॥ ୩॥
ଧରାଶ୍ରୀ, କରିଛ ମତେ ନିମନ୍ତ୍ରଣ
ଯିବାପାଇଁ ତମରି ନିବାସେ,
ଭାବିବାକୁ ଭଲ ଲାଗେ
ସୁଗୋପନେ ଅନୁରାଗେ
ମତେ ମନେ ରଖିଅଛ
ଭୟ ପୁଣି ମନେ ଭରିଆସେ।
ତମେ କିଗୋ ଜାଣିଥିଲ
ନାରୀର ସେ ସହଜାତ ଅର୍ନ୍ତଦୃଷ୍ଟି ଦେଇ
ନୀରବରେ ଗୋପନରେ ତୁମଙ୍କୁ ମୁଁ ପାଇଥିଲି ଭଲ,
ଆପଣାକୁ ଦେଉଥିଲି ଅକାତରେ ଢ଼ାଳି,
ତୁମଠାରୁ କିଛି ବି ନ ଚାହିଁ?
ତୁମେ ମୋ ପ୍ରଥମ ପ୍ରେମ ଆଦ୍ୟ ଯୌବନରେ
ସେ ପ୍ରେମରେ ଥିଲା ଯେତେ ସୁଖ ସୁମଧୁର
ତାହାଠାରୁ ବେଶୀ ଥିଲା ନୀରବ ଯନ୍ତ୍ରଣା-
ପାଶେ ଥାଇ ତୁମେ ଥିଲ ସବୁଠାରୁ ଦୂର।
ଅପୂର୍ବ ସୁନ୍ଦର ତୁମ କମନୀୟ ମୁଖେ
ସେ ଯେଉଁ ମଧୁର ହାସ ପଡ଼ୁଥିଲା ଝରି
ଲାଗୁଥିଲା ଭଲ ମତେ ଭାବିବାକୁ
ତାହାରି ଭିତରେ
ରହିଥିଲା କେତେ ଭାଷା ଭରି।
ମୁଁ ତୁମଙ୍କୁ ପାରିନାହିଁ ଭୁଲି ଜୀବନରେ
ଭୁଲି ସତେ ଥାଆନ୍ତି କିପରି?
ତମେ ମତେ ଦେଇଥିଲ କବି ବୋଲି
ଅଯାଚିତ ପ୍ରୀତିଭରା ପ୍ରଥମ ସମ୍ମାନ,
ଅତୁଲ୍ୟ ଆନନ୍ଦଭରା
ମୋ ଜୀବନେ ଅମୁଲ୍ୟ ସେ ଦାନ
(ହୁଏତ ସେ ପରମ ସମ୍ମାନ)
ସେଦିନର କଣିକାଏ ଅନୁରାଗେ
ହୃଦୟକୁ ଦେଉଥିଲ ତମେ ପୂର୍ଣ୍ଣକରି
ମୁଁ ସାମାନ୍ୟ ଅକିଞ୍ଚନ
ମନେ ରଖି ମତେ
ଜୀବନରେ ଦେଇ ମୋର ସାର୍ଥକତା ଭରି।
ମହାକାଳ ପ୍ରବାହରେ,
ଜୀବନରେ କେତେ କଣ ଗଲାଣି ତ ଘଟି
ସେ ସ୍ରୋତରେ ଭାସି ଭାସି ଆସିଲିଣି ବହୁଦୂର
କେତେ ସୁଖ କେତେ ଦୁଃଖ କାଟି।
ପାଇଛି ଅନେକ ପୁଣି
ହରାଇଛି ସବୁ କିଛି
ମନେ ରଖିନାହିଁ ତାର ହିସାବ କିତାବ
ତମର ସ୍ମୃତି ବି କିନ୍ତୁ ସୁଗଭୀର ମନ ତଳେ ମୋର
ସୁପ୍ରାଚୀନ କଳାଟିଏ ପରି
ରହିଅଛି ହୋଇ ଏକ ଗୋପନ ବିଭବ।
ତାହାଠାରୁ ମୋ ଜୀବନେ ନାହିଁ କିଛି
ଆଉ ମୂଲ୍ୟବାନ,
ସଂପାଦି ରଖିବାପାଇଁ ତାକୁ ଆଜୀବନ
ପ୍ରସ୍ତୁତ ମୁଁ କରିବାକୁ ସବୁ ମୂଲ୍ୟଦାନ।
ଧରାଶ୍ରୀ ଗୋ,
ରକ୍ଷାକରି ଲୋଭନୀୟ ତମ ନିମନ୍ତ୍ରଣ
ମୁଁ ପାରିବି ନାହିଁ ଯାଇ ତେଣୁ ତୁମ ପାଶେ
ସେ ମଧୁର ସ୍ମତିକୁ ମୁଁ ହରାଇବି କେଉଁ ଅଭିଳାଷେ?
ଶାଳଗ୍ରାମ ଶିଳାଖଣ୍ଡ ଭଳି
ସ୍ମତି ତୁମ ମୋ ହୃଦୟେ ଚିରକାଳ ରହିଥାଇ ପଡ଼ି
ବେଳେ ବେଳେ ତାକୁ ଟିକେ ଛୁଇଁ
ଅଶରୀରୀ ଚେତନାରେ ଶିହରିତ ହୋଇଯାଏ
ମୁହୂର୍ତ୍ତକ ଲାଗି
ହୃଦୟ ତନ୍ତ୍ରୀରେ ମୋର
ଅଭୁଲା ମୂର୍ଚ୍ଛନାଟିଏ ଧୀରେ ଉଠେ ଜାଗି।
ଧାରା, ମତେ କ୍ଷମା କର
ନିମନ୍ତ୍ରଣ ତୁମର ମୁଁ ପାରିବିନି ରଖି
ତୁମ ପାଶେ ଉଭା ହୋଇ
ନୂଆ ରୂପେ ତୁମଙ୍କୁ ମୁଁ ଦେଖି
ଚାହେଁ ନାହିଁ ଯିବାକୁ ପାଶୋରି
ମୋ ଜୀବନେ ଆସିଥିଲା
ଅଫୁରନ୍ତ ସ୍ବପ୍ନ ନେଇ
ସେ ଦିନ ଯେ ସୁନ୍ଦରୀ କିଶୋରୀ।
ମତେ ମନେ ରଖିଅଛ
ଯିବାପାଇଁ କହିଅଛ
ମୋହପାଇଁ ସତେ ତାହା ବିପୁଳ ସମ୍ମାନ
ମୁଁ ତାହାର ଦେଇପାରେ କିବା ପ୍ରତିଦାନ।
ସୁଦୂରୁ କରୁଛି ଖାଲି ବିନମ୍ର ପ୍ରଣାମ
ନୀରବ ପ୍ରେମିକଟିଏ
କବିଟିଏ
ନାହିଁ ତାର ଆଉ କିଛି ନାମ।
୨୮-୪-୯୪
ଝାରସୁଗୁଡା