କାଳର କଳଙ୍କ ଲାଗେ ଧରିତ୍ରୀର ପ୍ରତି ଅବୟବେ
କାଲି ଓ ଆଜିର ମଧ୍ୟେ ପାର୍ଥକ୍ୟହିଁ ହୁଏ ରୂପାୟିତ
ଜୀବନର ପ୍ରତି ଛତ୍ରେ ଜୀବନର ପ୍ରତିଟି ବିଭାବେ
ସମାନ୍ୟ ଯା ସବୁ ରହେ ସମୟର ବନ୍ଧନେ ସୀମିତ।
ଜୀବନର ନଦୀ-ନୀରେ ପଡ଼ି ଆତ୍ମ ପ୍ରତାରଣା ଛାଇ,
କାଳର କଠୋର ସ୍ପର୍ଶ ଭୁଲିବାକୁ ମନର ବିଶ୍ବାସ
କେତେ ରାଗ ରଙ୍ଗ ଦିଏ-ସୀମା ମଧ୍ୟେ ଚିରନ୍ତନ ନାହିଁ,
ତଥାପି ପ୍ରଲୁବ୍ଧ କରେ କ୍ଷଣସ୍ଥାୟୀ ସୀମାର ପ୍ରକାଶ।
ଏ ପୃଥିବୀ ଏ ପ୍ରକୃତି, ଆକାଶ ଓ ପ୍ରତି ଧୂଳିକଣା,
ସକଳ ବଦଳି ଯାଏ-ବଦଳଇ ମଣିଷର ମନ
ଭୁଲିବାକୁ ନଶ୍ବରର ବ୍ୟଥା ନୂଆ ଆତ୍ମ-ପ୍ରତାରଣା
ହୃଦୟ ସନ୍ଧାନ କରେ- ନୂତନହିଁ ବଡ଼ ପ୍ରଲୋଭନ।
ପ୍ରସ୍ତରର ଶାଳଗ୍ରାମ ଶାଶ୍ବତର ପରମ ପ୍ରତୀକ-
ଅଚିର ନଶ୍ବର ବୋଲି ଏ ସୃଷ୍ଟିର ଅନ୍ୟ ଯା ଅଳୀକ।