ଏ ଘର ଝରକା ଦେଇ ଦିଶୁଅଛି ସେ ଘର ଝରକା,
ସେହିଠାରେ ଠିଆହୁଏ ଝିଅଟିଏ ନିତି ଆସି
ବୟସ ତା ଖୁବ୍ ବେଶି ହେଲେ
ପନ୍ଦର ଷୋହଳ ହେବ,ସାବନା ତା’ ଦେହର ବରଣ,
ହୁଏତ ପଢ଼ୁଛି ସିଏ ଗାର୍ଲ୍ ସ୍କୁଲେ ଅବା କେଉଁ ମହିଳା କଲେଜେ,
ହୁଏତ ସେ ଗଣିତରେ ଭଲନୁହେଁ, ଇଂରାଜୀରେ କଚ୍ଚା,
ବାରମ୍ବାର ଫେଲ୍ ହୋଇ ଦେଉଛି ପରୀକ୍ଷା ସିଏ ଘରୋଇ ଭାବରେ।
ଖେଳାଇବା ବାହାନାରେ ଶିଶୁଟିଏ ଧରିଆସି ଠିଆହୁଏ-
ସେ ଖୁବ୍ ଚତୁରୀ
କାଳେ କେ ଭାବିବ କିଛି ଝରକାର ପାଶେ ତା’ର ଏଇ ଠିଆ ହେବାଟାକୁ
ସେ ଶିଶୁଟି ହୋଇପାରେ ଶାଶୁଘରୁ ଆସିଥିବା ତା’ର
ବଡ଼ ଭଉଣୀର ପୁଅ
ଅବା ତାର ସାନ ଭାଇ ଅବା ପୁଅ ବଡ଼ ଭାଇଙ୍କର।
କିମ୍ବା ସେ ଦେଖାଇ ସ୍ନେହ ତାର ପାଖ ପ୍ରତିବେଶୀ ଘରୁ
ଶିଶୁଟିକି ଆଣିଅଛି, କହିଥିବ ତାହା ସଙ୍ଗେ କଟୁଅଛି
ବେଶ୍ ଅବସର’
ମୁଁ ଜାଣେ ନା ସେ ଝିଅଟି କିଏ, କା’ର ଝିଅ ଅବା କାହାର ଭଉଣୀ
ଅବା ସେ ଆସିଛି ବୁଲି ସହରରେ ଥିବା ତା’ର ମାମୁଁଘରେ
କାଟିବାକୁ ଛୁଟି
ହୋଇପାରେ ନାମ ତାର ରିନା, ମିନା, ଅନୁରାଧା,ସବିତା, ବବିତା-
ନିଶ୍ଚୟ ସେ ଜାଣେନାହିଁ କିଏ ମୁହିଁ, କଣ କରେ, କଣ ମୋର ନାମ,
ତଥାପି ସେ ଠିଆହୁଏ ସେହିଠାରେ, ଚାହୁଁଥାଏ ବାରମ୍ବାର ମୋତେ
କହୁଥାଏ ପିଲାଟିକୁ କଥାଯାହା ମୋତେ ସବୁ ଶୁଣାଯିବା ଭଳି,
ବେଳେବେଳେ କ’ଣ କହେ ଧୀରେ ଧୀରେ ଶିଶୁଟିକୁ
ସେ ଶିଶୁଟି ମୋତେ ଡାକେ ଛୋଟ ଛୋଟ ତା’ହାତ ଦେଖାଇ।
ସେ ଘରକୁ ଆସିଗଲେ ଆଉ କେହି ଚାହେଁନାହିଁ-
ସେ ଯେପରି କେବେ
ସେ ଝରକା ବାଟ ଦେଇ ବାହାରକୁ ଚାହିଁ ନାହିଁ ଥରେ
ବେଳେବେଳେ ଠିଆହୁଏ ଏକା ଏକା ଖୋଲିଦେଇ
