କରେ ଖାଲି ଆତ୍ମ ଶକ୍ତି ପୁରୁଷକାରେ

 

ମାଆଙ୍କ ଉତ୍ତର ପାଇଁ ଅପେକ୍ଷା ନକରି

ଚାଲିଗଲା ଦୃପ୍ତ ତାର ପଦକ୍ଷେପ ଚାଲି,

ସନତ୍କୁମାର ଭାବୁଥିଲା ତାର ମନେ

ପୃଥିବୀ ହେଲାଣି -ତା ବାପା ମାଆଙ୍କ ଜୀବନେ

କିନ୍ତୁ ତାର ପଡ଼ିନାହିଁ ଛାୟା,

ଅଛନ୍ତି ସେପରି ବହୁଆଗେ ଥିଲେ ଯାହା

ଆଦିମ ସେ ମଣିଷର ଅସହାୟ ବୋଧ

କରିଅଛି, କରୁଅଛି ଆଜି ମଧ୍ୟ ସେମାନଙ୍କ

ଗତି ପଥରୋଧ




+ -