॥ ୧॥
ସେ ଆସେ ଅନେକ ବେଶେ
ବହୁରୂପେ ବହୁଭାବେ ବିଚିତ୍ର ବିନ୍ୟାସେ,
ସକାଳ କୁୟାଶା ପରି
ହୃଦୟର ଆକାଶକୁ କରି ଧୂମାୟିତ।
ଅବା କେବେ ଲୁଚି ଛପି
ଅସରନ୍ତି ଆନନ୍ଦିତ କରି ବିଖଣ୍ଡିତ।
ସେ ଆସେ ଅନିମନ୍ତ୍ରିତ, ଅବାଞ୍ଛିତ
ଲଜ୍ଜାହୀନ ଅଭାବ ଜର୍ଜର
ଦୁରସ୍ଥ ଆତ୍ମୀୟ ପରି,
ଆମେ ସିନା ଇଚ୍ଛାକରୁ
ତ୍ବରିତ ପ୍ରସ୍ଥାନ ତାର
ସେ କିନ୍ତୁ ବିଳମ୍ବ କରେ-
ଅସଭ୍ୟ ବର୍ବର।
ସେ ଆସେ ଅନେକ ବେଶେ
ସ୍ମିତି ତଳେ କରିଥାଏ ଗୋପନ ନିବାସ।
ଅଶ୍ରୁରେ ସେ ଝରିଯାଏ,
ହାହାକାରେ ଭରିଥାଏ,
ନିରାଶା ଉଷର ଭୂମେ ତାହାର ବିଳାସ।
ବିବର୍ଣ୍ଣ ମଳିନ ମୁଖ,
ତପ୍ତ ତାର ଯେତେ ଦୀର୍ଘଶ୍ବାସ।
ସେ ଏକ ଉତ୍ଫଣ ନାଗ
ଅବା ଏଇ ବିକଶିତ ନଖଦନ୍ତ ବାଘ!
ଆମେ ତାକୁ ଭୟକରୁ
ଆମେ ତାକୁ ଘୃଣାକରୁ
ତାହାଲାଗି ଚିରକାଳ
ସବୁରି ବିରାଗ।
॥ ୨ ॥
ଦୁଃଖର ଅନେକ ରୂପ,
ସେ କେବେ ଉଲଗ୍ନ ଭୀମ
କେବେ ପୁଣି ସୁଖର ବିଭ୍ରମ,
ସେ କେବେ ଅଗ୍ନିର ଦାହ
କେବେ ଅବା ତୁହିନ ଶୀତଳ,
ସେ କେବେ କୁତ୍ସିତ କାନ୍ତ
କେବେ ରୁଦ୍ର କେବେ ସୁକୋମଳ।
ଅସୀମ ସୁଖର ତଳେ
କେବେ ସିଏ କୀଟର ଦଂଶନ
କେବେ ସେ ଗୋପନ ସୁଖ
ଅବା କେଉଁ ଅନାଗତ ଦୁଖର କାରଣ।
ତାକୁ ଚିହ୍ନି ହୁଏନାହିଁ,
କରି ହୁଏନାହିଁ ଭିନ୍ନ
ନିଜର ଭିତରୁ,
ଅଦୃଶ୍ୟ ଜୀବାଣୁ ପରି
ଗୋପନେ ସେ ଜନ୍ମନିଏ
ନିଜର ଅନ୍ତରୁ।
॥ ୩ ॥
ଚିର ଦୁଃଖୀ ଜନ ମୁହିଁ
ଦୁଃଖ ମୋର ସ୍ରଷ୍ଟା ଭଗବାନ,
ଅଖଣ୍ଡ ଦଃଖର ପୂଜା ମୋର ଏ ଜୀବନ।
ଦୁଃଖର ପ୍ରେମିକ ମୁହିଁ, ଦୁଃଖର ପୂଜାରୀ,
ତାର ହେମାନଳେ ଯେବେ ଆତ୍ମାହୁତି ଦେଇ
ମୁଁ ବିଲୟ ହୋଇଯାଏ
ମତେ ସିଏ ଯାଏ ଦୂର ଅର୍ନ୍ତଲୋକେ ନେଇ।
ତାହାର ଚରଣ ତଳେ ଆପଣାକୁ କରି ସମର୍ପଣ,
ମୁଁ କହେ , ‘ହେ ବନ୍ଧୁ, ମତେ କର ଶାନ୍ତ, କର ବଳୀୟାନ’
ଦୁଃଖ ମୋର ପ୍ରିୟ କାହ୍ନୁ
ସୁଖ ମୋର ରାଇ ବିନୋଦିନୀ,
ଲାଗିଅଛି ନିତ୍ୟରାସ ମୋ ଜୀବନ-ଯମୁନା ପୁଳିନେ,
କାହ୍ନୁ ଲାଗି ସିନା ଭାଇ
ନାହିଁ ଶ୍ୟାମ ରାଧାରାଣୀ ବିନେ।