କ’ଣ ଅଛି


କଣ ଅଛି ଏଇ ପୃଥିବୀରେ

ତାର ନୀଳ ଆକାଶରେ

ତାର ସୂର୍ଯ୍ୟରେ ଅବା ତାର ଚନ୍ଦ୍ରରେ,

ତାର ସାଗରର ନୀଳିମା ବିସ୍ତୃତିରେ

ଅବା ତାର ଉତ୍ତୁଙ୍ଗ ପର୍ବତମାଳାରେ,

କଣ ଅଛି ତାର ମରୁଭୂମିର ବାଲୁ ପ୍ରାନ୍ତରରେ

ଅଥବା ତାର ପାଣିରେ,ପବନରେ

ରଂଗ ବେରଙ୍ଗ ଫୁଲରେ ଫଳରେ?

କଣ ଅଛି ତାର ଦିବସର ଆଲୋକରେ

ଅବା ରାତ୍ରିର ଅନ୍ଧକାରରେ?

କଣ ଅଛି ଏଇ ଝର ଝର ବର୍ଷଣରେ

ନିଦାଘର ଜ୍ବଳନରେ

ଅଥବା ତାପହୀନ ଶୀତଳତାରେ?

କଣ ଅଛି? କଣ ଅଛି?

 

କଣ ଅଛି ଏଇ ଜୀବନରେ?

ଶିଶୁର ହସରେ ଅବା କିଶୋରର ଚପଳତାରେ

ଯୌବନର ଉନ୍ମାଦନାରେ ଥବା ଜରାର ଯନ୍ତ୍ରଣାରେ,

ରୋଗରେ,ଶୋକରେ ଅଥବା ମୃତ୍ୟୁରେ?

କଣ ଅଛି ନିଜକୁ ଦେଇଦେବାରେ

ଅବା ଅଜସ୍ର ପାଇବାରେ,

ଅଥବା ବହୁକଷ୍ଟରେ ପାଇଥିବା ବସ୍ତୁଟିକୁ

ହଠାତ୍ହରାଇ ବସିବାରେ?

କଣ ଅଛି ଏଇ ଅଗଣିତ ସଂପର୍କରେ,

ପ୍ରେମରେ,ପ୍ରତାରଣାରେ,ଘୃଣାରେ

ଅଥବା ଈର୍ଷାରେ ଜଳିପୋଡ଼ି ବିଦଗ୍ଧ ହେବାରେ?

 

କଣ ଅଛି ରୂପରେ, ରଂଗରେ

ବା କୁତ୍ସିତ ରୂପହୀନତାରେ?

କଣ ଅଛି ଘର, ଦ୍ବାର, ଟଂକା ସୁନାର ପ୍ରାଚୁର୍ଯ୍ୟରେ

କିମ୍ବା ଦାରିଦ୍ର୍ୟର ହାହାକାରରେ?

କଣ ଅଛି ଯଶ ବା ଅପଯଶରେ

କ୍ଷମତାର ମୋହରେ, ମମତାର ବନ୍ଧନରେ?

କଣ ଅଛି ଦୁଃଖରେ ଭାଙ୍ଗିପଡ଼ି କାନ୍ଦିବାରେ

ଆନନ୍ଦରେ ଉଛୁଳି ଉଠି ହସିବାରେ?

କଣ ଅଛି ଆସକ୍ତ ହୋଇ

ଜୀବନକୁ ଉପଭୋଗ କରିବାରେ

ଅଥବା ସବୁ ଜଳାଞ୍ଜଳି ଦେଇ

କାମନାର ଉର୍ଦ୍ଧ୍ବକୁ ଉଠିଯିବାରେ?

କଣ ଅଛି ଏଇ ସୁଖରେ, ଦୁଃଖରେ

ପାଣ୍ଡିତ୍ୟ ବା ମୂର୍ଖତାରେ?

କଣ ଅଛି? କଣ ଅଛି?

ସତରେ କଣ ଅଛି ଏଇ ଦୃଶ୍ୟମାନ୍ଜଗତରେ

ବା ଅଦୃଶ୍ୟ ପରଲୋକରେ?

କଣ ଅଛି ଏଇ ଦେହମନ ଆତ୍ମାର

ପରିଧି ଭିତରେ

ଅଥବା ତାର ଉର୍ଦ୍ଧ୍ବରେ?

କଣ ଅଛି ଏଇ ଅଶେଷର ଶେଷରେ?

 

କଣ ଅଛି?

ହୁଏତ କିଛି ନାହିଁ

ହୁଏତ ସବୁ ଅଛି

ହୁଏତ ସବୁ ଅଛି ଅଥଚ କିଛି ନାହିଁ

କିମ୍ବା କିଛି ନାହିଁ କିନ୍ତୁ ସବୁ ଅଛି

କିନ୍ତୁ ଉତ୍ତରହୀନ ସେଇ ଚିରନ୍ତନ ଜିଜ୍ଞାସା

କଣ ଅଛି? କଣ ଅଛି?

କଣ ନାହିଁ? କଣ ନାହିଁ?

ସବୁ ଥବା ଭିତରେ କଣ ନାହିଁ?

କିଛି ନଥିବା ଭିତରେ କଣ ଅଛି?




+ -