॥ ଏକ॥
ମୋର ମନେ ପଡୁଚି
ମତେ ସେତେବେଳେ ସାତ କି ଆଠବର୍ଷ,
ପୋଖରୀ ହୁଡ଼ାରେ ଠିଆହୋଇ ମୁଁ ଦେଖୁଥିଲି
ଅଳ୍ପ ପାଣି ଆଉ କାଦୁଅ ଭିତରେ
ଗାଁ ପିଲାଙ୍କର ମାଛଧରା।
ମୋ’ରି ବୟସର ପୁଅ ଝିଅମାନେ ହିଁ
ମାଛ ଧରୁଥିଲେ।
ହସ,ଖୁସୀ,ହୋ ହୋ ଭିତରେ
ଲାଗିଥିଲା ଯେମିତି ଗୋଟାଏ ଉତ୍ସବ।
ପଙ୍କ କାଦୁଅରେ ଲଟ ପଟ ହୋଇ
ସେମାନେ ଯେମିତି ଖେଳୁଥିଲେ ହୋଲି।
କେତେବେଳେ ଗୋଟାଏ କେରାଣ୍ଡିର ଆକର୍ଷଣରେ
ମୋ ଅଜାଣତରେ ମୁଁ ମାତି ଯାଇଥିଲି
ସେଇ ନିଷିଦ୍ଧ ଖେଳରେ,
ମିଶି ଯାଇଥିଲି ସେଇ ପଙ୍କ କାଦୁଅରେ ଲଟପଟ
ଲଙ୍ଗଳା ପିଲାଙ୍କ ମେଳରେ।
ହୋସ୍ ହେଲା ବାପାଙ୍କ ଡାକ ଶୁଣି।
ଅପରାଧୀଟିଏ ପରି, ତଳକୁ ମଥାନତ କରି
ହୁଡା ଉପରକୁ ଉଠି ଆସିଲି।
ଗୋଟାଏ ହାତରେ ମୋର କାନଧରି
ଆର ହାତରେ ବାପା ଚାପୁଡାଏ ଦେଉ ନ ଦେଉଣୁ
ଭୟରେ ମୋର କଣ ହୋଇଯାଉଥିଲା।
ପ୍ୟାଣ୍ଟ ପକେଟରେ ଥିବା ଗଡ଼ିଶା ଛୁଆ ଦୁଇଟା
ଉଷୁମ ପାଣିର ସ୍ପର୍ଶ ପାଇ
ଫଟ ଫଟ ହୋଇ ଉଠିଥିଲେ।
॥ ଦୁଇ॥
ମୁଁ ତ ଭୁଲି ନାହିଁ
କଳେଜରେ ପାଦ ଦେଉ ନ ଦେଉଣୁ
ଏବଂ ତାକୁ ଦେଖୁ ଦେଖୁ ହିଁ
ମୁଁ ତା ପ୍ରେମରେ ପଡି ଯାଇଥିଲି।
ଆମ ଇୟରର ଝିଅ।
ପ୍ରଥମେ ଜାଣି ନଥିଲି,
ପରେ ଜାଣିଲି
ତାର ନାଁ ସୁଷମା-ସୁଷମାମୟୀ।
ଆଃ,ନାଁଟା ଯେମିତି
ତା ସହିତ ଯୁକ୍ତ ହୋଇ ସାର୍ଥକ ହୋଇ ଯାଇଥିଲା।
ପାଦ ଚିପି ଚିପି ଆଗଉଥିଲି।
ଯେଉଁ ଦିନ ପ୍ରଥମ ଆଳାପ ହେଲା
ଶଂକିତ ପ୍ରଶ୍ନ
‘ପୂଜା ଛୁଟି କେମିତି କଟିଲା?’
