ତୁମେତ କଳ୍ପନା ନୁହଁ, ଗଢ଼ା ନୁହଁ ମୋ ମନର ଭୁଲେ,
ତୁମେମୋ ସଫଳ ସ୍ବପ୍ନ-ତୁମେ ମୋର ରାଇ ପ୍ରିୟତମା,
ମୁଁ ତୁମର ପ୍ରିୟ କାହ୍ନୁଁ, ବିଚରଇ ହୃଦ-ଗୋପ ପୁରେ
ନିର୍ଭୟେ ପୁଲକେ ନିତ୍ୟ, ବାଇ ବେଣୁ କରଇ ଉନ୍ମନା
ଆମର ମିଳନ ନୁହେଁ ସୀମିତ ଗୋ ଗୃହ ପରିସରେ
ମୁଁ ନୁହେଁ ଗୃହସ୍ଥ ତୁମେ ନୁହଁ ମାତ୍ର ମୋର କୁଳବଧୂ
ଆମର ମିଳନ ଭୂମି କଳ୍ପନାର ଅନନ୍ତ ଆସରେ
ସ୍ବପ୍ନାଚ୍ଛନ୍ନ ଚିର ଆମେ, ପିଇ ସଖି ହୃଦ-ପଦ୍ମ ମଧୁ
ଅଶ୍ରୁ ତୁମ ସୁଗଭୀର ଏକ ବିନ୍ଦୁ ଅତଳ ଗରଭେ
ବୁଡି ଯାଏ ଏଇ ଧରା, ଲୀନ ହୁଏ ଏ ନୀଳ ଆକାଶ
ହସ ତୁମ ସମୁଜ୍ଜ୍ବଳ ଜ୍ୟୋତିର ବିଭବେ
ହସ ଅବା କାନ୍ଦ ତୁମେ ତାହା ତୁମ ପ୍ରୀତି ର ପ୍ରକାଶ।
କାଳ ସିନା ବୃଦ୍ଧ ହୁଏ,ନୁହେଁ ନୁହେଁ ଆମ ଅନୁରାଗ
ଏବେ ବି ହୃଦୟାକାଶେ ଝଲସଇ ଉଦୟର ରାଗ