॥ ୧ ॥
ରାଣୀର ଜନ୍ମଦିନେ
ରାଜପ୍ରାସାଦର ସମ୍ମୁଖେ ଆସି
ଉଭାହେଲେ ଦେଶ ଲୋକ ରାଶିରାଶି,
ଦର୍ଶନ ଆଶେ ଆକାଶ ଭରିଲା
ରାଜରାଣୀ ଯଶୋଗାନେ।
ଦୁର୍ଲ୍ଲଭ ମଣି ଖଚିତ ମୁକୁଟ,
ମୋତି ମଣ୍ଡିତ ସୁନା ସଂପୁଟ,
ମୁକ୍ତାର ମାଳା,ହୀରା ଅଂଗୁରୀ
ମେଘ ଡମ୍ବରୁ ବାସ,
କେତେ ଦୁର୍ମୁଲ ଉପହାର ଆଣି
ବାଢ଼ିଦେଲେ ସବୁ ତୋଳି ନେଲେ ରାଣୀ,
ଘେନିଲେ ବିନୟେ ସବୁ ଅନ୍ତରୁ
ଦୀର୍ଘ-ଜୀବନ ଆଶ।
ଶୁଭ୍ର ସକାଳ ଝରିପଡେ କିବା
ରାଣୀର ପଦ୍ମାନନେ;
ରାଣୀର ଜନ୍ମଦିନେ
॥ ୨ ॥
ସନ୍ତୋଷ ମନେ ରାଣୀ
କହିଲେ, “ହେ ମୋର ପ୍ରିୟ ପ୍ରଜାଗଣ,
ଲଭି ତୁମର ଏ ଅଭିନନ୍ଦନ
ପୁଲକେ ମୋହର ହୃଦୟ ଉଚ୍ଛୁଳେ
ମୁଖେ ନ ସ୍ଫୁରେ ବାଣୀ।”
ପ୍ରତିଦାନେ ରାଣୀ, କଲେ ବିତରଣ,
କା’ରେ ପଦକ କା’ରେ ପଦବୀ,ଭୂଷଣ
କାହାରେ ବା ଦେଲେ ବିଭବ ବିପୁଳ
ସ୍ମିତି ଉଜ୍ଜ୍ବଳ ମୁଖେ।
ରାଣୀର ଅଭୟ ଲଭି ଜନତାର
ବକ୍ଷେ ଭରଇ ହର୍ଷ ଅପାର,
ବଲ୍ଲକୀ ତାନେ ଗାନ ମିଶାଇଲେ
ମହିଷୀର ବାବଦୂକେ।
ଶୁଭ ଶଂଖର ମନ୍ଦ୍ର ନିନାଦେ
ଘୁଞ୍ଚିଲା ଶତଗ୍ଳାନି,
ସନ୍ତୋଷ ହେଲେ ରାଣୀ।
॥ ୩ ॥
ସକଳର ଅବଶେଷେ
ଜନତା ଭିତରୁ ହେଲା ଆସି ଉଭା
ନମ୍ର ବଦନେ ଧୀରେ ଏକ ଯୁବା,
କୁଣ୍ଠିତ ପଦେ ମହିଷୀର ଆଗେ
ଜୀର୍ଣ୍ଣ ମଳିନ ବେଶେ।
ପୁଚ୍ଛିଲେ ରାଣୀ, “କହ କି ଯାଚନା,
ରହିଚି ତୁମର, ସବୁ ପ୍ରାର୍ଥନା
ଅକାତରେ ମୁହିଁ କରିବି ପୂରଣ
ସଂକୋଚ ପରିହର।”
ଉତ୍ତରେ ଯୁବା,‘ଏକ ଦୀନ କବି,
ନ ଚାହେଁ ମୁଁ ଧନ,ପଦ ବା ପଦବୀ
ଗଉରବ-ମଣେ ଦର୍ଶନ ଲଭି,
ଧନ୍ୟ ଜୀବନ ମୋର।
ଗାଇବି ଗୋଟିଏ ଗାନ ଖାଲି ଚାହେଁ
ଏହିଠାରେ ତବାଦେଶେ
ସକଳର ଅବଶେଷେ।
॥ ୪ ॥
“ଗାଅ କବି ତବ ଗାନ”
ଭାଷିଲେ ମହିଷୀ,“ମୁକ୍ତ ହୃଦୟ
କରି ଗୀତ ଗାଅ ଦେଉଚି ଅଭୟ।”
ଲଳିତ କଣ୍ଠେ କବି ଗାନ ଗାଏ
ଥରାଇ ବକ୍ଷ ପ୍ରାଣ-
“ହେ ରାଜ ମହିଷୀ, ଦେବୀ ମହୀୟସୀ
ପରମ ରୂପସୀ ତୁମେ ଉର୍ବଶୀ,
ନୟନରୁ ତବ ଅମୃତଧାରା
ପଡୁଅଛି କିବା ଝରି।
