ରୂପସୀ ରାତ୍ରି




-ଚାରି-

ଦିବସର କର୍ମକ୍ଳାନ୍ତି କୋଳାହଳ ପରେ

ଚିତ୍ରିଳ ପ୍ରତୀଚି ପାରେ ରଙ୍ଗର ସମ୍ଭାର

ସୃଜି ସୂର୍ଯ୍ୟ ଅସ୍ତ ଯାଏ-ଶିଶୁପରି ତୁମ ବୁକୁତଳେ

ଲୁଚାଏ ବଦନ ଯେବେ

ହେ ସନ୍ଧ୍ୟା କୁମାରୀ ରାତ୍ରି ଶୁଭଲଗ୍ନେ କର ଅଭିସାର।

ବିଶ୍ବର ଅଙ୍ଗନେ ତୁମେ ସମୟକୁ ବ୍ୟବଚ୍ଛେଦ କରି

ମୃଦୁ ପଦେ ଆସ ଅବତରି।

ତୁମରେ ନିବିଡ଼ ସ୍ପର୍ଶ ଦେଇ ଦୂର ଆକାଶ ଅୟନେ

ଆସଇ ଶୀତାଂଶୁ ଶାନ୍ତ ତୁମରି ସଦନେ

ସେ କି ସେଇ ଶୁଭ୍ର ଅଂଶୁ ସୂର୍ଯ୍ୟ, ଭୀରୁ ପ୍ରଣୟୀର ପରି

ତୁମ ପ୍ରୀତି ସ୍ପର୍ଶ ଲାଗି ତୁମ କୋଳେ ଆସିଚି ଶର୍ବରୀ?

ଅକିଞ୍ଚନ

ପ୍ରୀତିର କରୁଣା ଲାଗି କରି ପୂର୍ଣ୍ଣ ଆତ୍ମ-ନିବେଦନ

କରିଅଛି ଆପଣେ ନିଉନ?

ଆଗୋ ନିଶୀଥିନୀ

ଅମା ଅନ୍ଧକାରେ ଯେବେ ଭରିଯାଏ ଆକାଶ ଅବନୀ

ସେଇ କାନ୍ତ ସେଇ ପ୍ରିୟ ଚନ୍ଦ୍ରର ବିରହେ

ନିସ୍ତବ୍ଧ କରୁଣ ଭାବେ ତନୁ ମନ ତୁମ ଭରି ରହେ।

ହେ କୃଷ୍ଣା କଜ୍ଜ୍ବଳଗାତ୍ରୀ

ହେ ଆରାମଦାତ୍ରୀ

ବ୍ୟଥାହତ ହୃଦୟର ଧାତ୍ରୀ,

ସବୁ ଶ୍ରାନ୍ତି,ସବୁ ବ୍ୟଥା,ସବୁ ଅବସାଦ,

ବାଦ,ବିସମ୍ବାଦ

ଅପହରି ନିଅ ତୁମେ ପ୍ରାଣସଂଚାରିଣୀ

ସ୍ବପ୍ନମୟୀ ମାୟାବିଳାସିନୀ।

ହେ ବିଶ୍ବଜନନୀ ରାତ୍ରି, ଏ ସୃଷ୍ଟିର ସକଳ ଚେତନା

ତୁମ କୋଳେ ଲୁପ୍ତ ହୋଇ ପାଏ ନବ ସାର୍ଥକ ସର୍ଜନା

ହେ ରାତ୍ରୀ

ଆଶ୍ରୟଦାତ୍ରୀ

ତୁମରି ଭିତରେ

ବରାଭୟ ପାଏ ସିନା ଜୀବନର ଶେଷାୟନ ଯାତ୍ରୀ।

-ପାଞ୍ଚ-

ହେ ସୁନ୍ଦରୀ, ବିଭାବରୀ

ଜ୍ୟୋତ୍ସା-ଶ୍ବେତାମ୍ବରୀ,

ଶାରଦ ଆକାଶେ ଏକି ପଡ଼ି ଅଛି ଲୋଟି,ତୁମ ତାରା,ଖଚିତ ଉତ୍ତରୀ?

