ସତ କଣ, ମିଛ କଣ




॥ ଚାରି॥

ମୁଁ ଦୁଇବର୍ଷ ହେଲା ରିଟାୟାର କଲିଣି,

ଅବସର ନେବାପରେ କଣ କରିବି

ଏଇ ଚିନ୍ତା କରୁ କରୁ ଦୁଇବର୍ଷ ବିତି ଗଲାଣି।

ଏହା ଭିତରେ ସ୍ତ୍ରୀ ଗୋଟିଏ

ରାମ ମନ୍ଦିର ନିର୍ମାଣ କଲେ

ସେଥିପାଇଁ ବହୁତ ବ୍ୟସ୍ତ ରହିବାକୁ ପଡିଲା।

ବନ୍ଧୁମାନେ କହୁଥିଲେ,

‘ରାଜନୀତି କରନ୍ତୁ,

ଆପଣଙ୍କ ବୁଦ୍ଧିରେ ଦେଶ ଚାଲିବ।’

ଶୁଣିବାକୁ ଭଲ ଲାଗୁଥିଲା,

ମନ ବି ଟିକିଏ ହେଉଥିଲା,

କିନ୍ତୁ ହଠାତ୍‌ ସବୁ ଯୋଜନାରେ

ପୂର୍ଣ୍ଣଚ୍ଛେଦ ପଡିଗଲା।

କାରଣ ମୋର ଆଗକୁ ଯିବାକୁ

ଆଉ ବେଶୀବାଟ ନାହିଁ।

ମତେ କ୍ୟାନ୍‌ସର ହୋଇଛି

ତିନିମାସ ଗଲାଣି,

ପାଣିପରି ଟଙ୍କା ବୋହି ଚାଲିଛି

ସ୍ତ୍ରୀ କହୁଛନ୍ତି,

ଯେତେ ଖର୍ଚ୍ଚ ହେଉଛି ହେଉ

ତୁମେ ତ ଅର୍ଜନ କରିଚ

ଆଉ କିଏ ଦେଉଚି କି?