ବିଶ୍ବଦେବତା ମାନସ ମୋହିନୀ
ତୁମେ ବି ଲକ୍ଷ୍ମୀ, ଅଭୟ ଦାୟିନୀ
କବିର ମାନସେ ତୁମ ଲାଗି ଉଠେ
ଅସୀମ ପୀରତି ଭରି।
ଏ ଗାନ ଗାଇବା ସ୍ପର୍ଦ୍ଧାର ଲାଗି
ଶିର ସେ କରୁଛି ଦାନ।”
କବି ଶେଷ କଲା ଗାନ।
॥ ୫ ॥
ରାଣୀ ସସ୍ମିତ ମୁଖେ
କହିଲେ, “ହେ କବି, ନାହିଁ କିଛି ଭୟ,
ତୁମ ଗାନ ମୋର ତୋଷିଛି ହୃଦୟ,
କରିବାକୁ ତୁମ ଜୟଗାନ ମୋର
ଇଚ୍ଛା ଜାଗଇ ବୁକେ।
ମୋର ଏ ବିପୁଳ ରାଜ ଗଉରବ
ଯେତେ ଯା କ୍ଷମତା, ଯେତେ ଯା ବିଭବ
ତୁମ ଗାନ ସରି ନୁହଇ ତ କିଛି,
କି ଦେବି ମୁଁ ପ୍ରତିଦାନ!
ଯେ ପୀରତି ଭରି ଉଠେ ତୁମ ପ୍ରାଣେ
ଯେ ପୀରତି ରୂପ ପାଏ ତୁମ ଗାନେ
ତା ସମ ପୀରତି କରେ ନିବେଦନ
ନିଗାଡି ହୃଦୟ ପ୍ରାଣ।”
ସଂଭ୍ରମେ କବି ମଥା ନତ କଲା
ଶୁଣିଲେ ରାଜ୍ୟ ଲୋକେ
ବିସ୍ମୟେ ,ଉତ୍ସୁକେ।
॥ ୬॥
ଦିବସ ହୋଇଲା ଗତ
ତପନ ଲୁଚିଲେ ପ୍ରତୀଚି ସେପାରେ
ମଗନ ଅବନୀ ଛାୟା ଅନ୍ଧାରେ
ପୁରେ ପୁରେ ଜଳି ଉଠିଲା ନିମିଷେ
ସନ୍ଧ୍ୟା ପ୍ରଦୀପ ଶତ।
ଅନ୍ତଃ ସପନେ ମହିଷୀର ସାଥେ
ମିଳିଲେ ନରେଶ ଯେବେ ସେଇ ରାତେ
କହିଲେ, “ପ୍ରେୟସୀ ,ଏ ଶୁଭ ବାସରେ
ମୁଁ ଦେବି କି’ ଉପହାର?”
ରାଣୀ ହସି ଭାସେ, ଇଚ୍ଛା ଯା ତବ
ଦିଅ।ରାଜା କହେ“ଦେବି ଅଭିନବ
ବସ୍ତୁ ମୁଁ ଯାହା ଅତି ପ୍ରିୟତମ
ନିଭୃତ ହୃଦୟର।
ତୁଳନା ଯାହାର ଯୁଗେ ଯୁଗେ କାହିଁ
ଦେଖି ନାହିଁ ଏ ଜଗତ
ରାତ୍ରି ନ ହେଉ ଗତ।”
॥ ୭॥
ରାତ୍ରିର ଶେଷ ଭାଗେ
ରାଜା ଇଂଗିତେ ପ୍ରବେଶିଲା ଚର
ରାଣୀର ସଦନେ ଧରି ଉପହାର,
କିସେ ଦୁର୍ଲଭ ବସ୍ତୁ ରାଣୀର
ମନେ ଆଗ୍ରହ ଜାଗେ।
ଆବରଣ ତୋଳି ଦେଖିଲେ ଯା ରାଣୀ
ନିମିଷେ ରକ୍ତ ହୋଇଗଲା ପାଣି
ନିର୍ବାକେ କ୍ଷଣେ ରହିଗଲେ ଉଭା
ପାଷାଣ ପ୍ରତିମା ପରି
ହୃଦୟ ତନ୍ତ୍ରୀ ହୋଇଲା ଜୀର୍ଣ୍ଣ
କନକଥାଳିରେ କବିର ଚ୍ଛିନ୍ନ
ମସ୍ତକ ଦେଖି ଶରାହତ ସମ
ପଡିଲେ ଭୂତଳେ ଥରି।
ଜନ୍ମଦିନର ଉପହାର ନୃପ
ପ୍ରେରିଥିଲେ ଅନୁରାଗେ,
ରାତ୍ରିର ଶେଷଭାଗେ।
୩-୮-୬୨
କଟକ