ଗଭୀର ଉଲ୍ଲାସେ

ଚନ୍ଦ୍ର ସାଥେ ମତ୍ତ ତୁମେ ଚନ୍ଦ୍ରିକା-ବିଳାସେ।

ହେ ଅବଗୁଣ୍ଠିତା

ପ୍ରୀତି-ଲଗ୍ନେ ପ୍ରିୟ ପାଶେ ଆପଣାକୁ କରିଚ ପ୍ରକାଶ

ନହୋଇ କୁଣ୍ଠିତା।

ଶ୍ୟାମସ୍ପର୍ଶ ତରୁଲତା ବନବୀଥି ତଟିନୀ ଚପଳ

ମିଳନ ମାଧୁରୀ ସ୍ପର୍ଶେ ଚନ୍ଦ୍ରିକା-ଧବଳ।

ସଚକିତ ବିମୁଗ୍ଧ ନୟନେ

ଉତ୍ପଳ ରହିଚି ଚାହିଁ ଦୂର ଉର୍ଦ୍ଧ୍ବାୟନେ

କୌମୁଦୀରେ ବଳୟିତ ଛିନ୍ନ ମେଘତଳେ

ଚନ୍ଦ୍ର ଯହିଁ ଲୁଚକାଳି ଖେଳେ।

ଘନ ଘୋର ଶ୍ରାବଣର ହେ ମେଘମଣ୍ଡିତା

ତିମିରିଳ କୃଷ୍ଣା ରାତ୍ରି, ତୁମେ କି ଶଂକିତା

ନ ହୁଅ ବାରିଦ ବଜ୍ର ଗୁରୁ ଗରଜନେ?

ଏକାକିନୀ ବିରହିଣୀ ଅଶ୍ରୁପାତ କର କି ଗୋପନେ?

କ୍ଷଣପ୍ରଭା କ୍ଷଣିକ ବିଭାସେ

ଆଲୋକର ଦୂତୀ ହୋଇ ଆସଇ କି ପାଶେ?

ତୁମର ତିମିରେ ଲୁପ୍ତ ଧରିତ୍ରୀ ଆକାଶ

ଦେଖି ରାତ୍ରି ମନେ ଆସେ ତ୍ରାସ।

ମନେହୁଏ ସୃଷ୍ଟି ପୂର୍ବ ସେଇ ରାତ୍ରି ଆସିଅଛି ଫେରି

କିଛିର ଅସ୍ତିତ୍ବ ନାହିଁ, ରାତ୍ରିର ଶୂନ୍ୟତା ଖାଲିଯାଇଚି ସଂଚରି।

-ଛଅ-

ହେ କରାଳ କାଳରାତ୍ରି ରୁଦ୍ର ଭୟଙ୍କରୀ

ପ୍ରମତ୍ତା ଶଂକରୀ-

ସମ ତୁମ ଭୀମ ରୂପ ପ୍ରାଣେ

ଭୟ ଆଣେ।

ଧୂମକେତୁ ବାହାନରେ ଆଗୋ ରାତ୍ରି ତୁମର ସଂଚାର

ସୃଷ୍ଟି କରେ ମରଣର ବିଭୀଷିକା ପ୍ରଳୟ ଝଙ୍କାର।

ତୁମ କୃଷ୍ଣ ଛାୟାତଳେ ହୁଏ ସଂଘଟିତ

ନାରକୀୟ ଲୀଳା ଅଗଣିତ।

ସେଥିପାଇଁ ଭୟେ

ଆଲୋକ ପ୍ରାର୍ଥନା ସିନା ଜାଗିଉଠେ ସକଳ ହୃଦୟେ।

ତଥାପି ଅସୂର୍ଯ୍ୟମ୍ପଶ୍ୟା ଆଗୋ ରାତ୍ରି ଅସୀମା ସୁନ୍ଦରୀ

ଅନୁପମ ତୁମ ରୂପ ସୁଷମା ମାଧୁରୀ

ଯୁଗେ ଯୁଗେ ରୂପାନ୍ବେଷୀ ପ୍ରାଣତଳେ ଆଣିଚି ବିସ୍ମୟ,

ହେ ରୂପସୀ, ତୁମରି ତିମିର-ତୀର୍ଥେ

ଅବଗାହି କବି ସିନା ହୋଇଚି ବାଙ୍ମୟ।

ହେ କୃଷ୍ଣା-କଜ୍ଜ୍ବଳଗାତ୍ରୀ

କଳଙ୍କିନୀ ହେ ରୂପସୀ ରାତ୍ରି,

ହେ ଅନନ୍ତ ଯଉବନା ହେ ପୁଲକଦାତ୍ରୀ,

ମୁଁ ଆତ୍ମବିସ୍ମୃତ ହୁଏ ତୁମ ରୂପ-ତୀର୍ଥେ ଅବଗାହି

ମୁଁ ମୁଗ୍ଧ ଚକିତ ହୁଏ ପ୍ରୀତିର ଆବେଶେ ଆପଣେ ହରାଇ,

ଭୁଲିଯାଏ ଏ ବନ୍ଧୁର ଜୀବନର ପଥେ ମୁଁ ଯେ ଏକଯାତ୍ରୀ

ହେ ରହସ୍ୟମୟୀ ରାତ୍ରି

ହେ ରୂପସୀ ରାତ୍ରି




+ -