ତା ଯିବା ପଥକୁ ଚାହିଁ ଦୁଃଖ ମନେ ମାଆ
କହିଲେ ହେ ଭଗବାନ, ହୁଅ ତାକୁ ସାହା,
ଅଜ୍ଞାନ ବାଳୁତ ମୋର ତାହା ପ୍ରତି କୁପିତ ନ ହୁଅ
ପୋଛିଦେଲେ ନୟନରୁ
ଆପେ ଆପେ ଝରିଥିବା ଲୁହ।
କେତେବେଳେ ବାପା ଆସି ମାଆଙ୍କର ପାଶେ
ଠିଆହୋଇ ଶୁଣୁଥିଲେ ସବୁକଥା,
କହିଲେ ସହାସେ,
“ପୁଅର କଥାରେ ତୁମେ କରୁଛ କି କଷ୍ଟ ମନ ତଳେ?
ବଦଳି ଗଲାଣି ପରା ଯୁଗଧାରା, ବିଜ୍ଞାନର ବଳେ
ମନୁଷ୍ୟ କରୁଛି କରି ଅସାଧ୍ୟକୁ ସାଧ୍ୟ,
ପୁରୁଣା ଚିନ୍ତାକୁ ଆଜି ମାନିବାକୁ କେହି ନୁହେଁ ବାଧ୍ୟ।
ଆଜିର ଯୁବକମାନେ ଜାଗରିତ ଯେ ଆତ୍ମ ବିଶ୍ବାସ
ଉଚିତ ନୁହଁଇ, ଆମେ କରିଦେବା ତାକୁ ତିଳେ ହ୍ରାସ।”
ନମାନିଲା ମାଆ ମନ, କରି ଅଭିମାନ
କହିଲେ“ତା’ ହାଲେ କଣ
ଉଭେଇ ଗଲେଣି କାହିଁ ପ୍ରଭୁ ଭଗବାନ!”
ଉତ୍ତରିଲେ ବାପା,“ନୁହେଁ, ନୁହେଁ, ମୋଟେ ନୁହେଁ,
ଯାହା ହେଲା, ଯାହା ହେବ, ଯାହା ଏବେ ହୁଏ
ଏ ବିଶ୍ବ ଭୂବନେ ସବୁ ଇଚ୍ଛାହିଁ ତାଙ୍କର
କରୁ ଅବା ନକରୁ ତା କେହି କେବେ ମନରେ ବିଶ୍ବାସ
ଚାହାଁନ୍ତୁ ବା ନ ଚାହାନ୍ତୁ, ପିଲାଙ୍କର ଲାଗି
ବାପା ମାଆଙ୍କର ମନେ ରହିଥାଏ ଜାଗି
ଅପ୍ରମିତ ସ୍ନେହ ଆଉ ଆଶା ଅକାତର,
ସେହିପରି କରୁଣା ଯେ ଝରିପଡ଼େ ନିତ୍ୟ ଦେବତାର।
କେହି କେବେ ମାଗେ ନାହିଁ ସୂର୍ଯ୍ୟର କିରଣ
କେହି କେବେ ମାଗେ ବୋଲି ଆସେ ନାହିଁ ଝରି ମେଘ ଧାରା।
ପବନ ନ ବହେ କରିବାକୁ କା’ର ପ୍ରାର୍ଥନା ପୂରଣ
ସେହିପରି ଐଶି କୃପା ମିଳିଥାଏ ଆପେ ଆପେ ପରା।
କରୁଣା ନୁହଁଇ କେବେ ପୂଜାପାଠ ପ୍ରାର୍ଥନାର ଫଳ,
ଦେବତାର ଅଯାଚିତ,ଅକୁଣ୍ଠିତ,ନିର୍ବିଚାର ଦାନ ସେ କେବଳ।”
୨୭-୬-୮୯
କଟକ