ମନର ଆକାଶ ମୋର କଳ୍ପନାର ଅନନ୍ତ ଆସର
ଦିଗ୍ବଳୟ ପ୍ରାନ୍ତେ କେଉଁ କାମନାର ଗିରିଚୂଡ଼ା ଛୁଏ-
ସୁଦୂରର ଭ୍ରାନ୍ତି ତାହା; ସେ ଶିଖରୁ ଦୂରଦୂରାନ୍ତର,
ମନର ଆକାଶ ମୋର, ସୀମାରେ ତା’ବନ୍ଧନ ନହୁଏ।
ମନର ଆକାଶ ମୋର ସାଜେ ନିତ୍ୟ ନୂତନ ବରଣେ
ଊଷା ଓ ପ୍ରଦୋଷେ ପୁଣି ମଧ୍ୟାହ୍ନର ସୂର୍ଯ୍ୟ ସମାରୋହେ
ଶୁଭ୍ର ତାର କାନ୍ତି ଜଳେ, ସୂର୍ଯ୍ୟସ୍ନାତ ନୀଳ ଆସ୍ତରଣେ,
ମନର ଆକାଶେ ମୋର କେତେ ମାୟା ମରିଚୀକା ଶୋହେ।
ମନର ଆକାଶ ମୋର ଭରିଯାଏ କେତେ ଅନ୍ଧକାରେ
ବ୍ୟଥାତୁର ନିଶୀଥର ଶୀତଶ୍ରାନ୍ତ ହିମ ଅଶ୍ରୁପାତ
ଅଗଣିତ ତାରକାର ଆଲୋକିତ ଆଶାର ସଂଚାରେ
ମନର ଆକାଶ ମୋର ଅପେକ୍ଷଇ ନୂତନ ପ୍ରଭାତ।
ମନର ଆକାଶ ମୋର ଆଲୋକ ଓ ଅନ୍ଧାରେ ସୁନ୍ଦର
କେତେ ସୂର୍ଯ୍ୟ ତହିଁ ଉଠେ, କେତେ ଚନ୍ଦ୍ର କରେ ତହିଁ ଗତି
କେତେ ସୂର୍ଯ୍ୟ ପୂର୍ଣ୍ଣ କରେ କ୍ଷୁଧାତୁର ରାହୁର ଉଦର
ମନର ଆକାଶେ ମୋର କେତେ ଚନ୍ଦ୍ର ହରାଏ ବିଭୁତି।
ମନର ଆକାଶେ ମୋର କେବେ ପୁଣି ମେଘମାଳା ଭାସେ
ବଜ୍ରର ଝଙ୍କାର ତୋଳେ ଭୟାତୁର କାତର କମ୍ପନ,
ରାଶି ରାଶି ବର୍ଷା ବାରି,ବିଦ୍ୟୁତ୍ର ଜ୍ୟୋତିରେଖା ହାସେ
ମନର ଆକାଶ ମୋର ସହିଯାଏ ସକଳ ପୀଡ଼ନ।
ମନର ଆକାଶ ମୋର ଏ ଦେହର ଧରିତ୍ରୀକୁ ଘେରି
ରହିଅଛି ଅବିରତ, ଶୂନ୍ୟ ତାର ସ୍ଥିତିର ପ୍ରକାଶ,
ଅକ୍ଷୟ ସେ ଅବିନାଶ ଚିରନ୍ତନ ତାହାର ମାଧୁରୀ,
ଆତ୍ମାର ଅଙ୍ଗନ ଚାରୁ ମୋର ଏଇ ମନର ଆକାଶ।