ମୁଗ୍ଧ ଚକିତ ଦେଖି ମୁଁ ତାହାରେ
ଲୁବ୍ଧ ହେଉଚି ମନେ,
ଚମକ ଲାଗୁଚି ଅନ୍ତର ତଳେ
କେଉଁଠି ସଂଗୋପନେ।
ନାଲି ଓଠ ତୀରେ ସ୍ମିତିର ସୁଷମା
ଥରାଏ ଓଷ୍ଠ ମୋର
ମୁହୂର୍ତ୍ତକର ଦେଖିବା ଭିତରେ
ହୋଇଛି ଆତ୍ମ ଭୋଳ
“କଅଣ କରୁଚ,ଭଲ ଅଛ ଟିକି?”
ପଚାରିଲି ସ୍ନେହ ଭରେ,
“ଏଇଠି ତୃତୀୟ ବାର୍ଷିକ କଳା
ଅଧ୍ୟୟନ ମୁଁ କରେ-”
“ଅନର୍ସ କିଛି ନେଇଛ?”ନେଇଛି
“ମନୋବିଜ୍ଞାନଭଲ”
“ରହୁଛ କେଉଁଠି”“ଅନିଚ୍ଛାରେ ମୁଁ
ବରିଅଛି ହଷ୍ଟେଲ୍।”
“ବାପା କେଉଁଠାରେ?”“ଦୁଇ ମାସ ହେଲା
କରିଲେଣି ରିଟାୟାର୍…”
କେଉଁଠି ଏବେ ସେ ?କୁଆଡ଼େ ଯାଉଛ?
କହିଲା ସେ, “ନାଇଁ ସାର୍,
ଏଇମିତି ଟିକେ ବୁଲି ଆସିଥିଲୁ”
“ସେଇଠି ସେମାନେ କିଏ?”
“ସଙ୍ଗିନୀ ସବୁ ଏକା ଇୟର୍ର
ଚିତ୍ରିତ ଶାଢ଼ୀଟିଏ
ପିନ୍ଧିଛି ଯିଏ ସେ ପଢ଼େ କେବଳ
ପ୍ରଥମ ବର୍ଷ କଳା…।”
କହିଲି ମୁଁ ହସି,“ନାରୀ, ତୁମେ ଆଜି
ନୁହଁ ଆଉ ଦୁର୍ବଳା।”
“ଏଥର ମୁଁ ସାର୍ ପ୍ରଶ୍ନ କରିବି
ଏଥର ମୋର ପାଳି,
କେଉଁଠାରେ ଏବେ”ମୁଁ କ’ଣ କହିବି
ହେଲି ମୁଁ ଟିକିଏ ଭାଳି।
ସଙ୍କୋଚ ଛାଡ଼ି କହିଲି, “ରହିଚି
ଶିକ୍ଷକ ଶେରଗଡ଼େ।”
“ବାହା ହେଲେଣିତ?”-ଥିବି କି ଯା ଥିଲି
ଦଶ ବତ୍ସର ତଳେ?”
“ପୁଅ ଝିଅ?”“ଚାରିବର୍ଷର ଖାଲି
ହୋଇଛି ଗୋଟିଏ ଝିଅ।”
ତା ନାମ କଅଣ?ମନୁ କେ କହିଲା
ମିଛ ଟିକେ କହିଦିଅ
“ତୁମରି ନାମ ମୁଁ ଦେଇଚି ତାହାକୁ”
ସତ କି ସାର୍ ସତ?
“ମୋ ନାମ କାହିଁକି ଦେଲେ କୁହନ୍ତୁ
ବିପଦ ଯେ ଉପଗତ।
ରକ୍ଷାକଲା ସେ ପଚାରି, ନାଆଁଟା
ମୋର କି ମଧୁର ଏତେ?”
“ସତ୍ୟ କହିଚ ତୁମକୁ ରଖିଚି
ସେଇଠି ମୋ ସ୍ମୃତି ପଥେ
ମିଛ ଖାଲି ମିଛ-ହଉ ଆଜି ଆମ
ଅତିଥି ଆପଣ ହେବେ।”
“ମୁଁ ପରା ଟିକିଏ ଭଦ୍ରକ ଯିବି
ଏଇ ଏ ଗାଡ଼ିରେ ଏବେ।”
“ହେବ ନି ସେ କଥା’’ଅତିଥି କରିବି
ଦେବ ଟିକେ ଅନୁମତି
ମାସୀ ମା ତମର?”“ସେକଥା ଆପଣ
କାହିଁକି ଭାବୁଛନ୍ତି”
“ହଷ୍ଟେଲେ ପରା ରହୁଚ?“ସେଇଠି
ଆମେକି ରହିଚୁ ବନ୍ଦୀ!
ବନ୍ଧୁ ଆମର ଅତିଥି ହେବେନି
ରଖିବ କିଏ ସେ ବାନ୍ଧି?”
ଶୁଣଲୋ ସନ୍ଧ୍ୟା ସାଆର୍ ଙ୍କର
କେମିତି ଆମରି ପରେ
“ଧାରଣା ରହିଛି।”ଲଜ୍ଜିତ ହୋଇ
କହିଲି ନମ୍ର ସ୍ବରେ
ପୁରୁଣା ଲୋକ ମୁଁ ନୂଆର ଭିତରେ
ପୁରୁଣାକୁ ଭୂଲିନାହିଁ”
ଗାଡି ଛାଡ଼ିବାର ଘଣ୍ଟି ବାଜିଲା
“ ଯାଉଛି,” “ରହିବେ ନାହିଁ?”
“ଜରୁରୀ ଗୋଟିଏ କାମ ଅଛି ମୋର
ଭାବିବେନି କିଛି ମନେ”
“ନିଶ୍ଚୟ ମୁଁ ତ ଭାବିବି, କହିବି
ନାହିଁ କଥା ଆଉ ଦିନେ…।
“ଟିକେଟ୍ କରିଛି”,ଫେରାଇ ଦେବା ତା
କିଛିଟା ପଇସା କାଟି
ବାକୀଟା ଫେରାଇ ଦେବ ସେ, ନଗଲେ
କି କାମ ହୋଇବ ମାଟି?
“ନାଇଁ ରେ ହେମା ତୁ ବୁଝିବୁ କଅଣ
ଛୁଟିଯେ ଗୋଟାଏ ଦିନ”
ଚାଲିବାକୁ ଗାଡ଼ି ଆରମ୍ଭ କଲା
ଗତି ହୋଇଅଛି କ୍ଷୀଣ
“ନମସ୍ତେ ସାର୍”ହାତ ଉଠାଇଲେ
ହେମାଙ୍ଗିନୀର ଦଳ
ଫେରି ଚାହୁଁ ଚାହୁଁ ହୋଇ ଉଠିଲାଣି
ଗାଡ଼ି ଗତି ଚଞ୍ଚଳ.
୧୨-୧୦ ୫୩
କଟକ