॥ ୧ ॥
ବେଳେ ବେଳେ ଦେଖିଲେ ସେ ଲୋକଟାକୁ
ଭାରୀ ଚିଡ଼ିଲାଗେ,
ତା ମୁହଁରୁ ହାସ୍ୟ ଭାବ, ତା ମୁହଁର ଜୀ ହଜୁର କଥା,
ଶୁଣି ନିଆଁ ଲାଗିଯାଏ ମୋ ହାଡ଼ରେ
ଏଡ଼େ କାପୁରୁଷ!
ମିଛଟାକୁ ସତବୋଲି ମାନିନିଏ ଜାଣିଶୁଣି,
ଗୋଡ଼ ଭାଙ୍ଗି, ଅଣ୍ଟାକୁ ନୁଆଁଇ
ମୁଣ୍ଡବାଳ କୁଣ୍ଡାଉ କୁଣ୍ଡାଉ
ତାହାର ବିନୀତ ଭାବ ପ୍ରକାଶିବା ବେଳେ
ଇଚ୍ଛାହୁଏ ପକାଇବା ଲାଗି ମୋର
ତା ମୁହଁରେ ଛେପ।
ଅଥଚ ସେ ତାହାଠାରୁ
ବଳହୀନ ଲୋକଙ୍କୁ ଦେଖିଲେ
ସିଂହପରି ଗର୍ଜିଉଠେ ଦେଖାଇ ତା ନଖ ଦନ୍ତପନ୍ତି।
ନିଜକଥା ବଖାଣିବା, ପରନିନ୍ଦା ଓଝାଳିବା କାମେ
ଲାଗିଗଲେ ହୋଇଯାଏ ଗଳଦ୍ଘର୍ମ
ସମୟର ଜ୍ଞାନ ଭୁଲିଯାଇ।
ଘୃଣାରେ ମୋହର ନାକ ଫୁଲିଉଠେ-
ତା ଗନ୍ଧରେ ନାକ ଫାଟିଯାଏ।
॥ ୨ ॥
ବେଳେ ବେଳେ ଦେଖିଲେ ସେ ଲୋକଟାକୁ
ଭାରି ଦୟାଆସେ।
ଭାସି ଭାସି ଚାଲିଛି ସେ ସୁଅମୁହେଁ ପତରଟେ ପରି।
ନାଚି ନାଚି ଚାଲିଚି ସେ କଳ କଣ୍ଢେଇଟେ।
ଜାଣେ ନା କରୁଚି କ’ଣ-ଭାବେ ସବୁ କରୁଚି ସେ ନିଜେ,
ଗୋଟାଏ ଜାଗାରେ ଖାଲି ନାଚି କୁଦି
ଭାବେ ସିଏ ଯାଉଅଛି ଆଗକୁ ହିଁ ମାଡ଼ି।
କିଛି ସେ ଜାଣିନି ବୋଲି ଜାଣେ ନାହିଁ
ମୂର୍ଖ ଗୋବେଚାରା,
ସେଥିପାଇଁ ଇଚ୍ଛାହୁଏ ତାର ଅନ୍ଧ ହାତଟିକୁ ଧରି
ପାରି କରି ଦେବାପାଇଁ ତାକୁ ଏ ଜନାକୀର୍ଣ୍ଣ ପଥ
॥ ୩ ॥
ତଥାପି ସେ ଲୋକଟାକୁ
ମତେ ସତେ ଭାରୀ ଭଲଲାଗେ।
ତାର କୁବ୍ଜ ପିଠି ଆଉ
ସରୁ ସରୁ ହାତ
ବିବର୍ଣ୍ଣ ଆଖିର ଦୃଷ୍ଟି,
ମୋଟା ଓଠ, ବଙ୍କା ବଙ୍କା ଗୋଡ଼-
ସବୁ ସତ୍ତ୍ବେ ଭଲ ଲାଗେ, ଭାରୀ ଭଲ ଲାଗେ।
ଜାଣିଚି ତାହାର ସବୁ ଦୋଷ ଦୁର୍ବଳତା,
ତା ଗୋପନ ପାପର ଖବର
ଅସଂଖ୍ୟ ମୁଖାର ତଳେ ଦେଖି ମଧ୍ୟ
ତା ନିଜସ୍ବ କୁତ୍ସିତ ବଦନ,
ମତେ ସିଏ ଭାରୀ ଭଲଲାଗେ।
ତାହାପାଇଁ ଭାଳିହୁଏ,ଭାବିହୁଏ
ଝୁରିହୁଏ ତାର ଅଗୋଚରେ,
ମୁଁ ତାହାକୁ ଭଲପାଏ,
ପତିବ୍ରତା ପ୍ରେମିକଟି ପରି।