ଲମ୍ବା ଲମ୍ବା ତାର କଳାକେଶ,
ବେଳେ ବେଳେ ଖସିଯାଏ ଉତ୍ତରୀୟ ବୁକୁପରେ
ତା ଗୋଚରେ ବା ଅଗୋଚରେ,
ସେତେବେଳେ ସେ ହୁଏତ ଦେଖୁଥିବ ମୁଁ ଚାହିଁଛି
ତାହା ଆଡ଼େ ପ୍ରଲୁବ୍ଧ ଆଖିରେ।
ଘଣ୍ଟା କଣ୍ଟା ଠିକ୍ ଚାଲେ, ରହିଯାଏ ବେଳେ ବେଳେ
ସୂର୍ଯ୍ୟ କାହିଁ, ଆସେ ବିଳମ୍ବରେ
ଅବା ଆସେ ମେଘ ଫାଙ୍କେ, ଲାଜକୁଳା ପିଲାଟିଏ
ମାଆର ପଣତ ତଳେ ତାର ମୁହଁ ଲୁଚାଇବା ପରି,
ମୁଁ କିନ୍ତୁ ଦେଖିନି କେବେ ଉପସ୍ଥିତ ନୋହିବାର ପାଞ୍ଚଟା ବେଳକୁ
ସେ ଝରକା ପାଖେ ସେହି ଝିଅଟିକୁ, ବେଳେ ବେଳେ ମୋର
ସିନା ଡେରି ହୋଇଯାଏ।
ପାଞ୍ଚଟା ବାଜିବା ଆଗୁ ଠିକ୍ ମୋର କଲେଜରୁ ଫେରିବା ସମୟ
ଜାଣିଥିବା ପରି ସିଏ ହୋଇଥାଏ ଆସି ଠିଆ
ତାର ସେଇ ବାତାୟନ ପାଶେ
ଅବା କେବେ ବୁଲୁଥାଏ ବଗିଚାରେ,ଫୁଲଗଛେ ଦେଉଥାଏ ପାଣି
ଆସିଲିଣି କି ନା ମୁହିଁ ଦେଖୁଥାଏ ବାରମ୍ବାର,
ସେଇ ସାନ ପିଲାଟିକୁ ଡାକେ
ଏତେ ବଡ ପାଟି କରି ଉଦ୍ଦେଶ୍ୟ ତା ମତେ ଖାଲି ଜଣେଇଦେବାକୁ
ବଗିଚାରେ ଉପସ୍ଥିତି ତାର, ସବୁ ଦେଖୁଥାଏ
ମୁହିଁ ଥାଏ ଅନ୍ୟ ବାତାୟନ ଫାଙ୍କେ
ମୁଁ କହିବି ନାହିଁ ମିଛ, ଖାଲି ସେହି ଝିଅଟିର ସବିସ୍ତାର
ବର୍ଣ୍ଣନା ଭିତରେ
ମୋହର ମନ କଥା ଲୁଚାଇ ମୁଁ ରଖିବି ନି; ଭାବହୀନ
ମୁକ୍ତ ମନ ନେଇ
ମୁଁ କେବଳ ଲକ୍ଷ୍ୟ କରେ ସେ ଝିଅର ଗତିବିଧି
ତାର ଏଇ ତରୁଣୀ ସୁଲଭ
ବ୍ୟବହାରୁ ଆନନ୍ଦ ମୁଁ ଲାଭ କରେ’-କହି ମୁହିଁ କରିବିନି
ଆପଣାକୁ ଆଦୌ ପ୍ରତାରିତ,
ମୋତେ ଭାରି ଭଲଲାଗେ ଦେଖିବାକୁ ପରିଚୟହୀନ ସେଇ
ଝିଅଟିକୁ ନିତି,
ବାତାୟନ ମୁକ୍ତ କରି ବାତାୟନ ପାଶେ ଆସି ଠିଆହୁଏ ନିଜେ ଇଚ୍ଛା କରି
ନଦେଖିଲେ ତାକୁ କେବେ ମୋ ମନଟା ହୁଏ ଖାଲି ଛଟପଟ
