ନର ନାରୀ


-ନର-

ତୁମେମାନେ ନାରୀ, ଆମେମାନେ ସବୁ ନର,

ବିରାଟ ଧରାରେ ସବୁଠାରୁ ବେଶୀ ତୁମ ପାଇଁ ଅନୁରାଗ

ଆମର ବୁକୁରେ ଭରିଥାଏ ଅବିରଳ।

ଆମରି ପରମ କାମ୍ୟ ତୁମେ ଗୋ ନାରୀ

ତେର ନଈ ସାତ ସାଗର ହେବାକୁ ପାରି

ତୁମ ଲାଗି ତିଳେ କୁଣ୍ଠା ନ ଜାଗେ ମନେ

ସୁନ୍ଦର ସବୁ ତୁମ ଲାଗି ଏ ଜୀବନେ

ତୁମର ଯା ସବୁ ମଧୁର ମଧୁରତର

ତୁମେମାନେ ନାରୀ, ଆମେମାନେ ସବୁ ନର।

ଆମେ ହେଉ ଦୀନ ଆଥବା ବିଭବଶାଳୀ

ବଣିକ, ଶ୍ରମିକ, କବି କଳ୍ପନାଚାରୀ,

ଆମରି ଭିତରେ ପ୍ରଭେଦ ଯେତେ ଯା ଥାଉ,

ସମଭାବେ ଆମେ ତୁମରେ ଗୋ ଭଲ ପାଉ

ତୁମ ଲାଗି ଆମେ ବଳୀ ଆଉ ଦୁର୍ବଳ

ତୁମେମାନେ ନାରୀ,ଆମେମାନେ ସବୁ ନର।

ପଥେ ଘାଟେ ଘରେ, କୁଟୀର ପ୍ରାସାଦ ତଳେ

ତୁମରି ଚଳନେ ଅମୃତ ଧାରା ଝରେ,

ତୁମରି ସ୍ପର୍ଶେ ତନୁ ମନ ଉଠେ ଥରି,

ଆମେ ଦେଖୁ ତୁମେ ସବୁଠାରୁ ଅଛ ଭରି।

ଶ୍ରେଷ୍ଠ ଦାନ ଗୋ ତୁମେ ଅଟ ଦେବତାର

ତୁମେମାନେ ନାରୀ, ଆମେମାନେ ନର।

-ନାରୀ-

ତୁମେମାନେ ନର,ଆମେମାନେ ସବୁ ନାରୀ

ତୁମଲାଗି ଆମ ହୃଦୟେ ଗୋପନେ ନିରତ ନୀରବେ ରଖୁ

ଅକଳନ ପ୍ରୀତି ଭରି।

ହେ ନର, ତୁମରେ ଆମେ ବେଶୀ ଭଲ ପାଉ,

ତୁମରି ଭିତରେ ଚିର ଆଶ୍ରୟ ଚାହୁଁ,

ତୁମେ ହିଁ ପରମ ବାଞ୍ଛିତ ଜୀବନରେ

ଗୌରବ ଆମ ତୁମ ସାଥେ ମିଳିବାରେ,

ଚାହୁଁ ଅବିରଳ ତୁମସାଥେ ଥିବୁ ଜରି

ତୁମେମାନେ ନର,ଆମେମାନେ ନାରୀ।

ଆମେ ହେଉ ରୂପବତୀ ଅବା ରୂପହୀନା,

ହେଉ ରାଜ ବାଳା, ଅଥବା ନିଃସ୍ବ ଦୀନା,

ଦେହ ମନ ପ୍ରାଣେ ତୁମରେ କାମନା କରୁ,

ନର ହୀନ ନାରୀ ଜୀବନ କେବଳ ମରୁ,

ତୁମରି ପରଶେ ଅମୃତ ପଡ଼େ ଝରି

ତୁମେମାନେ ନର, ଆମେମାନେ ସବୁ ନାରୀ।

କବାଟ ଫାଙ୍କୁ ଅଳ୍ପ ଓଢ଼ଣା ତଳେ

ତୁମରେ ଗୋପନେ ନିରେଖୁ ଯେ ପୁଲକରେ,

ତୁମରି କଣ୍ଠେ ପଦିଏ ମଧୁର କଥା

ଶୁଣି ଲଭୁ ଆମେ ଜୀବନେ ସାର୍ଥକତା,

ଯୁଗ ଯୁଗ ବ୍ୟଥା କାହିଁଯାଏ ଅପସରି

ତୁମେମାନେ ନର, ଆମେମାନେ ସବୁ ନାରୀ।

ସକଳ ସଜ୍ଜା, ହେବାଲାଗି ମନୋମତ

କେବଳ ତୁମର,କରିଥାଏ ପ୍ରକାଶିତ

ତୁମଲାଗି ପ୍ରୀତି, ଆମରି କଥା ଓ କାମ

ଜିଣିବା ତୁମର ମାନସ ସାଧନା ଆମ,

ରହିଥାଅ ତୁମେ ସକଳ ଚେତନା ଭରି

ତୁମେମାନେ ନର, ଆମେମାନେ ସବୁ ନାରୀ

-ନରନାରୀ-

ଆମେମାନେ ଏଇ ଧରଣୀର ନରନାରୀ

ଦୁଇ ସ୍ରୋତ ଆମେ ମିଶିବା ଆଶାରେ ଏକ ଆନ ମୁଖେ

ଯାଉ ଅବିରଳ ଝରି।

ଉଭୟ ଉଭୟେ ସମଭାବେ ଭଲ ପାଉ

ପ୍ରୀତିର ମିଳନେ ପରିପୂର୍ଣ୍ଣତା ଚାହୁଁ,

ଗୋଟିଏ ଅନଳେ ଉଭୟେ ଦେଇ ଯେ ଝାସ,

ଜଳିଯାଇ ହେଉ ଅମୃତ ଅବିନାଶ,

ଏକ ପଥେ ଆମେ ସହଚର ସହଚରୀ

ଆମେମାନେ ଏଇ ଧରଣୀର ନରନାରୀ।




+ -