ଅପ୍ରତ୍ୟାଶିତ ଉତ୍ତର
‘ଦଶଦିନ ଜରରେ ପଡିଲି।’
କାଞ୍ଚନଜଂଘାର ଶୀର୍ଷରେ ଠିଆ ହୋଇ
ମୁଁ ଦେଖିଲି ଏକ ନୂତନ ସୂର୍ଯ୍ୟୋଦୟ
ତାପରେ ଖାଲି,ସ୍ବପ୍ନ,କଳ୍ପନା ଆଉ କବିତା।
ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କରି ମଧ୍ୟ
ଆଇ.ଏ.ସିରେ ଚିତ୍ ପଟାଙ୍ଗ ହେବାପରେ
ମୋର ମୁକ୍ତି ହେଲା।
ତା ପରେ ପରେ ଅବଶ୍ୟ
ସୁଷମାମୟୀର ବାହାଘର ହୋଇଗଲା।
ନିମନ୍ତ୍ରଣ କାର୍ଡ ପାଇ ନଥିଲି
ଶୁଣିବାକୁ ପାଇଥିଲି ମାତ୍ର।
ସ୍ବାମୀ ଡାକ୍ତର।
॥ ତିନି॥
ଏଇ କାଲିପରି ଲାଗୁଚି
ମୁଁ ଗୋଟାଏ କମ୍ପାନୀରେ ଯୋଗ ଦେଇଥିଲି
ଜୁନିୟର ଅଫିସରଟିଏ ହୋଇ।
କିନ୍ତୁ ଅବସର ନେଲାବେଳକୁ-
ମୁଁ ତାର ଜେନେରାଲ ମ୍ୟାନେଜର।
ପାହାଚ ପରେ ପାହାଚ ଉଠିଗଲି।
ସେଇ ଯେଉଁ ରାଜନାରାୟଣ ସାହେବ ଥିଲେ ନା
ତାଙ୍କୁ ମୁଁ କେବେ ଭୁଲି ପାରିବି ନାହିଁ।
ସମସ୍ତେ କହୁଥିଲେ ମୁଁ ତାଙ୍କର ଡାହାଣ ହାତ
ମୋ କଥାରେ ସେ ଉଠନ୍ତି ବସନ୍ତି।
ମୁଁ ସବୁ ବିଷୟରେ ନିଷ୍ପତ୍ତି ନିଏ
ସିଏ ଖାଲି ଦସ୍ତଖତ ମାରନ୍ତି।
ଏଗାର ଜଣଙ୍କୁ ସୁପରିସିଡ କରି
କିଏ ଆସିଷ୍ଟାଣ୍ଟ ଜି,ଏମ ହୋଇପାରେ?
ତାପରେ ତ ଖାଲି
ଖ୍ୟାତିର, ସମ୍ମାନ, ବଶମ୍ବଦତା।
କୃପା ପ୍ରାର୍ଥୀ ମାନଙ୍କର ଭିଡ଼
ଚାଟୁକାର ମାନଙ୍କର ମୃଦଙ୍ଗ ବାଦନ
ପ୍ରତିଦ୍ବନ୍ଦି ମାନଙ୍କ ସହିତ ସଂଘର୍ଷ ଓ ଜୟଲାଭ,
କୋଠାବାଡ଼ି, ଜମି, କାର, ବ୍ୟାଙ୍କବାଲାନ୍ସ
ତା ସହିତ ମୋର ବୃଦ୍ଧି,
ସ୍ତ୍ରୀଙ୍କର ଶାଢ଼ୀ ଗହଣା,
ଏବଂ ପ୍ରାଚୁର୍ଯ୍ୟର ବିଚ୍ଛୁରଣରେ ଆତ୍ମଲୀନ ଭାବ।
ସବୁଆଡ଼େ ଐଶ୍ବର୍ଯ୍ୟର ଝଲ୍ମଲ୍,
କେବଳ ଗୋଟାଏ ଦୁଃଖ ରହିଗଲା
ବଡ଼ ପୁଅଟା ପାଇଁ
ଖରାପ ସାଂଗ ସାଥୀଙ୍କ ମେଳରେ ପଡ଼ି
ବିଗିଡ଼ିଗଲା, ଡ୍ରଗ୍ସ୍ ଖାଇଲା।