କୋରକ


ତୋଳି ନିଅ ନାହିଁ ମତେ ତନୁରେ ମୋ ନୂତନ ଯୌବନ

 ଖେଳାଇ ବେପଥୁ ଶତ ଲଭିନାହିଁ ପୂର୍ଣ୍ଣ ପ୍ରକାଶନ।

ଫିଟାଇ ପାଖୁଡ଼ା ଆଖି, କାଲି ଯେବେ ହେବ ସୁପ୍ରଭାତ

ନବ ସୂର୍ଯ୍ୟ ଉଠାଇବ ସଶଙ୍କିତେ ଦେଇ ଦେହେ ହାତ

ଦେଖିବି ବିପୁଳ ସୃଷ୍ଟି ସୁବିପୁଳ ପ୍ରକାଶ କାହାର,

ଆସିବ ମଳୟ ବହି ବହିବୁକେ ଆଶା ପାଇବାର

ସ୍ନେହ,ତାରେ ଦେବି ମୋର ସଉରଭ-ପ୍ରଣୟ ଓ ପ୍ରୀତି,

ବିମୁଗ୍‌ଧ ପ୍ରେମିକ ସମ ଯିବଗାଇ ପ୍ରଣୟର ଗୀତି,

ଆସିବ ମଧୁପ଼-କବି, ଭରିକେତେ ମଧୁର କଳ୍ପନା

ମୋ ପାଇଁ ସେ କରିଥିବ କେତେ ପ୍ରେମ-ସଂଗୀତ ରଚନା,

ଗତ ନିଶି ପାହିଥିବ ମୋହଲାଗି ସୁଖସ୍ବପ୍ନେ ତାର

ପ୍ରତିକ୍ଷଣ ସହିଥିବ ବିରହର ଗୁରୁ ବ୍ୟଥାଭାର,

ଦେଖି ମୋ ବିକଚ ତନୁ ପ୍ରାଣ ତାର ଉଠିବ ପୁଲକି

ଶଙ୍କା ଓ ସଙ୍କୋଚେ ଘୂରି ଚଉଦିଗେ କହୁଥିବ, “ସଖି-

ଆସିଚି ତୁମରି ପାଶେ ପ୍ରୀତି ପାଇଁ ଅନୁମତି ଦିଅ,

ପ୍ରଣୟ ବିଭୋର ମୁଁହିଁ, ଛୁଇଁବାକୁ ତୁମ ସ୍ନିଗ୍ଧଦିହ।”

ବାବଦୁକ ଅଳିଟିରେ କେଉଁପରି କହିବି ମୁଁ କଥା,

ନୀରବରେ କାହାପାଇଁ ଉଠିଥିବ ବୁକେ ପ୍ରୀତି-ବ୍ୟଥା

ମଉନ ମୋହରେ ଦେଖି କ୍ଷଣପରେ ଆସି ସେ ସଭୟେ

ଛୁଇଁ ମୋର ଦେହ ଧୀରେ ଚାଲିଯିବ-ଜାଗିବ ହୃଦୟେ

କେତେ ସେ ରୋମାଞ୍ଚ ସତେ! ପାଇବାକୁ ସ୍ପର୍ଶ ତା ଦେହର

ବାର ବାର ଆଶା ଖାଲି କରିବ ମୋ ହୃଦୟେ କାତର।

ତା ପରେ ଆସିବ ସିଏ ମନେ ରଖି ବିପୁଳ ସାହସ

ମୋର ସୁକୁମାର ଦେହ ଚୂମି ଦେବ ପୁଲକ ଅଶେଷ

ନେବ ଲୁଟି ସବୁ ସୁଧା-

ହୋଇ ମନେ ଭାରି ଇର୍ଷ୍ୟାପର

ସମୀର ଆଘାତ ଦେଇ କରିଦେବ ତାହାକୁ ଅନ୍ତର।

ଅନାଗତ କାଲି ପାଇଁ ଆଜି ଦେଖେ ସୁଖର ସ୍ବପନ,

ଦିଅ ଆସିବାକୁ ମୋର ଜୀବନରେ ପ୍ରଣୟ ପ୍ଳାବନ,

ତୋଳିଦିଅ ନାହିଁ ମତେ-ଦିଅ ଥରେ ଫୁଟିବା ଗୌରବ,

ତୋଳିନେଲେ ବ୍ୟର୍ଥସିନା ହେବ ବକ୍ଷ ଭରା ମୋ ସୌରଭ।




+ -