ପ୍ରତିଦିନ ଡାକ୍ତର ଆସୁଛନ୍ତି

ବଡ ବଡ ଡାକ୍ତର।

ନୂଆ ନୂଆ ଡାକ୍ତରଙ୍କୁ ଖୋଜା ଚାଲିଛି

ହୋମିଓ ପାଥି, ଆୟୁର୍ବେଦ ଚିକିତ୍ସା ବି ବାଦ୍‌ ଯାଇନି

ସାଧୁ ସନ୍ୟାସୀଙ୍କର ଆଶୀର୍ବାଦ,

କବଚ ଓ ମୁଦି ସହିତ

ହୋମ ଯଜ୍ଞ ବି ଚାଲିଚି।

ଆମେରିକା ଯିବାକୁ ସ୍ତ୍ରୀ ଲଗେଇଛନ୍ତି

କିନ୍ତୁ ମୁଁ ଜାଣେ ମୁଁ ଯେଉଁ ଯମ ଯନ୍ତ୍ରଣା ଭୋଗୁଛି

ସେସବୁ ଆଉ କମ ହେବାର ଆଶାନାହିଁ

ସେସବୁ ବଢ଼ିଚାଲିବ ଖୁବ ବେଶୀ ହେଲେ ଆଉ ତିନିଚାରି ମାସ

ତାପରେ ସବୁ ଶେଷ ହୋଇଯିବ ମୁଁ ଆଉ ନଥିବି

ଏଇ ପୃଥିବୀ ଏଇ ଆକାଶ,ସମୁଦ୍ର ସବୁ ଥିବେ

ଥିବେ ମଧ୍ୟ ମୋର ସ୍ତ୍ରୀ,ପୁଅ,ବୋହୂ

ଝିଅ,ଜ୍ବାଇଁ ,ନାତିନାତୁଣୀ

ଏଇଠି ଏମିତି ଠିଆ ହୋଇ ରହିଥିବ

ମୋର ତିନି ମହଲା କୋଠାଘର।

ମୁଁ ଆଉ ନଥିବି

ଯନ୍ତ୍ରଣା ବଢ଼ିଗଲା ବେଳେ

ସାଙ୍ଗେ ସାଙ୍ଗେ ଜୀବନ ଚାଲିଯାଉ ବୋଲି ଭାବେ

ଯନ୍ତ୍ରଣା ଟିକିଏ କମିଗଲେ ବଞ୍ଚିବାର ଆଶାଟି ପୁଣି

ମୁଗଗଜା ପରି ମୁହଁଟି କାଢ଼ି ଦେଖାଏ

ତଥାପି ଆଉ ବେଶୀଦିନ ନୁହେଁ

ତିନିଚାରି ମାସ କି ଛଅମାସ।

॥ ପାଞ୍ଚ॥

ଅବସର ନେବା ପରଠାରୁ

ମୁଁ ପ୍ରତିଦିନ ସଞ୍ଜ ସକାଳେ

ଠାକୁର ଘରେ କିଛି ସମୟ କଟାଉଥିଲି

ଗୀତା ପାଠ କରୁଥିଲି ଉଚ୍ଚ କଣ୍ଠରେ

ବେଦ ଉପନିଷଦ ଠାରୁ ଆରମ୍ଭ କରି

ରାମାୟଣ ,ମହାଭାରତ ଓ ଅଷ୍ଟାଦଶ ପୁରାଣ ପର୍ଯ୍ୟନ୍ତ,

ଶଙ୍କରାଚାର୍ଯ୍ୟ ଓ ଚୈତନ୍ୟଙ୍କଠାରୁ ଆରମ୍ଭକରି

ରାମକୃଷ୍ଣ ,ଅରବିନ୍ଦ, ବିବେକାନନ୍ଦ ଓ ସତ୍ୟସାଇଙ୍କ ପର୍ଯ୍ୟନ୍ତ

ବହୁତ ବହୁତ ଦାମିକା ଗ୍ରନ୍ଥ ମୁଁ କିଣିଥିଲି।

ରାମ,କୃଷ୍ଣ,ଲକ୍ଷ୍ମୀ ,ଗଣେଶ,ହନୁମାନଙ୍କର

ବହୁବିଧ ବନ୍ଧେଇ ଚିତ୍ରରେ

ଠାକୁର ଘର ସଜେଇଥିଲି।

ବାଙ୍ଗାଲୋରରୁ ସ୍ବତନ୍ତ୍ର ଅର୍ଡ଼ର୍‌ ଯୋଗେ

ଆସୁଥିବା ଧୂପଗନ୍ଧରେ

ଠାକୁରଘର ମହମହ ବାସୁଥିଲା।

ମୁଁ ଈଶ୍ବରଙ୍କ ଆଡ଼କୁ ଢ଼ଳିବାକୁ

ଚେଷ୍ଟା କରୁଥିଲି।

ଏହି ସମୟରେ ହଠାତ୍‌

ଏହି କ୍ୟାନ୍‌ସର୍‌ର ଆବିଷ୍କାର-

ସବୁ କାମ ଅଧା ହୋଇ ପଡ଼ିଥିବା ବେଳେ

ସେ କୁଆଡ଼େ ବହୁତ ଆଗେଇଯାଇଛି।

॥ ଛଅ॥

ମୋର ଦିନ କାଳ ଶେଷ ହେଇ ଆସୁଛି

ଏବେ ମୋର ମନେ ପଡ଼ୁଛି

ମୋର ପିଲାଦିନର କଥା ସବୁ

ମୋର ମନେପଡ଼ୁଛି ସେଇ ପଙ୍କ କାଦୁଅରେ

ମୋର ମାଛଧରା କଥା।

ସ୍ମୃତିର ଅତଳ ଗର୍ଭରୁ ଭାସିଆସୁଛି

ସୁଷମାମୟୀର କଥା

ସୁଷମାମୟୀ ବାହା ହୋଇଗଲା ବୋଲି

ମୁଁ କଣ ପ୍ରେମ କରିବା ଛାଡ଼ି ଦେଇଥିଲି?

ମୋଟେ ନୁହେଁ।

ସୁପ୍ରଭା ଓ କାଦମ୍ବିନୀଙ୍କ ସହିତ ପ୍ରେମ କଥା

ଅନେକେ ଜାଣନ୍ତି

ବାହାହେବା ପରେ ମଧ୍ୟ ମୋର ପି.ଏ.

ମିସେସ୍‌ ଲଳିତା ମହାନ୍ତିଙ୍କ ସହିତ

ମୋର ଗୋପନ ପ୍ରେମ ସମ୍ପର୍କ ଥିଲା

ନା, ଏ କଥାଟା ଆଦୌ ସତ ନୁହେଁ

ମୋର ଚାକିରୀ କାଳରେ

ମୁଁ ଅନେକଙ୍କୁ କୃପା ପ୍ରଦାନ କରିଚି

ଅନେକଙ୍କୁ ଶାସ୍ତି ବି ଦେଇଛି

ସବୁ ବିଚାର ଠିକ୍‌ ଥିଲା ବୋଲି ମୁଁ କହୁନି

ଜାଣିଶୁଣି ମଧ୍ୟ ମୁଁ ମୋର

ଅହଙ୍କାରକୁ ତୃପ୍ତ କରିବାକୁ

ନିତି ଅନିତି କଥା ବିଚାର କରିନାହିଁ।

ମୁଁ ଅନେକ ପାଇଚି, ଗ୍ରହଣ କରିଚି

ଦାବୀ କରିଚି।

କେହି କେହି ତାକୁ ଦୁର୍ନିତୀ କହିପାରନ୍ତି

କିନ୍ତୁ ସେସବୁ ମୁଁ ଗ୍ରହଣ କରିଚି

ମୋର ପ୍ରାପ୍ୟ ଭାବରେ, ଅଧିକାର ଭାବରେ।

ଆଜି ଆଖିରେ ନାଚିଯାଉଛି

ଚାକିରୀରୁ ନିଲମ୍ବିତ ହୋଇଥିବା

ହେମନ୍ତ ବାବୁଙ୍କ କାନ୍ଦୁରା ମୁହଁ

ସାରା ଭାଇ ଅଗ୍ରୱାଲ୍‌ଙ୍କର ମୁଚୁକୁନ୍ଦିଆ ହସ

କେ.ରାମରାଜୁ ପାତ୍ରଙ୍କର ଦାମୀକା ଦାମୀକା ଦଶହରା ଭେଟି

ଖ୍ରୀଷ୍ଟମାସ୍‌ ଭେଟି ,ଇଦ୍‌ ଉପହାର।




+ -