ମୋ ମନ ସୀମିତ ନୁହେଁ ସୀମାର ବନ୍ଧନେ
ଏକ ଆଲିଙ୍ଗନେ,
ମୁଁ ଚିର ଚପଳ ଶିଶୁ ଚଞ୍ଚଳ ପଦ ଚାଳି
ଖେଳିବାକୁ ଭଲପାଏ ଏ ଧରାର ଅନନ୍ତ ଅଙ୍ଗନେ
ଗଗନେ ପବନେ।
ଏକ ସୂର୍ଯ୍ୟୋଦୟ ଶୋଭା ମୋ ମନରେ ତୋଳି ଆଣେ
ସହସ୍ର ସୂର୍ଯ୍ୟର
ଉଦୟର ଅନୁରାଗ ଅସ୍ତର ପରିପାଟୀ
ଜ୍ୟୋତିର ଜୀବନଧାରା ଶ୍ବେତ ଓ ସୁନ୍ଦର
ଏକ ଅବିସ୍ମରଣୀୟ ମୁହୂର୍ତ୍ତ ମୋ ମନେ
ହୋଇଯାଏ ଯୁଗ ଯୁଗାନ୍ତର।
ମତେ ଭଲଲାଗେ ଏକ କମନୀୟା ରୂପସୀର
ଆୟତ ନୟନୁ ଝରା ଅନାୟତ୍ତ ଚାହାଣୀ,
ମୁଁ ଚିର ତୃଷିତ ତେଣୁ ରୂପର ଅମୃତ ଲାଗି,
ଲେଖି ଯାଏ ବୁକୁତଳେ ସେ ରୂପର ନୀଳରଙ୍ଗେ
ଅଜସ୍ର କାହାଣୀ।
ପ୍ରତିଟି ମୋ ଅନୁଭୂତି କୋମଳ ରୂପାନୁଭୂତି
ହୋଇଯାଏ ଅପଲକେ ଛନ୍ଦୋମୟ ବାଣୀ।
ଗୋଟିଏ ବ୍ୟଥାକୁ ନେଇ ସାତ କଥା କହେ ସିନା
ମୋ ବ୍ୟଥାର ଅନ୍ତ ନାହିଁ, ବିପୁଳ ଗଭୀର,
ଏକ ଅଶ୍ରୁବିନ୍ଦୁ ମତେ କରେ ନିତ୍ୟ ଅଶାନ୍ତ ଅଧୀର,
ଆକାଶର ନୀଳିମାରେ ବେଦନାର ଛାଇ ଦେଖି
ମ୍ଳାନ ହୁଏ ମନ ମୋର, ଘେରି ଆସେ ପ୍ରତ୍ୟୁଷର
କୂୟାଶା ପରାଏ ଦୁଃଖ ଚିର ଅଭାବୀର
ଘନ ଓ ନିବିଡ଼।
ମୁଁ ସ୍ଥିର ସ୍ଥବିର ନୁହେଁ, ମୁଁ ଯେ ଚିର ସଞ୍ଚରଣଶୀଳ
ବହମାନ ବିଳାସୀ ସଲୀଳ।
ଗୋଟିଏ ବିନ୍ଦୁକୁ କରି ଆଶ୍ରୟ ମୁଁ ସୃଷ୍ଟିକରେ
ସହସ୍ର ବୃତ୍ତର ମାୟା, ପରିଧି ଯାହାର
ତରଙ୍ଗ ପରାଏ କରେ କାଳାତୀତ ସୀମାତୀତ
ଉପକୂଳେ ଉପାନ୍ତରେ ଅଳସ ବିହାର।
ଏକ ନୁହେଁ ଅନେକ ମୁଁ, ବହୁର ଭିତରେ ପୁଣି
ଅଭିନ୍ନ ଏକକ।
ମୁଁ ଅଖଣ୍ଡ ବହ୍ନି ଶିଖା, ଏକ ମୁହୂର୍ତ୍ତର
ଜ୍ୟୋତିର ଝଲକ।
ଜୀବନ ମୋ ନାହିଁ ନାହିଁ, ମୃତ୍ୟୁ ମୋର ନାହିଁ ନାହିଁ
ମୁଁ କେବଳ ଭାବମୟ, ସୀମାହୀନ ବାକ୍ମୟ
ମତେ ଖାଲି ଭଲଲାଗେ ଚିରନ୍ତନ ସୃଷ୍ଟିର ପୁଲକ।