॥ ୧॥
ଏ ଦେହ ଗୋଟିଏ ଘର,
ପ୍ରତି ମୁହୂର୍ତ୍ତରେ
ତା ଭିତରେ କୋଳାହଳ
ଅସଂଖ୍ୟ ଜନର-ଅସଂଖ୍ୟ ମନର।
ମୁଁ ଯାଉଛି ମୁଁ ଆସୁଛି
ବହୁରୂପ ବହୁ ବେଶଧରି,
କରୁଛି ଆପଣାସାଥେ କେତେବେଳେ
ଗଭୀର ହୃଦ୍ୟତା,
କେତେବେଳେ ଦ୍ବିଧାହୋଇ
କରୁଅଛି ଦ୍ବନ୍ଦ୍ବ ଓ ସଂଗ୍ରାମ।
କେତେବେଳେ ମୁହିଁ ମତେ ହତ୍ୟାକରି
ସେଇଘରେ ରଖୁଛି ଲୁଚାଇ
କରୁଚି ମୁଁ ପୂଜାମୋର
କେବେ ପୁଣି ସହସ୍ରୋପଚାରେ।
ଆପଣାକୁ ଭୀରୁପରି
କରୁଅଛି, କେବେ ବା ଗୋପନ,
କେତେବେଳେ ଶୋଇ ଶୋଇ
ଦେଖୁଛି ସ୍ବପନ।
କେବେ ପୁଣି କାନ୍ଦି କାନ୍ଦି ପଡ଼ିଥିଲେ ଶୋଇ
ମୁଁ ଆସି ଉଠାଇ ମୋତେ
ଦେଉଚି ସାନ୍ତ୍ବନା।
ଏ ଘର ବି ପୁଣି କେବେ
ରହୁଅଛି ପଡ଼ି
ଶୁନ୍ଶାନ୍ ନୀରବ ନିର୍ଜନ।
ଏ ଘରେ ଘଟୁଛି ଯେତେ
ଅଘଟଣ, ବିଚିତ୍ର ଘଟଣା
ମୁଁ ପୁଣି ଦେଖୁଛି ସବୁ
ନିର୍ବିକାର ନିର୍ବିକଳ୍ପ ହୋଇ,
ମୁଁ ସବୁର ସାକ୍ଷୀ ମାତ୍ର
ଭୂମିକା ମୋ ନୀରବ ଦ୍ରଷ୍ଟାର।
ଭଲ ମନ୍ଦେ ଭାଗନାହିଁ
ନିର୍ଲିପ୍ତ ମୁଁ ପଦ୍ମପତ୍ରେ ଜଳବିନ୍ଦୁ ସମ।
ମୁଁ ଦେଖୁଛି ବସି ବସି ଯୁଗ ଯୁଗ କାଳ କାଳ
ମୋ ନିଜର ବହୁରଙ୍ଗ ବହୁବର୍ଣ୍ଣ ରୂପ
ସେ କେବେ କୁତ୍ସିତ କେବେ
ଭୟଙ୍କର କେବେ ଅପରୂପ।