ସୁଦୁର ସେ କେଉଁ ଘଞ୍ଚ କାନନେ
ବନବାସିନୀ ମୁ ଥିଲି,ଚପଳ କିଶୋରୀ ଟିଏ
ମନରେ ମୋହର ବେପଥୁ ଜଗାଇ
ସାଗର ତୁମରି କଥା ପହିଲେ କହିଲା କିଏ?
ଚାରି ପାଶେ ଥିଲା ପାଷାଣ ପ୍ରାଚୀର
କେତେ ମହାଦ୍ରୁମ କେତେ ମହାବୀର
ଜଗି ରହିଥିଲେ ସବୁ ଅର୍ଗଳ
ଭାଙ୍ଗି ଆସିଲି ବହି ଆକୁଳ ଆବେଗ ସୁଏ ।
ପଲକେ ମୋହର ତରଣୀ ତନୁକୁ
ନବ ଯଉବନ ଦେଲା ନିଟୋଳ ସୁଠାମ କରି
ଗତିରେ ମୋହର ଛନ୍ଦ ଦେଲା ସେ
ମୁଗ୍ଧ ମାନସେ ଗଲା କଳ କଲ୍ଲୋଳ ଭରି।
କେଉଁଠି କାପାଇଁ ତିଳେମୁଁ ନରହି
ଅବିରଳ ଗଲି ବହି ବହି ବହି
କେତେ ଦୁର ତୁମେ କ୍ଳାନ୍ତିରେ କେବେ
ଅଳସ ହୋଇନି ଗତି ଯାଇଛି ମୁଁ ଝରି ଝରି।
କି ଯେ ସେ ପୁଲକ ହେ ବାରିଧି ଯେବେ
ତୁମରେ ଛୁଇଁଲି ଯାଇ,ଆପଣାକୁ ଦେଲି ଢାଳି,
ତୁମରି ଭତରେ ଆପଣାକୁ ଦେଲି ଢାଳି।
ତୁମରି ଭିତରେ ଅପଲକେ କାହିଁ
ହଜାଇଲି ତନୁମନ ବିମୋହିତା ବନବାଳି
ଆପଣାକୁ ନିତି ନିଃଶେଷ କରି
ତୁମରେ କେବଳ ଦେଇଛି ମୁଁ ଭରି
ପ୍ରତିଟି ସଲିଳ ବିନ୍ଦୁରେ ମୋର
ମିଳନ କାମନା ଜାଗି ତୁମ ମୁଖେ ନେଲା ଚାଳି।
ସକଳ ଦେଇମୁଁ ଶୂନ୍ୟ ବାରିଧି,
ଦଗ୍ଧ ହେଉଛି ଏବେ
ଗହନ ରୌଦ୍ର ଦାହେ
ଆଜି ତୁମେ ଆସ ମୋହରି ଭିତରେ
ଭରି ଦେଇଯାଅ ମତେ ତୁମ ଜଳ ପରବାହେ
ତୁମ ସାଥେ ରଖ ଯୁକ୍ତ କରି ହେ
ତୁମରି ଭିତରେ ଲୁପ୍ତ କରି ହେ,
ଅସହ ବିରହ,-ଜଳ ଉଚ୍ଛଳ
ସିନ୍ଧୁ ଉତ୍ତର ଦିଏ-‘ଆଉ ଚାହେଁ ,ଆଉ ଚାହେଁ।’