ଅସୀମ ଅଶେଷ ତୁମେ ସୀମିତ ଏ ଧରାର ବେଦନା
ତୁମେବା ବୁଝିବ କାହୁଁ, ଅଶ୍ରୁ ହାସ ପୁଲକ କମ୍ପନ
ସକଳ ସମାନ ଭୟ, ଅନୁରାଗ, ଆଶା ଓ କାମନା
ତୁମରତ କିଛି ନାହିଁ, ନାହିଁ ତେଣୁ ମନେ ସଂବେଦନ
ତୁମର କେ ପ୍ରିୟ ନାହିଁ, ନାହିଁ ପୁଣି କେହିବି ଅପ୍ରିୟ।
ଚାହିଁବାର କିଛି ନାହିଁ, ପରିପୂର୍ଣ୍ଣ ଆପଣା ଭିତରେ
ତୁମେ ଯେଣୁ ଆପଣାକୁ ଶୂନ୍ୟ କରି କାହାରେ ନ ଦିଅ,
ନିଃଶେଷି ଆପଣେ ଦିଏ ପାଇବାକୁ ଚାହେଁଯେ ଗଭୀରେ,
ତୁମର ହୃଦୟ ନାହିଁ ହୁଏ ଯହିଁ ଆବେଗ ସଂଚାର,
ତୁମରତ ମନ ନାହିଁ ବୁଝିବାକୁ ଆନର ମାନସ,
ଶାଶ୍ବତ ବୁଝିବ କାହୁଁ ସମୟର ନିଷ୍ଠୁର ବିଚାର
ବିରହ ଓ ମିଳନର ଆତ୍ମହରା ପୁଲକ ପରାସ।
ପାଷାଣର ଦେହେ କରି ଶିଳ୍ପୀ ତୁମ ମୂରତି ରଚନା
ଦେଇଚି ତୁମର ସତ୍ୟ ସ୍ବରୂପର ସାର୍ଥକ ସୂଚନା।