ବର ଆସିବ-
କେମିତି ଆସିବ ସତେ!
ବାଜା ବଜେଇ, ରୋଷଣୀ ଜାଳି,
ରାସ୍ତା ଘାଟରେ ଧୂଳି ଉଡ଼େଇ
ସାରା ସହରରେ ଚହଳ ପକେଇ!
ନା ଆସିବ ଚୁପ୍କିନି, ଲୁଚି ଲୁଚି
ଏକା ଏକା ଘୋଡ଼ାରେ ବସି,
ହାତ ଧରି ମୋର ଉଠାଇ ନେବ
ଘୋଡ଼ାରେ ମୋତେ ଉଡ଼ାଇ ନେବ
ବିଜୁଳି ପରି ପବନ ପରି
କଅଣ ହେଲା, କେମିତି ହେଲା
କେହି ଜାଣିବା ଆଗରୁ
ସେ ଉଭାନ ହୋଇଯାଇଥିବ?
ବର ଆସିବ
ମୁଁ ତ ବାଡ଼ୁଅ ପାଣି ଗାଧୋଇ
ହଳଦୀ ମାଖି, କଜଳ ମାଖି
ଅଳତା ସିନ୍ଦୂର ନାଇ
ପାଟପତନୀ ଅଷ୍ଟ ଆଭରଣ ପିନ୍ଧି
ବରପୂର୍ବା ହୋଇ ବେଦୀରେ ବସିଚି,
କେତେବେଳେ ସେହି ବିବାହ ଲଗ୍ନ ଆସିବ
ପାଣି ଗ୍ରହଣ ହେବ-
ବର ଆସିବ,
ସେ କଳା ନା ଗୋରା
ବୁଢ଼ା ନା ଟୋକା
ସୁନ୍ଦର ନା ଅସୁନ୍ଦର
କିଏ ଦେଖିଚି ତାଙ୍କୁ।
କେଉଁ ଉଆସରେ ରହନ୍ତି
କେଉଁ ଉଆସରେ ଶୁଅନ୍ତି
କେଉଁ ବଣରେ ପାରିଧି କରନ୍ତି
କିଏ ଜାଣିଚି, କିଏ କହିବ?
ତାଙ୍କୁ ଦେଖନ୍ତି ହେଲେ!
କିନ୍ତୁ ଦେଖିବା ଆଗରୁ ତ ମୋର
ଆଖି ବୁଜି ହୋଇଯିବ
ସେ ଛୁଇଁଲା ବେଳକୁ ତ ମୁଁ
ମିଶି ଯାଇଥିବି
ତାଙ୍କ ଅଙ୍ଗରେ
ତାଙ୍କ ରଙ୍ଗରେ।
ବର ଆସିବ
ଏବଂ ମତେ ନେଇଯିବ।
ଏତେ ଆପଣାର
ବାପା ମାଆ, ଭାଇ ଭଉଣୀ, ସହୀ ସଙ୍ଗାତ
ସବୁ ଛାଡ଼ି ମୁଁ ଚାଲିଯିବି।
ପଛରେ ପଡ଼ି ରହିବ
ଏଇ ଘର ଦୁଆର ବାଡ଼ି ବଗିଚା,
ନଈ ପୋଖରୀ
ଗାଆଁ ଦାଣ୍ଡ-
ଏଇ ଆକାଶ, ଏଇ ମାଟି
ସଭିଙ୍କୁ ଛାଡ଼ିଯିବି ଭାବିଲେ
ଏଇନେ ଛାତି ଫାଟି ଯାଉଚି।
କେଉଁଠି କେତେ ନା କେତେ ଦୂରରେ
କେଉଁ ଅଜଣା ରାଜ୍ୟରେ
ମୋ ବରର ଘର,
ସେଠି କଣ ଆକାଶରେ ତାରା ଥାଏ
ପୋଖରୀରେ ପଦ୍ମ ଫୁଟେ,
ସକାଳ ହେଲେ କାଉ ବୋବାଏ?
କଣ ହେବ ଆଉ ସେକଥା ଭାବି!
ବାହାଘର ତ ଠିକ୍ ହୋଇ ସାରିଚି
ବର ଆସିବ,
ଏବଂ ମତେ ଯିବାକୁ ହେବ।