-ଏକ-
ଜୀବନ ମଉଳି ଆସେ ସ୍ବପ୍ନ ସମ ଜରାର ପରଶେ
ଦେଖାଯାଏ ଦେହ ମନ ପ୍ରାଣେ ଅସ୍ତରାଗର ସୂଚନା,
ଗାନ ଏବେ ସରି ଆସେ ବାକୀ ଖାଲି ତା’ଶେଷ ମୂର୍ଚ୍ଛନା
ଯା ଥିଲି ମୁଁ ତାହାଠାରୁ ଭିନ୍ନ ହୋଇ ଯାଉଛି ରଭସେ।
ହୃଦୟେ କରୁଛି ବୋଧ ସୁରଭୀରେ ଏକାନ୍ତ ନିଶ୍ଚିତ
ପୃଥିବୀର ବୁକେ ଯିଏ ଜନ୍ମ ଲଭେ ତାହାର ମରଣ,
ଲାଗେ ଏ ଜୀବନ ଶୂନ୍ୟ, ସବୁ ଆଶା ସ୍ବପ୍ନ ଅକାରଣ
ଜୀବନରୁ ବଳି ମୃତ୍ୟୁ, ସତ୍ୟ ବୋଲି ହେଉଚି ପ୍ରତୀତ।
ଯୌବନରେ ଶେଷ ପ୍ରାନ୍ତେ ହେ ପୃଥିବୀ କରେ ଆବିଷ୍କାର
ଅକସ୍ମାତ୍ ତୁମ ପାଇଁ ମନେ ମୋର ଅସୀମ ମମତା
ସାଗରର ପରି ବ୍ୟାପ୍ତ ଅକଳନ ତାର ଗଭୀରତା
ସକଳ ସତ୍ତାରେ ମୋର ଖେଳିଯାଏ ତରଙ୍ଗ ତାହାର।
ପ୍ରଥମ-ପ୍ରଣୟ଼-ମୁଗ୍ଧ ସମ ମୁହିଁ ମନେ ଅଭିଳଷେ
ହେ ଧରା, ରହିବା ଲାଗି ଚିରକାଳ ତୁମରି ଉରସେ।
-ଦୁଇ-
ନୂଆକରି ହେ ଧରିତ୍ରୀ ନିରେଖଇ ବିସ୍ମିତ ପୁଲକେ
ତୁମର ମୋହିନୀ ରୂପ, ନୀଳ ନଭ ବିତାନର ତଳେ
ତୁମର ଅଜସ୍ର ଶୋଭା,ବିମଣ୍ଡିତ ସ୍ନିଗ୍ଧ ଦୁର୍ବାଦଳେ
ତୁମର ଶ୍ୟାମଳ ତନୁ-ଛାୟା ତାର ଆକାଶ-ଫଳକେ।
ତୁମ ନୀଳ ସାଗରର ଚଳମାନ ଜଳ-ଉତ୍ତରୀୟ
ତୁମରି ବନାନୀ ବୀଥି, ଶ୍ବେତ-ମେଘ-ମୁକୁଟ ମଣ୍ଡିତ
ଶ୍ୟାମ ଶସ୍ୟ ଶୋଭନୀୟା, ହେ ଶ୍ରୀମୟୀ ପୃଥିବୀ ପ୍ରତୀତ
ହୁଏ ଆଜି ତୁମର ଯା ସବୁ କିଛି ଅନିର୍ବଚନୀୟ।
ହେ ରୂପସୀ ବସୁମତୀ, ସୁଗଭୀରେ ଆଜି ପ୍ରାଣ ଛୁଏଁ
ତୁମ ପ୍ରତି ଧୂଳିକଣା, ତୁମ ସ୍ନିଗ୍ଧ ସମୀର ପରଶ
ତୁମର ବାସନ୍ତୀ ରୂପ,ତୁମ ମେଘ କୁନ୍ତଳ ବିନ୍ୟାସ
ତୁମ ପୁଷ୍ପପୂର୍ଣ୍ଣ ସଜ୍ଜା-ସବୁ ଶୋଭା ନୂଆ ମନେ ହୁଏ।
ପୁଲକ ବେଦନା ବ୍ୟଥା ଅଶ୍ରୁହାସ ଭରା ଏ ଜୀବନ
ସ୍ମୃତିରେ ତା ବହିଆସେ ତୁମ ପାଇଁ ପ୍ରୀତିର କମ୍ପନ।
-ତିନି-
ଆଗୋ ଧରା ତୁମ କୋଳେ ଆଜନ୍ମ ବିହାର
ଚ୍ଛିନ୍ନ କରି ତୁମ କୋଳୁ ନେଇଯିବ ଯେବେ ଗୋ ମରଣ
ତୁମେ କି ରଖିବ ମନେ,ମତେ କେବେ କରିବ ସ୍ମରଣ?
ମୋ ବିରହେ ହେବ କି ଗୋ ତୁମ ପ୍ରାଣେ ବେଦନା ସଂଚାର?
ହେ ଚିର ଯୌବନା ଧରା, ନରହିବ ଶୂନ୍ୟ ମୋହ ଲାଗି
ତୁମ ଅଙ୍କ,ନ ହୋଇବ ଊଣା ତୁମ କିଛିହିଁ ବିଭବ
ଜନପଦେ, ବନପଦେ ଏହିପରି ନିତ୍ୟ ମହୋତ୍ସବ
ରହିଥିବ, ଥିବେ ରହି ଅଗଣିତ ତୁମ ଅନୁରାଗୀ
ହେ ବିଟପୀ ରୂପବତୀ, ବିସ୍ମୃତିର ଅତଳ ଗରଭେ
ମତେ ସିନା ଫିଙ୍ଗି ଦେବ,ରୂପାତୁର ପ୍ରୀତି-ଅନୁଗତ
ତୁମଙ୍କୁ ପାରିବି ନାହିଁ ଭୁଲି କେବେ ନୋହିବି ତୃପତ
ଅକ୍ଷୟ ଯୌବନା କେଉଁ ଉର୍ବଶୀର ପ୍ରୀତିର ଗୌରବେ।
ସେଥିପାଇଁ ପ୍ରିୟତମା ବସୁନ୍ଧରା,ତନ୍ମୟ ଅନ୍ତରେ
ତୁମେ କୋଳେ ଆସିବି ତ ଫେରି ମୁହିଁ ଜନ୍ମ ଜନ୍ମାନ୍ତରେ।