॥ ସାତ॥
ମୋର ଏଇ ଦିନାନ୍ତ କାଳରେ
ମୋର ମନରେ ଗୋଟିଏ ପ୍ରଶ୍ନ ଉଠୁଚି-
ଏ ଜୀବନରେ ସତ୍ୟ କଣ?
ବନ୍ଧୁମାନେ ଆସୁଛନ୍ତି ସାନ୍ତ୍ବନା ଦେଉଛନ୍ତି
ସାହାସ ଦେଉଛନ୍ତି।
ଈଶ୍ବରଙ୍କ ପାଖରେ ଆତ୍ମସମର୍ପଣ କରିବାକୁ
ପରାମର୍ଶ ଦେଉଛନ୍ତି।
କହୁଛନ୍ତି ‘ଈଶ୍ବର ଏକ ମାତ୍ର ସତ୍ୟ,
ଏଇ ଜଗତ ମିଥ୍ୟା,’
ମୋର ମନ ମାନୁନାହିଁ,
ସତ୍ୟ କ’ଣ ମୋର ଶୈଶବ ନୁହେଁ,
ସତ୍ୟ ନୁହେଁ ମୋର ମାଛଧରା?
ସୁଷମା ସତ୍ୟ ନୁହେଁ ?
ସତ୍ୟ ନୁହେଁ ମିସେସ୍ ଲଳିତା ମହାନ୍ତିଙ୍କର
ଗୋରା ତକ୍ତକ୍ ଭରା ଯୌବନର ଦେହ?
ସତ୍ୟ ନୁହେଁ ମୋର ଚାକିରୀ
ମୋର ପଦୋନ୍ନତି,ମୋର କ୍ଷମତା?
ସତ୍ୟ ନୁହେଁ ମୋର ଏଇ ତ୍ରିତଳ ପ୍ରାସାଦ
ଯାହାକୁ ଏତେ ବ୍ୟୟରେ ମୁଁ ତିଆରି କରିଚି,
ଏତେ ଯତ୍ନରେ ସଜେଇଚି।
ସତ୍ୟ ନୁହଁନ୍ତି ମୋର ସ୍ତ୍ରୀ, ପୁତ୍ର,କନ୍ୟା?
ସତ୍ୟ ନୁହେଁ ମୋର ଯୌବନ?
ସତ୍ୟ ନୁହେଁ ମୋର ପ୍ରେମ,ଦୟା,କ୍ଷମା?
ସତ୍ୟ ନୁହେଁ ମୋର କ୍ରୋଧ,ମୋର ଅହଙ୍କାର?
ସତ୍ୟ ନୁହେଁ ମୋର ଜୀବନ?
ସତ୍ୟ କେବଳ ମୋର ମୃତ୍ୟୁ?
ସତ୍ୟ ନୁହେଁ ମୋର ସୁଖ
ସତ୍ୟ କେବଳ ମୋର ଦୁଃଖ?
ସତ୍ୟ ନୁହେଁ ପୃଥିବୀ
ସତ୍ୟ କେବଳ ଅପାର୍ଥିବ ଈଶ୍ବର?
ନା, ମୋର ମନ ମାନୁନାହିଁ,
ମୁଁ ଜାଣିବାକୁ ଚାହେଁ
ଏସବୁ ଯଦି ମିଥ୍ୟା
ତେବେ ସତ୍ୟ କଣ?
ଏସବୁ ଯଦି ସତ୍ୟ
ତାହେଲେ ମିଥ୍ୟା କଣ?
ଏସବୁ ଯଦି ସତ୍ୟ ଅଉ ମିଥ୍ୟାର ମିଶାମିଶି
ତାହେଲେ ଏଥିରୁ କେଉଁଟା ସତ୍ୟ?
କେଉଁଟା ମିଥ୍ୟା?
ଅବଶ୍ୟ ଚରମ ଯନ୍ତ୍ରଣାର ମୁହୂର୍ତ୍ତରେ
ମୋତେ ଲାଗୁଚି
ମୋର ଏଇ ଯମ ଯନ୍ତ୍ରଣା ହିଁ
ଏକମାତ୍ର ସତ୍ୟ।