-ଏକ-
ହେ ରାତ୍ରି, ରୂପସୀ ରାତ୍ରି ଲଜ୍ଜାବତୀ କୃଷ୍ଣା କମନୀୟା
ତୁମର ତିମିର ଅବଗୁଣ୍ଠନ ମୁଁ ତୋଳି ଗୋ ବିସ୍ମୟେ
ଅଭିଭୂତ ହୁଏ, ତୁମେ ଅତୁଳନ ଆଉ ଅଦ୍ବିତୀୟା
ଅୟୁତେ ପ୍ରକାଶ ତବ-
ବିସ୍ତାରିତ ଆକାଶ ଆଳୟେ,
ଧରିତ୍ରୀର ଅଙ୍ଗନରେ ସାଗରର ଫେନାୟିତ ବୁକେ
ନୀରବେ ଉତ୍ସୁକେ
କା ଲାଗି ପ୍ରତୀକ୍ଷମାଣା ତୁମେ ଅଭିସାରିକାର ପରି
ରୂପସୀ ଶର୍ବରୀ?
-ଦୁଇ-
ଏ ଦୃଷ୍ଟି ନ ଥିଲା ଯେବେ ଥିଲା ନାହିଁ ଭୁଲୋକ ଦ୍ୟୁଲୋକ,
ପ୍ରାଚୀର ଦିଗନ୍ତ ତଳେ ନୋହିଥିଲା ସୂର୍ଯ୍ୟ ଅଭିଷେକ
ନୋହିଥିଲା ଜୀବନ ସଂଚାର
ଅନନ୍ତ ଶୂନ୍ୟତା ଭରି ହେ ତାମସୀ ତିମିରିଳ ରାତ୍ରି
ତୁମେ ମାତ୍ର ଥିଲ ରହି, ଥିଲା ତୁମ ଆଚ୍ଛନ୍ନ ପ୍ରସାର।
ଅକସ୍ମାତ୍ ସ୍ରଷ୍ଟା ମନେ ରୂପ ନେଲା ସୃଷ୍ଟିର କଳ୍ପନା
ଆକାଶେ ଅଙ୍କିତ ହେଲା ରୂପ ରାଗ ରଙ୍ଗ ଆଳପନା-
ସୁକୁମାର ଶୁଭ ସୂର୍ଯ୍ୟୋଦୟ
ତୁମର କୁମାରୀ ମନେ ଆଣିଲା କି ଭୟ ଓ ବିସ୍ମୟ?
ଅବା ସେହି ପ୍ରଥମ ଦର୍ଶନେ
ପୁଲକି ଉଠିଲ ତୁମେ ପ୍ରଣୟ କମ୍ପନେ,
ଆପଣାକୁ ଅନାୟାସେ ନିବେଦନ କରି ଗୋ ଯାମିନୀ
ଆଲୋକର ହେଲ ଅର୍ଦ୍ଧାଙ୍ଗିନୀ।
ତୁମେ ତ ଦେଖିଚ ରାତ୍ରି ଶତକୋଟି ମନ୍ବନ୍ତର ଧରି
ଏ ଧରିତ୍ରୀ ପୁରେ ପ୍ରାଣ ମିଳନର ବହୁ ଇତିହାସ,
ଆସିଚି ତୁମରି ବୁକେ ତୁମେ ଜାଣ ସମୀରେ ସଂଚରି
ସେ ପ୍ରୀତିର ଅପମୃତ୍ୟୁ,ପାଇଁ କେତେ ଅଶ୍ରୁର ଉଚ୍ଛ୍ବାସ।
ତୁମେ କିନ୍ତୁ ଆଗୋ ରାତ୍ରି ଏକକ ଆବେଶେ
ରହିଚ ନିବିଡ଼େ ବନ୍ଧା କାଳ କାଳ ଆଲୋକ ଆଶ୍ଳେଷେ
ତେଣୁ ହେ ରୂପସୀ
ଅନନ୍ତ ଯୌବନା ରାତ୍ରୀ ତୁମେ ମହୀୟସୀ।
-ତିନି-
ହେ ରାତ୍ରି ବାସର ରାତ୍ରି ହେ ଇପ୍ସିତା ହେ ମଧୁଯାମିନୀ
କେତେ ଯୁଗ୍ମ ପରାଣର ହେ ମିଳନ ତୀର୍ଥ ମନ୍ଦାକିନୀ।
କେତେ ସ୍ବପ୍ନ କେତେ ଆଶା ଅସୀମ କାମନା
ଶୁଭ ଏକ ମୁହୂର୍ତ୍ତରେ ହୁଏ ମୂର୍ତ୍ତ ପ୍ରୀତି ଅରଚନା
ଶଙ୍କିତ ପ୍ରଣୟାବେଶେ ବିକମ୍ପିତ କରେ
ନବବଧୂ ଉତ୍ତରୀୟ ତୋଳି କିଏ ଫୁଲଶଯ୍ୟା ପରେ
ସଚକିତେ ଦେଖିଥିବ ମନଲୋଭା ଅପରୂପ ଶୋଭା
ଥରଥର ଦୀପାଲୋକେ ବିଚ୍ଛୁରିତ କନକର ଆଭା।
କଜ୍ଜ୍ବଳିତ ନତ ଭୂରୁ ଆୟତ ନୟନ,
ଚନ୍ଦନଚର୍ଚ୍ଚିତ ଭାଲେ ସିନ୍ଦୂର ଶୋଭିତ।
ସେ ଶ୍ରୀମୟୀ ଉର୍ବଶୀର ତୋଳି ଅର୍ଦ୍ଧ ଅବନତ ମୁଖ
ଛୁଇଁ ଧୀରେ ଅଧର ଚିବୁକ
କରିଥିବ ଅନୁନୟ,ମୌନାବତୀ କହ କଥା ହୁଅ ନାଇଁ ମୁକ।
ହେ ରାତ୍ରି ତୁମରି କୋଳେ ସେ ପ୍ରଥମ ଆତ୍ମ-ନିବେଦନ
ଯୁଗ ଯୁଗାନ୍ତର ପାଇଁ ହୁଏ ସିନା ଅଚ୍ଛେଦ୍ୟ ବନ୍ଧନ
ହେ ରାତ୍ରି, ବାସର ରାତ୍ରି,ତୁମର ଏ ମଧୁମୟ ସ୍ମୃତି
ସକଳ ଜୀବନେ ଚିର ସ୍ମରଣୀୟ ପରମ ବିଭୁତି।