କାବ୍ୟ ନାୟିକା


ଗହନ ରାତ୍ରିର ସ୍ବପ୍ନେ ମୁଁ ତୁମଙ୍କୁ କରିଚି ରଚନା,

ତନୁରେ ଦେଇଚି ଭରି ନବଜାତ ପୁଷ୍ପର ସୁରଭି,

ଦେଇଚି କଣ୍ଠର ତାନେ ବିମୁର୍ଚ୍ଛିତ ବୀଣାର ପୂରବୀ

ନୟନେ ମୀନର ଭଙ୍ଗୀ, ଚାହାଣୀରେ ଚପଳ ବ୍ୟଞ୍ଜନା।

ଯା କିଛି ସୁନ୍ଦର ଶ୍ରେୟ ମଧୁର ମୁଁ କରିଅଛି ଠୁଳ

ତୁମରି ଭିତରେ ନେଇ କୃପଣର ଗନ୍ତାଘର ପରି,

ଆକାଶର ନୀଳିମାରେ ରଚିଅଛି ତୁମର ଉତ୍ତରୀ

କରିଚି ସାଗର ସମ ତୁମରେ ମୁଁ ଗଭୀର ବିପୁଳ।

ସଜାଇଚି କାମନାରେ କଳ୍ପନାରେ ବର୍ଣ୍ଣବିଭା ଦେଇ

ଗଭୀର ହୃଦୟ ତଳୁ ପୀରତିର ଅମୃତ ନିଗାଡ଼ି

ଦେଇଚି ମୁଁ ଜୀବନ୍ୟାସ-ପୂଜାଥାଳେ ଆପଣାକୁ ବାଢ଼ି

ଲକ୍ଷ୍ମୀ ରୂପେ ବସାଇଚି ହୃଦୟର ସିଂହାସନେ ନେଇ।

ହେ ପ୍ରିୟା ଅତୁଳନୀୟା ଶତ କଣ୍ଠେ ଗାଇ ତୁମ ଗାନ,

ମଣଇ ସାର୍ଥକ ମୁହିଁ ପୂର୍ଣ୍ଣ ମୋର ଦେହ ମନପ୍ରାଣ।




+ -