ଏକ ଯନ୍ତ୍ରଣାରେ
ପାଞ୍ଚଟା ବାଜିବା ଆଗୁ, ସବୁକାମ ଛାଡ଼ିଦେଇ
ଟାଣି ହୋଇ ଆସିଯାଏ ଝରକା ପାଖକୁ
ଆମେ ଦୁହେଁ ଜାଣିନାହୁଁ, କେହିକାର ପରିଚୟ ଆମ ମଧ୍ୟେ
କି ଅଛି ତଫାତ୍।
ଜାଣିନାହୁଁ କିଏ କେଉଁ ଭାଷା କହେ,ସମାଜର କଟକଣା, ବ୍ୟକ୍ତିର ଖିଆଲ
କେତେଦୂର କରୁଅଛି ସୁପାରିଶ୍ ଆମର ଏ ପରସ୍ପର ଭାବ ବିନିମୟ
ଏତେ କଥା ଜାଣିବାକୁ ଅପେକ୍ଷା ତ କରିନାହିଁ କେବେଦିନେ ଆମରି ହୃଦୟ।
ଆମେ ବି ଭାବିନୁ କେବେ କେଉଁଠି ଆରମ୍ଭ ୟାର, କେଉଁଠାରେ ଶେଷ
କ’ଣ ତାର ଶେଷ ପରିଣତି।
ତଥାପି ନିକଟତର ହେବାଲାଗି ଆମ ମଧ୍ୟେ ଗୋପନରେ
ବଢ଼ିଚାଲେ ନିବିଡ଼ କାମନା।
ସମାଜ, ଧର୍ମ ଓ ଜାତି, ସଂପ୍ରଦାୟ ବହୁ ବହୁ ଶାସ୍ତ୍ରର ବିଚାର
ମଣିଷକୁ ଭିନ୍ନ କରେ, ଭିନ୍ନ ଭିନ୍ନ ରଙ୍ଗରେ,ସଜାଏ,
କରିଦେଲେ ଖୋଲାଦେହ, ଖୋଲାମନ, ସବୁରଙ୍ଗଖ
ଫିକା ପଡ଼ିଯାଏ
ଖୋଜିଲେ ବି ଦେଖାଯାଏ ନାହିଁ କାହିଁ ପ୍ରଭେଦ କିଞ୍ଚିତ।
ହୁଏତ ଆମରି ମଧ୍ୟେ ରହିଅଛି ବହୁ ବାଧା, ବହୁତ ବିରୋଧ
ସେ ବାଧାକୁ କାଟି କେବେ ଆମେ ଦୁହେଁ ପାରିବୁନି
ହୋଇ ଯେ ଏକାଠି,
ତଥାପି ଆମେ ଯେ ପାଉ କେତେ ସୁଖ ଚାହାଣୀର ବିନିମୟ କରି
ଜାତି,ଧର୍ମ,ବର୍ଣ୍ଣ,ଭାଷା,ସମାଜ ସେ ପୁଲକକୁ
ପାରେନାହିଁ କରି ସୀମାୟିତ।
ବହୁତ ଦୂରତା ସତ୍ବେ ଆମ ମଧ୍ୟେ ରହିଅଛି ଅଲକ୍ଷ୍ୟରେ ଦୃଢ଼
ଯୋଗାଯୋଗ
ସମାଜ ପାରିବନାହିଁ ଶିଥିଳ ବା ଛିନ୍ନ କରି ସେ ସମ୍ପର୍କ ଯୁଗ ଯୁଗାନ୍ତରେ
ଆମେ ଦୁହେଁ ପରସ୍ପରେ ଚାହୁଁଥିବୁ, ଖୋଜୁଥିବୁ ପାଇଥିବୁ
ବିଭିନ୍ନ ରୂପରେ
ସୃଷ୍ଟିର ଆରମ୍ଭ ଦିନୁ ପ୍ରଣୟରେ ବନ୍ଧା ଆମେ
ପୃଥିବୀର ଆଦ୍ୟ ନରନାରୀ।
୮-୫-୫୬
କଟକ